• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱରର ରେଳ ଷ୍ଟେସନର ହେବ ନବୀକରଣ । ବିମାନ ବନ୍ଦର ଭଳି ଏଠାରେ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଷ୍ଟେସନ ନବକଳେବର ପ୍ରକଳ୍ପର ଶୁଭ ଦେଇଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ସହ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ପ୍ରତାପ ଷଡଙ୍ଗୀ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଥିଲେ ।

ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ଲାଗି ୩୯୮ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି । ଦୁଇ ବର୍ଷ ମଧ୍ୟରେ କାମ ଶେଷ ହେବ ମାଷ୍ଟର କ୍ୟାଣ୍ଟିନ ପଟେ ୧୧ ମହଲା ବିଶିଷ୍ଟ ଏବଂ ପୁରୁଣା ଷ୍ଟେସନ ପଟେ ୪ ଓ ୬ ମହଲା ବିଶିଷ୍ଟ ଦୁଇଟି ବିଲ୍ଡିଂ ନିର୍ମାଣ ହେବ । ଷ୍ଟେସନର ଉଭୟ ପ୍ରବେଶ ପଥକୁ ପ୍ରଶସ୍ଥ ଏବଂ ଉଚ୍ଚା କରାଯିବା ସହ ପାର୍କିଂ ଲାଗି ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ଷ୍ଟେସନରେ ଏକାଧିକ ଫୁଟ୍ ଓଭରବ୍ରିଜ ନିର୍ମାଣ କରାଯିବ । ଦୈନିକ ଦେଢ ଲକ୍ଷ ଯାତ୍ରୀ ଯାଆସ କରିବା ଭଳି ଭିତ୍ତିଭୂମିର ସଂପ୍ରସାରଣ ହେବ । ପ୍ଲାଟଫର୍ମ ଭିତରେ ଯାତ୍ରୀ ଲାଉଞ୍ଜ, ୩୪ଟି ଲିଫ୍ଟ, ୨୦ ଏସ୍କାଲେଟର, ୨୧ଟି ରିଟାୟରିଂ ରୁମ, ୧୫୦ ବେଡ୍ ବିଶିଷ୍ଟ ଡର୍ମିଟୋରୀ, ଫୁଡ କୋର୍ଟ ଓ ଏଟିଏମ୍ ବି ସ୍ଥାପନ କରାଯିବ ।

ଅଧିକ ପଢ଼ନ୍ତୁ: ଏୟାରପୋର୍ଟ ଭଳି ଦିଶିବ ଭୁବନେଶ୍ୱର ରେଲ୍‌ୱେ ଷ୍ଟେସନ

ଷ୍ଟେସନ ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ଥର ଅବସରରେ ରାଜ୍ୟ ସରକାରଙ୍କ କେନ୍ଦ୍ରୀୟ ଅବହେଳା ଅଭିଯୋଗର ଜବାବ ଦେଇଛନ୍ତି ମନ୍ତ୍ରୀ ବୈଷ୍ଣବ । ୟୁପିଏ ଅମଳରେ ଓଡିଶାରେ ରେଳ ବିକାଶ ଲାଗି ମାତ୍ର ୮ ଶହ କୋଟି ମିଳୁଥିଲା । ଏବେ ୧୦ ହଜାର କୋଟି ମିଳୁଛି । ଆଗରୁ ବର୍ଷକୁ ୨୦ରୁ ୩୦ କିଲୋମିଟର ନୂଆ ରେଳପଥ ନିର୍ମାଣ ହେଉଥିବା ବେଳେ ଏବେ ୩ଶହ କିଲୋମିଟର ନିର୍ମାଣ ହେଉଛି । ତେବେ ରେଳ ବିକାଶରେ ଜମି ଅଧିଗ୍ରହଣକୁ ମୁଖ୍ୟ ସମସ୍ୟା ଦର୍ଶାଇ ରାଜ୍ୟ କୋର୍ଟକୁ ବଲ ଫିଙ୍ଗିଛନ୍ତି ବୈଷ୍ଣବ ।

ରାଜ୍ୟ ସରକାର ଯେତେ ଶୀଘ୍ର ଜମି ଦେବେ ସେତେ ଶୀଘ୍ର କାମ ହେବ ବୋଲି କହିଛନ୍ତି ବୈଷ୍ଣବ । ସେହିପରି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ନେଇ ବି ରାଜ୍ୟ ସରକାରଙ୍କୁ ହିସାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଏପଟେ ଜମି ଦେବାରେ ରାଜ୍ୟ ସରକାର ଆଦୌ ଅବହେଳା କରୁନାହାନ୍ତି, କେନ୍ଦ୍ରମନ୍ତ୍ରୀ ମିଛ ନକହି କାମ କରାନ୍ତୁ ବୋଲି କହିଛି ବିଜେଡି ।

ରେଳମନ୍ତ୍ରୀ ଆଜି ପୁରୀ-ଜଳେଶ୍ୱର ମେମୁ ଟ୍ରେନର ଶୁଭାରମ୍ଭ କରିଛନ୍ତି । ବାଲେଶ୍ୱର କୁ ଏହା ହେବ ଦ୍ୱିତୀୟ ପାସେଞ୍ଜର ଟ୍ରେନ । ସେହିପରି ରାମାୟଣ ଏକ୍ସପ୍ରେସ ଭଳି ଓଡ଼ିଶା ଜଗନ୍ନାଥ ସର୍କିଟ ଟ୍ରେନ୍ ଚଲାଇବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବୈଷ୍ଣବ ସୂଚନା ଦେଇଛନ୍ତି । ଖୁବ ଶୀଘ୍ର ଭଦ୍ରକ କୁ ସ୍ୱତନ୍ତ୍ର ପାସେଞ୍ଜର ଟ୍ରେନ ଚାଲିବ ବୋଲି ମଧ୍ୟ ରେଳ ମନ୍ତ୍ରୀ, ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀଙ୍କ ଅନୁରୋଧ ରକ୍ଷା କରି ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ଭୁବନେଶ୍ୱର ସମେତ ଓଡିଶା ର ୩୬ଟି ଷ୍ଟେସନର ବିକାଶ ଲାଗି ବ୍ୟୟବରାଦ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।