• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପଦ୍ମପୁର ଉପନିର୍ବାଚନକୁ ନେଇ ଆରମ୍ଭ ହେଲାଣି ପାଗ ଭିଡ଼ା । ବିଜେପି, ବିଜେଡି ଏବଂ କଂଗ୍ରେସ ନିଜ ନିଜ ଯୋଦ୍ଧାକୁ ପ୍ରସ୍ତୁତ କରିବାକୁ ଲାଗିପଡ଼ିଲେଣି । ବିଜେଡି ଏହି ଉପନିର୍ବାଚନ ପାଇଁ ବାଣ୍ଟିଛି ଦାୟିତ୍ୱ । ଧାମନଗର ଝଟକା ପରେ ଏବେ ପଦ୍ମପୁର ଉପନିର୍ବାଚନ ପାଇଁ ବଦଳିଲା ବିଜେଡିର ଷ୍ଟ୍ରାଟେଜି । ବାହାର ନେତାଙ୍କୁ ଛାଡ଼ି ଏଥର ସ୍ଥାନୀୟ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । 

ପ୍ରସନ୍ନ ନିର୍ବାଚନ ପ୍ରଚାର ଓ ପରିଚାଳନା ଦାୟିତ୍ୱ ସମ୍ଭାଳିବେ । ତାସହ ତିନି ମନ୍ତ୍ରୀଙ୍କୁ ତିନି ବ୍ଲକ ଦାୟିତ୍ୱ ଦିଆଯାଇଛି । ପଦ୍ମପୁର ପାଇଁ ନିରଞ୍ଜନ ପୂଜାରୀ, ପାଇକମାଳ ପାଇଁ ମନ୍ତ୍ରୀ ନବ ଦାସ ଏବଂ ଝାରବନ୍ଧ ବ୍ଲକ ପାଇଁ ରାଜେନ୍ଦ୍ର ଢୋଲକିଆଙ୍କୁ ଦାୟିତ୍ୱ ଦିଆଯାଇଛି । ତାସହ ବିଭିନ୍ନ ଜୋନ ଦାୟିତ୍ୱରେ ରହିବେ ପଶ୍ଚିମ ଓଡ଼ିଶା ବିଭିନ୍ନ ନେତା । ମନ୍ତ୍ରୀ ଟୁକୁନି ସାହୁ,ଦେବେଶ ଆଚାର୍ଯ୍ୟ,ସ୍ନେହାଙ୍ଗିନୀ ଛୁରିଆ, ରିତା ସାହୁ,ସରୋଜ ମେହେର ,ପୁଷ୍ପେନ୍ଦ୍ର ସିଂ ଦେଓଙ୍କୁ ନିର୍ବାଚନ ଦାୟିତ୍ୱ ଦିଆଯାଇଛି ।

ସେପଟେ ଧାମନଗର ଭଳି ଅଧିକ ଶକ୍ତିଶାଳୀ ଓ ଅଧିକ ବଳ ଲଗାଇ ନିର୍ବାଚନ ଲଢ଼ିବ ବିଜେପି । ଦଳର ସାଧାରଣ ସଂପାଦକ ପୃଥ଼୍ୱୀରାଜ ହରିଚନ୍ଦନ କହିଛନ୍ତି, ଖୁବ ଶୀଘ୍ର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଓ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଆସିବେ । ପ୍ରାଥମିକ ସ୍ତରରେ ଦଳର ତିନି ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ହେଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ନିର୍ବାଚନ ବେଳେ ସମସ୍ତ ବିଧାୟକ ସମେତ ପଶ୍ଚିମ ଓଡ଼ିଶାର ନେତାଙ୍କୁ ସେଠାରେ ରହିବାକୁ କୁହାଯାଇଛି । କଂଗ୍ରେସ ବି ବିଭିନ୍ନ ଜୋନ୍‌ରେ ନିଜ ନେତାଙ୍କୁ ଦାୟିତ୍ୱ ଦେଇଛି । କଂଗ୍ରେସ ନିର୍ବାଚନ ଜିତିବ ବୋଲି କହିଛନ୍ତି ସନ୍ତୋଷ ସିଂ ସାଲୁଜା ।