BJD
ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡ଼େଇ ଦେଲେ ବିସ୍ଫୋରକ ବୟାନ । କହିଲେ, ‘ୱକଫ୍ ସଂଶୋଧନ ବିଲକୁ ନେଇ କାହିଁକି ନିଷ୍ପତ୍ତି ବଦଳିଲା, କିଏ ବଦଳାଇଲା’ । ଦଳ ନିଷ୍ପତ୍ତି ନେଇଥିଲା ସଂସଦରେ ୱକଫ୍ ସଂଶୋଧନ ବିଲକୁ ବିରୋଧ କରିବ । କିନ୍ତୁ କେଉଁ ପରିସ୍ଥିତିରେ ଦଳର ନିଷ୍ପତ୍ତି ବଦଳିଗଲା, ତାହା ଦଳର ମାଲିକ ନବୀନ ପଟ୍ଟନାୟକ ଆଗକୁ ଆସି ଉତ୍ତର ରଖିବା ଦରକାର ବୋଲି କହିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ।
ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଏହି ଘଟଣାରେ ବିଜେଡି ବ୍ୟାକଫୁଟକୁ ଚାଲିଯାଇଛି । ଦଳର ନେତାମାନେ ସୁପ୍ରିମୋଙ୍କୁ ଭେଟିବା ଆବଶ୍ୟକ ବୋଲି ସେ କହିଛନ୍ତି । ଦଳ ନିଷ୍ପତ୍ତି ବଦଳିଯାଇଛି । ଏହାକୁ ନେଇ ଅନେକ ନେତା ବିସ୍ମିତ ହୋଇଛନ୍ତି । ବିଜେଡି ଧର୍ମନିରପେକ୍ଷତାରେ ବିଶ୍ୱାସ କରେ । ସମସ୍ତେ ବିଲ୍ ବିରୋଧରେ ଭୋଟ ଦେଇଥାଆନ୍ତେ କିନ୍ତୁ ତାହା ଭାଗ ଭାଗ ହୋଇଯାଇଛି । କେତେଜଣ ସାଂସଦ ସପକ୍ଷରେ, କେତେଜଣ ବିପକ୍ଷରେ ଓ କେହି ଭୋଟଦାନରୁ ବିରତ ରହିଛନ୍ତି । ଦଳରେ ଏକ ବିଭାଜନ ଅବସ୍ଥା ଆସିଛି । ଏକ ଅଭାବନୀୟ ପରିସ୍ଥିତି ଦଳରେ ସୃଷ୍ଟି ହୋଇଛି । ଏ ସବୁ ଦ୍ୱନ୍ଦ୍ୱ ଦୂର ହେବ ଓ ଉତ୍ତର ମିଳିଯିବ, ଯଦି ନବୀନ ପଟ୍ଟନାୟକ ଏହା ଉପରେ ଉତ୍ତର ରଖିବେ ବୋଲି କହିଛନ୍ତି ପ୍ରଫୁଲ୍ଲ । ସାଂସଦ ସସ୍ମିତ ପାତ୍ର କେମିତି ବାର୍ତ୍ତା ଦେଲେ, କେଉଁ ପରିପ୍ରେକ୍ଷୀରେ କହିଲେ, ଏ ସବୁ ନବୀନ ବାବୁ ଦଳକୁ ଓ ରାଜ୍ୟବାସୀଙ୍କୁ ଜଣାଇବା ଦରକାର ବୋଲି ସେ କହିଛନ୍ତି । ଏହାଦ୍ୱାରା ଦ୍ୱନ୍ଦ୍ୱ ଦୂର ହେବ ଓ ପ୍ରକୃତ ଚିତ୍ର ସାମନାକୁ ଆସିଯିବ ।
ଅଧିକ ପଢ଼ନ୍ତୁ: ୱକଫ୍ ବିଲ୍: ‘ରାଜ୍ୟସଭାରେ ରଖିଛନ୍ତି କେଉଁ ଆଭିମୁଖ୍ୟ ? ମୁହଁ ଖୋଲନ୍ତୁ ସବୁ ବିଜେଡି ସାଂସଦ’
ବ୍ୟକ୍ତି ବଡ଼ ନୁହେଁ, ଦଳ ବଡ଼ ବୋଲି କହିଛନ୍ତି ପ୍ରଫୁଲ୍ଲ । କ’ଣ ଘଟିଛି, ତାହା ସ୍ପଷ୍ଟ ହେଉ । ନିର୍ବାଚନ ବେଳୁ ଦଳରେ ଭୁଲ୍ ତ୍ରୁଟି ଲାଗିରହିଛି । କେମିତି ସଂଶୋଧନ ହେବ, ଦଳ କେମିତି ଆଗକୁ ଯାଇପାରିବ ସେ ନେଇ ବିଚାରବିମର୍ଶ ଆରମ୍ଭ ହୋଇଥିଲା । ଦଳ ସଭାପତି ନେତାମାନଙ୍କୁ ଡାକି ବୈଠକ କରୁଥିଲେ । ଆମେ ମଧ୍ୟ ପରାମର୍ଶ ଦେଉଥିଲୁ ବୋଲି କହିଛନ୍ତି ଏହି ବରିଷ୍ଠ ନେତା । ତେବେ ୱକଫ୍ ପ୍ରସଙ୍ଗ ଦଳରେ ଅବିଶ୍ୱାସର ବାତାବରଣ ସୃଷ୍ଟି କରିଛି । ଏହାକୁ ଦୂର କରିବାକୁ ନବୀନ ପଟ୍ଟନାୟକ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଦ୍ବନ୍ଦ୍ବ ଦୂର ହେବା ଦରକାର । ପ୍ରକୃତରେ ଦଳ ତରଫରୁ ଏହା ହୋଇଛି, ନା ଅନ୍ୟ କେଉଁ କାରଣରୁ ହୋଇଛି ତାହା ଆମେ ସମସ୍ତେ ଜାଣିବା ଦରକାର ବୋଲି ସେ କହିଛନ୍ତି ।
ପ୍ରକୃତ କଥା କ’ଣ ନବୀନ କହିପାରିବେ, ନବୀନ ସବୁ ଜାଣନ୍ତି ବୋଲି ପ୍ରଫୁଲ୍ଲ ସିଧାସଳଖ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଏକଦା ପ୍ରଫୁଲ୍ଲ ଘଡ଼ାଇ ଦଳର ମୁଖିଆଙ୍କୁ ‘ଫିଜିକାଲି ଓ ମେଣ୍ଚାଲି ଡଲ୍’ ବୋଲି କହିଥିଲେ । ତାଙ୍କର ଏହି କଥା ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା । ଏଥିପାଇଁ ତାଙ୍କୁ ବହୁମୂଲ୍ୟ ଦେବାକୁ ପଡିଥିଲା । ଦୀର୍ଘଦିନ ପରେ ସେ ଦଳକୁ ଫେରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/BJD_1744010899.jpg)