• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

ମହାସଙ୍କଟର ସାମ୍ନା କରୁଛି ବିଜେଡି! ‘ୱାକଫ’ ପ୍ରସଙ୍ଗରେ ‘ବିବେକ’ ନିଷ୍ପତ୍ତି ନେଇ ନା କେନ୍ଦ୍ରକୁ ଖୁସି କରିପାରିଲା ନା ନିଜ ଦଳର ନେତା ଓ ନେତୃତ୍ୱଙ୍କୁ । ଦଳ ଭିତରେ, ବାହାରେ, ବିରୋଧୀ, ସମାଲୋଚକ, ସମୀକ୍ଷକ ଗୋଟାକପରେ ଗୋଟିଏ ପ୍ରଶ୍ନବାଣ ମାରିବାରେ ଲାଗିଛନ୍ତି । ଦିନେ ଯେଉଁ ନେତା ମନ୍ତ୍ରୀ, ବିଧାୟକ, ସାଂସଦ ‘ସୁପ୍ରିମୋଙ୍କ ନିର୍ଦ୍ଦେଶ’ କହିଲେ ସବୁ ମାନିଯାଉଥିଲେ ଏବେ ଖୋଲାଖୋଲି ଅସନ୍ତୋଷ ଝାଡିଲେଣି । ବରିଷ୍ଠ ନେତାମାନଙ୍କର ବିସ୍ଫୋରକ ବୟାନ; ବିଦ୍ରୋହ ଓ ବିଭାଜନର ବାରୁଦ ମୁହଁରେ ଆଣି ଦଳକୁ ଠିଆ କରିଛି । 

ଜୋରଦାର ହୋହଲା, ହଙ୍ଗାମା ଭିତରେ ଲୋକସଭା ଓ ରାଜ୍ୟସଭାରେ ପାରିତ ୱାକଫ ସଂଶୋଧନ ବିଲ (ଉମ୍ମିଦ) ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହୋଇଗଲାଣି । ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକାଧିକ ମାମଲା ଦାଏର ହେବାରେ ଲାଗିଛି । ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଦେଖାଦେଇଛି । ବିଲ୍ ସମର୍ଥନରେ ଥିବା ଅନେକ ରାଜନୈତିକ ଦଳକୁ ବହୁ ବିବାଦର ସାମ୍ନା କରିବାକୁ ପଡିଛି!

ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ନେତୃତ୍ୱାଧିନ ଜେଡିୟୁରୁ ୫ ଜଣ ନେତା ଇସ୍ତଫା ଦେଲେଣି । ତାମିଲନାଡୁରେ ସୁପରଷ୍ଟାର ବିଜୟଙ୍କ ଟିଭିକେ ଦଳ ୱାକଫ ସଂଶୋଧନ ବିଲ ବିରୋଧରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛି । ତେବେ ଓଡିଶାରେ ମୁଖ୍ୟ ବିରୋଧୀଦଳ ଦାୟିତ୍ୱରେ ଥିବା ବିଜେଡି ଏହି ବିଲକୁ ବିରୋଧ କରି ଆସୁଥିବାବେଳେ ଅଚାନକ ଶେଷ ମୁହୂର୍ତ୍ତରେ ମତ ବଦଳାଇ ଦଳ ବିବାଦ, ବିଦ୍ରୋହ ଓ ବ୍ୟାପକ ପ୍ରଶ୍ନର ସମ୍ମୁଖିନ ହୋଇଛି ।

Also Read

ବିଜେଡିର ବରିଷ୍ଠନେତା ପ୍ରଫୁଲ୍ଲ ସାମଲ, ବଦ୍ରି ପାତ୍ର, ପ୍ରତାପ ଜେନା, ପ୍ରଭାତ ତ୍ରିପାଠୀ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି । ଷଡଯନ୍ତ୍ର ହୋଇଥିବା ଦର୍ଶାଇ ଶ୍ରୀ ଜେନା ଓ ଶ୍ରୀ ସାମଲ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସସ୍ମିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି । ବିଜେଡ଼ି ଏକ ଧର୍ମନିରପେକ୍ଷ ଦଳ ଓ ସଂଶୋଧିତ ବିଲରେ ସିଧାସଳଖ ସଂଖ୍ୟାଲଘୁମାନଙ୍କ ଅଧିକାର ଉପରେ ହସ୍ତକ୍ଷେପ କରାଯାଇଥିବାରୁ ଦଳ ଏହାକୁ ବିରୋଧ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ତେବେ ଶେଷ ମୁହୂର୍ତ୍ତରେ ରାଜ୍ୟସଭାରେ ବିଜେଡ଼ିର ନେତା ହୋଇଥିବା ସାଂସଦ ସସ୍ମିତ ପାତ୍ର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଦର୍ଶାଇଲେ, ରାଜ୍ୟସଭାରେ ଭୋଟିଂ ବେଳେ ଏହି ବିଲ୍‌କୁ ବିରୋଧ ନ କରି ବିବେକ ଅନୁସାରେ ଭୋଟ୍ ଦେବାକୁ ନିଷ୍ପତ୍ତି ହୋଇଛି । ବିଜେଡି ପକ୍ଷରୁ ଏନେଇ କୌଣସି ହ୍ୱିପ୍ ଜାରି ହୋଇ ନାହିଁ । ତେବେ ସେ ଏଭଳି ନିଷ୍ପତ୍ତି ନେଲେ କାହିଁକି? ଏହା ପଛରେ କିଏ ଅଛନ୍ତି ଓ କଣ ତାଙ୍କ ଉଦ୍ଦେଶ୍ୟ ? 

ସେପଟେ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନ ଦଳକୁ ଆହୁରି ଅଡୁଆରେ ପକାଇଦେଇଛି । ଭିକେ ପାଣ୍ଡିଆନଙ୍କୁ ଇଙ୍ଗିତ କରି ତାଙ୍କ ନା ନନେଇ କହିଲେ, ପରାମର୍ଶଦାତାଙ୍କ ନିର୍ଦ୍ଦେଶରେ ଏଭଳି ହୋଇଛି ଯାହା ଦଳ ପକ୍ଷେ ହିତକର ନୁହେଁ । ବିଜେପି ସହିତ ଡିଲ ହୋଇଥିବା ଶ୍ରୀ ସାମନ୍ତରାୟ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ଜଣାଇଛନ୍ତି । ତେବେ କିଭଳି ଡିଲ ହୋଇଛି ? କିଏ କହୁଛି ଇଡି ସିବିଆଇ ଭୟ ପାଇଁ ଦଳକୁ ଏଭଳି ନିଷ୍ପତ୍ତି ନେବାକୁ ପଡୁଛି । ଆଉ କିଏ କହୁଛି ଦଳର ନବକଳେବର ହେବ । ନିକଟରେ ଚାକିରି ଛାଡିଥିବା ସୁଜାତା ଆର୍ କାର୍ତ୍ତିକେୟନ ବିଜେଡିର ନେତୃତ୍ୱ ନେବେ ବୋଲି ଚର୍ଚ୍ଚା ହେଉଥିଲା । ଏହାକୁ ଚରିତାର୍ଥ କରିବାକୁ ଏଭଳି ସ୍ଥିତିର ‘ପ୍ରାୟୋଜନ’ ବୋଲି ଚର୍ଚ୍ଚା ହେଉଛି । 

ବିରୋଧୀଙ୍କ ଚାପ ପରେ ପାଣ୍ଡିଆନ୍ ଚାକିରିରୁ ଅବସର ନେଇ ପ୍ରତ୍ୟକ୍ଷ ରାଜନୀତିରେ ଯୋଗ ଦେଇଥିଲେ । ୨୦୨୪ ନିର୍ବାଚନର ଚେହେରା ଭାବରେ ସବୁ ଦାୟିତ୍ୱ ନେଲେ । ତାଙ୍କୁ ଟାର୍ଗେଟ କରି ଓଡିଆ ଅସ୍ମିତା ପ୍ରସଙ୍ଗ ଉଠିଲା । ହେଲେ ତାଙ୍କ ପରେ ଶ୍ରୀମତୀ ପାଣ୍ଡିଆନ ଓଡିଆ ଝିଅ ଭାବେ ନବୀନ ସରକାରରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ପ୍ରମୁଖ ଚେହେରା ଥିଲେ । ତେଣୁ ସେ ଅବସର ନେବା ପରେ ଦଳର ନେତୃତ୍ୱ ନେବାରେ ଅସ୍ମିତା ପ୍ରସଙ୍ଗ ହେବ ନାହିଁ । ତାଙ୍କୁ ଦଳାଭିଷେକ କରିବାର ବ୍ୟବସ୍ଥା ହେଉଥିବା ଚର୍ଚ୍ଚାରେ ରହିଛି । 

ଏହା ପଛରେ ବିଜେପିର ସମର୍ଥନ ମଧ୍ୟ ବେଶ୍ ଆଲୋଚନା ହେଉଛି । କାରଣ ଶ୍ରୀମତୀ କାର୍ତ୍ତିକେୟନ ୧୩ ମାର୍ଚ୍ଚରେ ସ୍ୱେଚ୍ଛାକୃତ ଅବସର ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିଥିଲେ । ୨୭ ମାର୍ଚ୍ଚରେ ଆବେଦନ କେନ୍ଦ୍ରକୁ ଗଲା ଆଉ ୨୮ ତାରିଖ ଅର୍ଥାତ ମାତ୍ର ୨୪ ଘଂଟାରେ ମଂଜୁରୀ ମିଳିଲା । ତେବେ ୧୩ରୁ ୨୭ ତାରିଖ ରାଜ୍ୟ ସରକାରଙ୍କ ନିକଟରେ ଏହି ଆବେଦନପତ୍ର ଥିବା ସତ୍ୱେ କେହି ଟେର୍ ପାଇଲେନି ? ଶ୍ରୀ ପାଣ୍ଡିଆନଙ୍କ ଭିଆରଏସ୍ ବେଳେ ସିନା ବିଜେଡି ସରକାର ଥିଲା, ବର୍ତ୍ତମାନ ତ ବିଜେପି ସରକାର ଅଛି । ଏଭଳି କି ବସ୍ତା ବିଧାୟିକା ବିଧାନସଭାରେ କେଉଁ ଆଇପିଏସ୍, ଆଇଏଏସ୍ ସ୍ୱେଚ୍ଛାକୃତ ଅବସରପାଇଁ ଆବେଦନ କରିଛନ୍ତି କି ବୋଲି ୨୪ ମାର୍ଚ୍ଚରେ ପ୍ରଶ୍ନ କରିଥିଲେ ତାର ଉତ୍ତରରେ ମୁଖ୍ୟମନ୍ତ୍ରୀ ଏକଥା ଦର୍ଶାଇନଥିଲେ ।  ଯଦିଓ ୧୩ ମାର୍ଚ୍ଚରୁ ଆବେଦନ ହୋଇଥିଲା ।

ପୂରା ଘଟଣାକ୍ରମକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ବିଜେଡି ଏଭଳି ଏକ ଦଳ ଯାହା ଦେଶ ଇତିହାସରେ ବିରଳ! ୨୦୦୦ରୁ ୨୦୦୯ ବିଜେପି ସହିତ ମିଶି ସରକାର ଗଠନ କଲା । କନ୍ଧମାଳ ଦଙ୍ଗାପରେ ବିଜେପିଠାରୁ ସମ୍ପର୍କ ତୁଟାଇ ଏକାକୀ ସରକାର କଲା । କିନ୍ତୁ ୨୦୧୪ରେ କେନ୍ଦ୍ରରେ ବିଜେପି ସରକାର ଗଠନ ହେବା ପରେ ପ୍ରାୟ ସମସ୍ତ ବିଲ୍‌କୁ ବରାବର ସମର୍ଥନ ଦେଲା । ତିନି କୃଷି ଆଇନ ବିରୋଧରେ ଦେଶବ୍ୟାପୀ ବ୍ୟାପକ ଆନ୍ଦୋଳନ ସତ୍ୱେ ଦଳ ଉଭୟ ଗୃହରେ ବିଲ୍ ସପକ୍ଷରେ ସମର୍ଥନ ଦେଲା । ଯେଉଁ ବିଲକୁ ପରବର୍ତ୍ତି ସମୟରେ କେନ୍ଦ୍ର ପ୍ରତ୍ୟାହାର କରିନେଇଥିଲେ । ଏଭଳି କି ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କୁ ନିଜ ଦଳର ପ୍ରାର୍ଥୀ ଭାବରେ ଦୁଇ ଦୁଇଥର ସମର୍ଥନ ଜଣାଇ ସଂସଦକୁ ପଠାଇବା ଘଟଣା ଅନେକଙ୍କୁ ବିସ୍ମିତ କରିଥିଲା । 

୨୦୨୪ ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଶାସକ ଦଳ ବିଜେଡି ଓ ରାଜ୍ୟରେ ବିରୋଧୀ ଦଳ ବଜେପି ସହିତ ମେଂଟ ଚର୍ଚ୍ଚା ଚାଲିଲା । ନିର୍ବାଚନରେ ପରାଜୟ ପରେ ନୀତିଗତ ଭାବରେ ବିରୋଧୀଦଳର ଭୂମିକା ନିର୍ବାହ କରୁଥିବା ପରିଚୟ ସୃଷ୍ଟି କଲା ବିଜେଡି । ନିର୍ବାଚନମଣ୍ଡଳୀ ସୀମାନିର୍ଦ୍ଧାରଣ ପ୍ରସଙ୍ଗରେ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଯୋଗଦେଇ ଦଳ ପ୍ରମାଣ ଦେଲା ଯେ ବିଜେପି ବିରୋଧରେ ଦଳ କଡା ଆଭିମୂଖ୍ୟ ଗ୍ରହଣ କରିଛି । ତେବେ ୱାକଫ ବିଲ କ୍ଷେତ୍ରରେ ଅନ୍ତିମ ପର୍ଯ୍ୟାୟରେ ମତ ବଦଳାଇବା ଘଟଣା ଦଳପାଇଁ ସଙ୍କଟଜନକ ସ୍ଥିତି ସୃଷ୍ଟି କରିଛି । ଏହା ଆଗକୁ କି ମୋଡ ନେଉଛି ତାହା ସମୟ କହିବ ।

(ବି.ଦ୍ର.- ଏହି ଲେଖାରେ ଥିବା ସମସ୍ତ ଆଲୋଚନା ସଂପୃକ୍ତ ଲେଖକଙ୍କ ନିଜସ୍ୱ ମତ)