• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେଡି ମନ୍ତ୍ରୀଙ୍କୁ ଜୋରଦାର ବିରୋଧ । ଏଠି ସେଠି ସବୁଠି ବିରୋଧ । କେଉଁଠି ମହିଳାମାନେ ଏକାଠି ହୋଇ ରାସ୍ତାରେ ମନ୍ତ୍ରୀଙ୍କୁ ଅଟକାଇ କୈଫତ ମାଗୁଛନ୍ତି ତ ଆଉ କେଉଁଠି ବିରୋଧୀ ଦଳର କର୍ମୀମାନେ ଏକାଠି ହୋଇ କଳାପତାକା ଦେଖାଉଛନ୍ତି । ତେବେ ଆଜି ଗୋଟିଏ ସ୍ଥାନରେ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ମହିଳାମାନେ ରାସ୍ତାରେ ଅଟକାଇ କୈଫତ ମାଗିଥିବା ବେଳେ ଅନ୍ୟ ଏକ ଘଟଣା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସହ ଘଟିଛି । ରଣେନ୍ଦ୍ର ପ୍ରତାପ ଏକ ବିରାଟ ରାଲି କରି ଯାଉଥିବା ବେଳେ ତାଙ୍କୁ କଳାପତାକା ଦେଖାଇଛନ୍ତି ବିରୋଧୀ ।

ସବୁଠୁ ବଡ଼ କଥା ହେଲା ଅତନୁଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ହି ହଟହଟ୍ଟାର ସମ୍ମୁଖୀନ ହେବାକୁ ପଡ଼ିଛି । ଗୁରୁବାର ଜମ୍ମୁଘାଟ ନିକଟରେ ସ୍ଥାନୀୟ ମହିଳାମାନେ ଏକାଠି ହୋଇ ମନ୍ତ୍ରୀ ଅତନୁଙ୍କ ଗାଡ଼ିକୁ ଅଟକାଇ ପ୍ରତିବାଦ କରିଥିଲେ । ଏହାସହ ଏକ ହତ୍ୟା ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଥିଲେ । କାହିଁକି ପୋଲିସ ଏଭଳି ନିରବଦ୍ରଷ୍ଟା ସାଜିଛି ବୋଲି ଅତନୁଙ୍କୁ ପ୍ରଶ୍ନ କରିଥିଲେ ମହିଳା । ମନ୍ତ୍ରୀଙ୍କ ଗାଡ଼ିକୁ ମହିଳାମାନେ ଛାଡ଼ି ନଥିବାରୁ ବାଧ୍ୟ ହୋଇ ଅତନୁ ଅନ୍ୟ ଏକ ଗାଡ଼ିରେ ନିଜ ଗନ୍ତବ୍ୟସ୍ଥଳକୁ ଯାଇଥିଲେ ।

ସେପଟେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କଳା ପତାକା ପ୍ରଦର୍ଶନ କରିଛନ୍ତି କଂଗ୍ରେସ କର୍ମୀ । ରଣେନ୍ଦ୍ରଙ୍କୁ ମଧ୍ୟ ତାଙ୍କରି ନିର୍ବାଚନ ମଣ୍ଡଳୀରେ କଳା ପତାକା ପ୍ରଦର୍ଶନ କରାଯାଇଛି । କଟକ ଆଠଗଡ଼ ବସଷ୍ଟାଣ୍ଡ ଉଦଘାଟନ କାର୍ଯ୍ୟକ୍ରମକୁ ଯାଇଥିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ଓ ମନ୍ତ୍ରୀ ଉଷା ଦେବୀ । ତେବେ ଏହାକୁ ବିରୋଧ କରି ନାରାବାଜି ଦେବା ସହ କଳା ପତାକା ଦେଖାଇଥିଲେ ବିରୋଧୀ ।

ତେବେ ଏହାର ଦିନକ ପୂର୍ବରୁ ମନ୍ତ୍ରୀ ରୀତା ସାହୁଙ୍କୁ ବି ବିରୋଧ କରାଯାଇଥିଲା । ସେହିପରି ପ୍ରମିଳା ମଲ୍ଲିକଙ୍କୁ ମଧ୍ୟ ଲୋକେ ଡାଲି ଚୋରଣୀ କହି ବିରୋଧ କରିଥିବା ଭିଡିଓ ଭାଇରାଲ ହେଉଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏବଂ ଏପଟେ ଧାମନଗର ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ରାଜ୍ୟରେ ତିନି ପ୍ରମୁଖ ରାଜନୈତିକ ଦଳ ଏବେ ପୁରା ଆକ୍ଟିଭ । ଜୁଆଡ଼େ ଦେଖିବ ଖାଲି ରାଜନୈତିକ ଉଷ୍ଣତା ।