• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଉ ୨ ଦିନ ପରେ ନୂଆ ସଂସଦ ଭବନର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ଇତିହାସରେ ଯୋଡ଼ିହେବ ନୂଆ ଅଧ୍ୟାୟ । ଏଭଳି ଐତିହାସିକ ମୁହୂର୍ତ୍ତକୁ ସାରା ଦେଶ ଅପେକ୍ଷା କରିଥିବା ବେଳେ, ଏହାକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି କଂଗ୍ରେସ ସମେତ ପ୍ରାୟ ୨୦ଟି ବିରୋଧୀ ଦଳ । ତେବେ ବିଜେପି ନେତୃତ୍ୱାଧୀନ NDA ପ୍ରେସ ରିଲିଜ ଜାରି କରି ବିରୋଧୀଙ୍କୁ ଦୋମୁହାଁ ବୋଲି କହିବା ସହିତ, ସେମାନଙ୍କ ଦ୍ୱାରା ଗଣତନ୍ତ୍ରର ଅପମାନକୁ ୧୪୦ କୋଟି ଭାରତୀୟ କଦାପି ଭୁଲିବେ ନାହିଁ ବୋଲି କହିଛି ।

କିଏ କରୁଛି ଗଣତନ୍ତ୍ରର ଅପମାନ ? ଶାସକ ଦଳ ନା ମିଳିତ ବିରୋଧୀ ? ନୂଆ ସଂସଦ ଭବନର ଲୋକାର୍ପଣ ରାଷ୍ଟ୍ରପତିଙ୍କ ଦ୍ୱାରା କରାନଯିବାକୁ ନେଇ ଗତକାଲି କଂଗ୍ରେସ ସମେତ ୧୯ଟି ବିରୋଧୀ ଦଳ ଏହି ଉତ୍ସବ ବର୍ଜନ କରିବେ ବୋଲି ଜାରି କରିଥିଲେ ମିଳିତ ବିବୃତି । ଆଉ ଏହାକୁ କାଉଣ୍ଟର କରି ବିଜେପି ନେତୃତ୍ୱାଧୀନ NDA ପକ୍ଷରୁ ଜାରି ହୋଇଛି ପ୍ରେସ ବିଜ୍ଞପ୍ତି ।

ଅଧିକ ପଢ଼ନ୍ତୁ: ସେଙ୍ଗୋଲ କ’ଣ ? କାହିଁକି ଏହାକୁ ଦିଆଯାଉଛି ଏତେ ଗୁରୁତ୍ୱ ? କ’ଣ ରହିଛି ଇତିହାସ ?

ଉଭୟ ପକ୍ଷରୁ ପରସ୍ପର ବିରୋଧରେ ଗଣତନ୍ତ୍ରର ଅପମାନ ବା ଅବମାନନା ଆରୋପ ଲଗାଯାଇଛି । NDA ପ୍ରେସ୍ ବିବୃତିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ସମେତ ୧୩ଟି ଦଳର ନେତାଙ୍କ ନାଁ ରହିଛି । ବିରୋଧୀଙ୍କ ବର୍ଜନକୁ ଏଥିରେ କଡ଼ା ଭର୍ତ୍ସନା କରାଯିବା ସହିତ, ସେମାନଙ୍କର ଦୋମୁହାଁ ନୀତିର ସୀମା ନାହିଁ ବୋଲି କୁହାଯାଇଛି ।

ଯେଉଁମାନେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱତନ୍ତ୍ର GST ଅଧିବେଶନ ବର୍ଜନ କରିଥିଲେ, ତାଙ୍କୁ ଭାରତ ରତ୍ନ ପ୍ରଦାନ ସମାରୋହରେ ଯୋଗ ଦେଇନଥିଲେ, ରାମନାଥ କୋବିନ୍ଦ ରାଷ୍ଟ୍ରପତି ହେବା ପରେ ବହୁ ବିଳମ୍ବରେ ତାଙ୍କୁ ସୌଜନ୍ୟମୂଳକ ଫୋନ୍ କଲ୍ କରିଥିଲେ ଏବଂ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥିତ୍ୱକୁ ବିରୋଧ କରିଥିଲେ, ସେମାନେ ସଂସଦୀୟ ଶିଷ୍ଟାଚାର ଓ ସାମ୍ବିଧାନିକ ମୂଲ୍ୟବୋଧ ସଂପର୍କରେ ପ୍ରବଚନ ଦେବା ହାସ୍ୟାସ୍ପଦ ବୋଲି NDA ପକ୍ଷରୁ କୁହାଯାଇଛି ।

ନୂଆ ସଂସଦ ଭବନ ଲୋକାର୍ପଣ ଉତ୍ସବକୁ ବର୍ଜନ ପ୍ରସଙ୍ଗରେ ବିରୋଧୀଙ୍କୁ ପରୋକ୍ଷରେ କଡ଼ା ସମାଲୋଚନା କରିଛନ୍ତି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଷ୍ଟ୍ରେଲିଆ ଗସ୍ତ ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, ସିଡନୀରେ ଆୟୋଜିତ କାର୍ଯ୍ୟକ୍ରମରେ କେବଳ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଉପସ୍ଥିତ ନଥିଲେ । ସେଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ବିରୋଧୀ ଦଳର ସାଂସଦମାନେ ମଧ୍ୟ ସାମିଲ ହୋଇଥିଲେ। ଶାସକ ଓ ବିରୋଧୀ ଏକାଠି ବସି ଦେଶର ସମ୍ମାନ ରଖିଛନ୍ତି ଏବଂ ଏହାହିଁ ଗଣତନ୍ତ୍ରର ଶକ୍ତି ବୋଲି କହିଛନ୍ତି ମୋଦି ।

ଆଉ ୨ ଦିନ ପରେ ନୂଆ ସଂସଦ ଭବନର ଲୋକାର୍ପଣ । ଏହି ଉତ୍ସବରେ ପ୍ରାୟ ୨୧ଟି ବିରୋଧୀ ଦଳ ଯୋଗ ଦେବେ ନାହିଁ ବୋଲି କହିଥିବା ବେଳେ, ଏଥିରେ ବହୁ ରାଜନୈତିକ ଦଳ ଯୋଗଦେବେ ବୋଲି ସ୍ପଷ୍ଟ କରିସାରିଛନ୍ତି । NDAରେ ଥିବା ସମସ୍ତ ଦଳ ବ୍ୟତୀତ ବିଜେଡି, YSR କଂଗ୍ରେସ୍, ଶିରୋମଣି ଅକାଳୀ ଦଳ, ତେଲୁଗୁ ଦେଶମ ପାର୍ଟି, ଶିବସେନା ସମେତ ପ୍ରାୟ ୧୫ରୁ ଅଧିକ ଦଳ ଏଥିରେ ଯୋଗଦେବେ। ତେଣେ BSP ମୁଖ୍ୟ ମାୟାବତୀ ବିରୋଧୀଙ୍କ ବର୍ଜନକୁ ଅନୁଚିତ ବୋଲି କହିଛନ୍ତି, ହେଲେ ସେ ଏଥିରେ ଯୋଗ ଦେଇପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ତେଣେ କଂଗ୍ରେସ ଭିତରେ ବି ବର୍ଜନ ଆଭିମୁଖ୍ୟକୁ ନେଇ ଦେଖାଦେଇଛି ବିରୋଧାଭାସ । କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣକୁ ସମର୍ଥନ କରିବା ସହିତ ପଚାରିଛନ୍ତି ଯେ, ଏହାକୁ ଭାରତର ପ୍ରଧାନମନ୍ତ୍ରୀ କରିବେନି ତ କଣ ପାକିସ୍ତାନର ପ୍ରଧାନମନ୍ତ୍ରୀ କରିବେ ?

ତେଣେ ସଂସଦ ଭବନ ଲୋକାର୍ପଣ ଉତ୍ସବକୁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯାଉ ବୋଲି ଦାବି କରି ସୁପ୍ରିମକୋର୍ଟରେ ପିଟିସନ୍ ଦାୟର ହୋଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now