• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସରକାରୀ ବାବୁଙ୍କ ଉପରେ କଟକଣା କଷିଲେ ମୁଖ୍ୟ ସଚିବ । ଆଉ ଏପଟେ ତେଜିଲା ରାଜନୀତି । ଅଫିସରଙ୍କୁ ନେଇ ଲବି କିଛି ନୂଆ ନୁହେଁ । ନିର୍ବାଚନ ମଣ୍ଡଳୀ ବିକାଶ ସହ ବିଭାଗୀୟ କାମକୁ ତ୍ୱରିତ କରିବାକୁ ଦକ୍ଷ ଅଫିସରଙ୍କ ପାଇଁ ଜନପ୍ରତିନିଧିମାନେ ସୁପାରିସ କରିଥାନ୍ତି । ଏହାକୁ ନେଇ ଅଧିକ କଟକଣା ଲଗାଇବା ଅନୁଚିତ୍ ବୋଲି ଏକ ସ୍ୱରରେ କହିଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ । ତେବେ ବଦଳି ଓ ପୋଷ୍ଟିଂ ପାଇଁ ଚାପ ପକାଇଲେ ସରକାରୀ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳତାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ସଚିବ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାକୁ ସମର୍ଥନ କରିଛନ୍ତି ପୂର୍ବତନ ପ୍ରଶାସକ ।

ବାବୁ ବନାମ ନେତା । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶକୁ ନେଇ ତେଜିଲା ରାଜନୀତି । ବଦଳି ପାଇଁ ସରକାରୀ କର୍ମଚାରୀ ଚାପ ନପକାଇବାକୁ ଗତକାଲି ମୁଖ୍ୟ ଶାସନ ସଚିବ ସବୁ ବିଭାଗୀୟ ସଚିବ ଓ ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଯେଉଁଥିରେ ସେ ଉଲ୍ଲେଖ କରିଥିଲେ, ଅନେକ ସରକାରୀ କର୍ମଚାରୀ ବଦଳି ଓ ନିଯୁକ୍ତି ପାଇଁ ଚାପ ପକାଉଥିବା ନଜରକୁ ଆସିଛି । ଏହା ସରକାରୀ କର୍ମଚାରୀ ଆଚରଣ ନିୟମାବଳୀ ବା ସର୍ଭିସ୍ କଣ୍ଡକ୍ଟ ରୁଲସ୍ କୁ ଉଲ୍ଲଂଘନ କରୁଛି ।

ଯଦି ବଦଳି ଓ ପୋଷ୍ଟିଂ ପାଇଁ ସରକାରୀ କର୍ମଚାରୀ ଚାପ ପକାନ୍ତି ତେବେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ । ଏହି ନିଷ୍ପତ୍ତି ବିରୋଧରେ ବାହାରିଛନ୍ତି ଜନ ପ୍ରତିନିଧି । ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ସବୁ ଜନ ପ୍ରତିନିଧି ଚାହାନ୍ତି ଦକ୍ଷ ଅଫିସରଙ୍କୁ ନେଇ କାମ କରିବାକୁ । ଏନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବି ରହିଛି ।

ବିଜେଡି କହିଛି ବଦଳି ଓ ନିଯୁକ୍ତିରେ ଜନ ପ୍ରତିନିଧିଙ୍କ ହସ୍ତକ୍ଷେପ କିଛି ନୂଆ ନୁହେଁ । ଲୋକଙ୍କ ସେବା ଲାଗି ଜନ ପ୍ରତିନିଧିମାନେ କିଛି ଦକ୍ଷ ଅଫିସରଙ୍କୁ ପାଖରେ ରଖିବାକୁ ଚାହାଁନ୍ତି । କଂଗ୍ରେସ ମଧ୍ୟ ବିଜେପି ଓ ବିଜେଡି ସହ ସ୍ୱର ମିଶାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି, ସରକାରୀ କର୍ମଚାରୀ ନିଯୁକ୍ତି ଓ ବଦଳି ପାଇଁ ଚାପ ପକାଇବାକୁ କାହାଠାରୁ ସାହସ ପାଉଛନ୍ତି ?

ରାଜନୈତିକ ବ୍ୟକ୍ତିଙ୍କ ବଳରେ ବଳୀୟାନ ହେଉଛନ୍ତି କି କର୍ମଚାରୀ ? ମାତ୍ରାଧିକ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ଅତିଷ୍ଠ ହୋଇଗଲେ କି ମୁଖ୍ୟ ସଚିବ ? ତେବେ ପୂର୍ବତନ ପ୍ରଶାସକ, ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶକୁ ସମର୍ଥନ କରିଛନ୍ତି । ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ପାଇଁ ରାଜନୈତିକ ହସ୍ତକ୍ଷେପ ବାଦ୍ ଅନେକ ସ୍ଥାନରେ ପ୍ରଶାସକମାନେ ମଧ୍ୟ ନିଜ ପସନ୍ଦ ମୁତାବକ କର୍ମଚାରୀଙ୍କୁ ବିଭାଗରେ ରଖିବାକୁ ଚାହିଁଥାନ୍ତି । ଆଉ କିଛି କ୍ଷେତ୍ରରେ କର୍ମଚାରୀମାନେ ବି ବିଭିନ୍ନ ଦିଗରୁ ଲବି କରି ମନପସନ୍ଦର ବଦଳି ଓ ପୋଷ୍ଟିଂ ପାଇଁ ପ୍ରୟାସ କରିଥାନ୍ତି ।

ପ୍ରଶାସନିକ ବ୍ୟବସ୍ଥାରେ ଦୁର୍ନୀତି କମାଇବା ସହ ସ୍ୱଚ୍ଛତା ଆଣିବା ପାଇଁ ରାଜନୈତିକ ହସ୍ତକ୍ଷେପରୁ ସରକାରୀ କର୍ମଚାରୀଙ୍କୁ ଦୂରରେ ରଖିବାକୁ ନିୟମ ରହିଛି । ତେବେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶକୁ ନେଇ ରାଜନୀତି ତେଜିବା ଘଟଣାକୁ ଭିନ୍ନ ମୋଡ଼ ଦେଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now