• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅଲବିଦା ନବ କିଶୋର ଦାସ । ଓଡ଼ିଶା ରାଜନୀତିର ବହୁ ଚର୍ଚ୍ଚିତ ଏବଂ ପାୱାରଫୁଲ ରାଜନେତା । ୨୦୦୯ରୁ କ୍ରମାଗତ ଭାବେ ରାଜ୍ୟ ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସେ । ଆସନ୍ତୁ ଜାଣିବା ନବ କିଶୋର ଦାସଙ୍କ ପଲିଟିକାଲ କ୍ୟାରିୟର ସଂପର୍କରେ କିଛି . . .

ଓଡ଼ିଶା ରାଜନୀତିର ଅନ୍ୟତମ ତୁଙ୍ଗନେତା ନବ କିଶୋର ଦାସ । ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡ଼ିରେ ସାମିଲ ହେବା ପରଠୁ ପାୱାରଫୁଲ ରାଜନେତା ଭାବେ ଜଣାଶୁଣା ।୨୦୦୯ରୁ କ୍ରମାଗତ ଭାବେ ୩ ଥର ଝାରସୁଗୁଡ଼ାରୁ ବାଜି ମାରିଛନ୍ତି ରାଜ୍ୟର ଅନ୍ୟତମ ଏହି ଧନଶାଳୀ ନେତା ।

୧୯୬୨, ଜାନୁୟାରୀ ୭ ତାରିଖରେ ଜନ୍ମିତ ନବ ଦାସ ମୂଳତଃ ସମ୍ବଲପୁରର ବାସିନ୍ଦା । ସେ ଆଇନ ଏବଂ ବାଣିଜ୍ୟ ବିଭାଗର ଛାତ୍ର ଥିଲେ ବି ରାଜନୀତି ପ୍ରତି ଥିଲା ତାଙ୍କର ଅହେତୁକ ଆଗ୍ରହ । ୮୦ ଦଶକରେ ଜିଏମ୍ କଲେଜ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ସମୟରେ ଛାତ୍ର ରାଜନୀତିରେ ସକ୍ରିୟ ଥିଲେ ଏବଂ କଂଗ୍ରେସ ସହ ଜଡ଼ିତ ଥିଲେ । ବାଣିଜ୍ୟ ଛାତ୍ର ହୋଇଥିବାରୁ ବ୍ୟାବସାୟ ପ୍ରତି ରୁଚି ରଖିବା ସହ ତାଙ୍କ ପରିବାର ଟ୍ରାନ୍ସପୋର୍ଟ ବିଜନେସ୍ ସହ ସଂପୃକ୍ତ । ୨୦୦୨ରେ ସମ୍ବଲପୁର ରୁ ଝାରସୁଗୁଡ଼ା କୁ ଆସି ୨୦୦୪ରେ ପ୍ରଥମ ଥର ପାଇଁ କଂଗ୍ରେସ ଟିକଟରେ ଲଢ଼ିଥିଲେ ପ୍ରତ୍ୟକ୍ଷ ନିର୍ବାଚନ । କିନ୍ତୁ ବିଜେଡ଼ି ର କିଶୋର ମହାନ୍ତିଙ୍କ ଠାରୁ ପରାଜିତ ହେବାକୁ ପଡ଼ିଥିଲା ତାଙ୍କୁ । ଏହାପରେ ୨୦୦୯ରେ କଂଗ୍ରେସ ଟିକଟରେ ନିକଟତମ ପ୍ରତିନ୍ଦ୍ୱନ୍ଦୀଙ୍କଠାରୁ ୨୨ ହଜାର ୫୧୬ ଖଣ୍ଡ ଅଧିକ ଭୋଟ୍ ପାଇ ବିଜୟୀ ହେବା ସହ ପ୍ରଥମ ଥର ପାଇଁ ବନିଥିଲେ ବିଧାୟକ ।

ଅଧିକ ପଢ଼ନ୍ତୁ: ମନ୍ତ୍ରୀଙ୍କୁ ଗୁଳିମାଡ଼ ନେଇ ରାଜ୍ୟ ସାରା ହଇଚଇ, ବିନ୍ଦୁ ବିସର୍ଗ ବି ଜାଣିପାରିଲାନି ଗୋଇନ୍ଦା ବିଭାଗ ?

ପୁଣି ଥରେ ୨୦୧୪ରେ ବିଜେଡ଼ି ପ୍ରାର୍ଥୀ କିଶୋର ମହାନ୍ତିଙ୍କୁ ୧୧ ହଜାରରୁ ଅଧିକ ଭୋଟରେ ପରାଜୟ କରି ବାଜି ମାରିଥିଲେ । କିନ୍ତୁ ପରବର୍ତ୍ତି ସମୟରେ ୨୦୧୯ ଜାନୁୟାରୀ ୧୬ ତାରିଖରେ କଂଗ୍ରେସରୁ ଇସ୍ତଫା ଦେଇ ସେହି ଜାନୁୟାରୀ ୨୮ରେ ବିଜେଡ଼ିରେ ଯୋଗଦେଇଥିଲେ । ୬୧ ବର୍ଷିୟ ନବ ଦାସ ୨୦୧୯ରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ହୋଇଛନ୍ତି । ତାଙ୍କ ଅମଳରେ କୋଭିଡ୍ ପରିଚାଳନା ସହ ରାଜ୍ୟର ବିଭିନ୍ନ ମେଡ଼ିକାଲ୍ ଗୁଡ଼ିକର ଭିତ୍ତିଭୂମିର ବିକାଶ ସବୁଠୁ ବଡ଼ ଚାଲେଞ୍ଜ ଭାବେ ମୁଣ୍ଡ ଟେକିଥିଲା ।

ସ୍ନାତକୋତ୍ତର ସହ ଆଇନରେ ଡିଗ୍ରୀ ହାସଲ କରିଥିବା ନବ ଦାସ କଂଗ୍ରେସରେ ଥିବାବେଳେ PCCର ସାଧାରଣ ସମ୍ପାଦକ ଏବଂ AICC ସଦସ୍ୟ ବି ଥିଲେ । ତେବେ ୨୦୧୯ରୁ ବିଜେଡିରେ ସାମିଲ ହୋଇ ଏବଂ ବିଜୟ ଲାଭ କରି ଦଳର ପାୱାରଫୁଲ ନେତା ଭାବେ ପରିଚିତ ନବ ଦାସ । ଗତ କିଛିଦିନ ତଳେ ମହାରାଷ୍ଟ୍ରର ଶନି ଶିଙ୍ଗନାପୁର ମନ୍ଦିରକୁ ଯାଇ ସୁବର୍ଣ୍ଣ କଳସ ଦାନ କରି ଚର୍ଚ୍ଚାକୁ ଆସିଥିଲେ ସେ । ସୁନା କଳସର ମୂଲ୍ୟ ପ୍ରାୟ ଏକ କୋଟି ବୋଲି ଚର୍ଚ୍ଚା ହେଉଛି । ୧ କେଜି ୭ଶହ ଗ୍ରାମର ସୁନା ସହ ୫କେଜି ରୂପାରେ ନିର୍ମିତ କଳସ ସେ ଦାନ କରିଥିଲେ ମନ୍ଦିରକୁ ।

ନବ କହିଥିଲେ ଶନି ଠାକୁରଙ୍କ ପାଖରେ ତୈଳ ଲାଗି ପାଇଁ ଗଡୁ ଓ ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ସପ୍ତାହେ ତଳର ଏହି ଘଟଣା ପରେ ଗତକାଲି ଜଣେ ପୋଲିସ କର୍ମଚାରୀଙ୍କ ଦ୍ୱାରା ଗୁଳିକାଣ୍ଡର ଶୀକାର ହୋଇଥିଲେ ନବ ଦାସ ।