ଝାରସୁଗୁଡ଼ା ଉପନିର୍ବାଚନ, ତରୁଣ ପାଣ୍ଡେ ହେଲେ କଂଗ୍ରେସ ପ୍ରାର୍ଥୀ

BJP ପ୍ରାର୍ଥୀଙ୍କ ନାଁ ଘୋଷଣା କରିନଥିଲେ ବି ଦିଲ୍ଲୀରେ ଦଳୀୟ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା ହୋଇଥିବା ଜଣାପଡ଼ିଛି । 

Jharsuguda Bypoll

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ତରୁଣ ପାଣ୍ଡେ ହେଲେ କଂଗ୍ରେସ ପ୍ରାର୍ଥୀ । AICCର ଅନୁମୋଦନ କ୍ରମେ ତରୁଣଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି । ତରୁଣ ହେଉଛନ୍ତି ପୂର୍ବତନ ବିଧାୟକ ବିରେନ୍ ପାଣ୍ଡେଙ୍କ ପୁଅ । ପୂର୍ବରୁ ରାଜ୍ୟ କଂଗ୍ରେସ ପକ୍ଷରୁ ଗ୍ରାଉଣ୍ଡ ଜିରୋରୁ ଆଶାୟୀଙ୍କ ତାଲିକା ପ୍ରସ୍ତୁତ କରି ଏଆଇସିସିକୁ ପଠାଯାଇଥିଲା । 

୧୯ ସାଧାରଣ ନିର୍ବାଚନ ପରେ ପରେ ବରଗଡ଼ ସଂସଦୀୟ କ୍ଷେତ୍ରରେ ତିନି ତିନିଟି ଉପନିର୍ବାଚନ ସରିଛି । ବିଜେପୁର, ବ୍ରଜରାଜନଗର ଓ ପଦମପୁର ପାଇଁ ଉପନିର୍ବାଚନ ହୋଇଥିବାବେଳେ ଏବେ ନବ ଦାସ ଙ୍କ ହତ୍ୟାକାଣ୍ଡ ପରେ ଝାରସୁଗୁଡ଼ା ପାଳି ପଡ଼ିଛି । ଏଭଳି ସ୍ଥିତିରେ କାମ ଦେବ କି ଅନୁକମ୍ପା ନା ଆଇନ୍ ଶୃଙ୍ଖଳା ମୁଦ୍ଦା ସପକ୍ଷରେ ଯିବେ ଭୋଟର, ତା‘ଉପରେ ନଜର।

ସେପଟେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନଥିଲେ ବି ବିଜେପି ବି ଚଳାଇଛି ତା’ର ଗୋଟି ଚାଳନା । ଟିକଟ ଆଶାୟୀ ରେସରେ ଆଗୁଆ ଥିବା ଟଙ୍କଧର ତ୍ରିପାଠୀଙ୍କ ସମେତ ଦଳର ଅନ୍ୟାନ୍ୟ ନେତା ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ଦଳୀୟ କର୍ମୀଙ୍କୁ ସକ୍ରିୟ କରୁଛନ୍ତି । ଧାମନଗର ଉପନିର୍ବାଚନରେ ଯେଭଳି ଦଳୀୟ ଷ୍ଟ୍ରାଟେଜୀ ହୋଇଥିଲା, ସେଭଳି ଗ୍ରାଉଣ୍ଡୱାର୍କ କରିବ ବିଜେପି । ତେବେ ଦଳ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନଥିଲେ ବି ଦିଲ୍ଲୀରେ ଦଳୀୟ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା ହୋଇଥିବା ଜଣାପଡ଼ିଛି । 

ସେହିଭଳି ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ। ଝାରସୁଗୁଡ଼ା ଦଖଲ ପାଇଁ ଦଳୀୟ ସମରସଜ୍ଜାକୁ ଜୋରଦାର କରିଛି ବିଜେଡି । ପୂର୍ବ ଉପନିର୍ବାଚନ ଗୁଡ଼ିକରେ ଯେଭଳି ଲଢ଼ିଥିଲା ବିଜେଡି, ଝାରସୁଗୁଡ଼ା ଉପନିର୍ବାଚନରେ ବି ସମାନ ଷ୍ଟାଇଲରେ ଲଢ଼ିବ ବୋଲି କୁହାଯାଉଛି । ଗାଁକୁ ଗାଁ ଏବଂ ବ୍ଲକକୁ ବ୍ଲକ୍ ଯେଭଳି ଦଳୀୟ ନେତା ଜଗିବେ, ସେଥିପାଇଁ ଗ୍ରାଉଣ୍ଡ ୱାର୍କ ଆରମ୍ଭ କରିଛି ବିଜେଡି । ଖାଲି ସେତିକି ନୁହେଁ ଗୋଟିଏ ପୌରାଞ୍ଚଳ ପାଇଁ ମୋଟ ୧୨ ଜଣ ହେଭିୱେଟ୍ ନେତାଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଛି ବିଜେଡି ।