Pandian Returns: ନବୀନ ନିବାସରେ ପାଣ୍ଡିଆନଙ୍କୁ ଭେଟୁଛନ୍ତି ବିଜେଡି ନେତା, ପୁଣି ଆଗ ଭଳି…

ସେ ନବୀନ ନିବାସରେ ହିଁ ଦଳର ନେତାମାନଙ୍କୁ ଭେଟୁଛନ୍ତି । ଦଳର ରଣନୀତି ତିଆରି କରୁଛନ୍ତି । କିନ୍ତୁ ଆଗକୁ ଆସୁନାହାନ୍ତି । ପରଦା ପଛରେ ରହି ସେ ହିଁ ବିଜେଡି ନେତାଙ୍କୁ ପରାମର୍ଶ ଦେଉଥିବା ଓ ପ୍ରେସମିଟରେ କିଏ କ’ଣ ଓ କେଉଁ ପ୍ରସଙ୍ଗରେ କହିବେ, ତାହା ସ୍ଥିର କରୁଥିବା ଆଲୋଚନା ହେଉଛି ।

ପୁଣି ଚର୍ଚ୍ଚାରେ ପାଣ୍ଡିଆନ୍

ଦୀର୍ଘ ଦିନର ନୀରବତା ପରେ ପୁଣି ବିଜେଡିରେ ଫେରିଛି ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ଦବଦବା । ଏବେ ବିଜେଡି ନେତାମାନେ ଯାଇ କୁଆଡେ ତାଙ୍କୁ ଭେଟୁଛନ୍ତି । ସେ ଆଗ ଭଳି ବିଜେଡି ନେତାଙ୍କୁ ସବୁ କଥାରେ ପରାମର୍ଶ ଦେବା ଆରମ୍ଭ କଲେଣି । ବିଜେଡିର ଅନେକ ନେତା ଏହା କହୁଥିଲେ ବି ଖୋଲାଖୋଲି ଗଣମାଧ୍ୟମରେ କହିପାରୁନାହାନ୍ତି । କିନ୍ତୁ ଏହାକୁ ସ୍ୱୀକାର କରୁଛନ୍ତି । ଗତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ରାଜନୀତିରୁ ସନ୍ନ୍ୟାସ ନେଇଥିବା ପାଣ୍ଡିଆନ୍ ରାଜନୀତିକୁ ଛାଡିପାରୁନଥିବା ଚର୍ଚ୍ଚା ହେଉଛି । ତେଣୁ ସେ ଆଗକୁ ଆସୁନଥିଲେ ମଧ୍ୟ ନେପଥ୍ୟରେ ଗୋଟିଚାଳନା କରୁଛନ୍ତି । 

ନିର୍ବାଚନ ପରେ ଗୋଟିଏ ଧାରଣା ସୃଷ୍ଟି ହୋଇଥିଲା, ପ୍ରଶାସକରୁ ରାଜନେତା ବନିଥିବା ପାଣ୍ଡିଆନ୍ ହିଁ ଦଳର ପରାଜୟ ପାଇଁ ଦାୟୀ । ବିଜେଡିର କିଛି ନେତା ମଧ୍ୟ ଏ କଥା ବିଭିନ୍ନ ସଭାସମିତିରେ କହିବାକୁ ପଛାଇନଥିଲେ । କିନ୍ତୁ ଦଳର ମୁଖିଆ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହାକୁ ଗ୍ରହଣ କରିନଥିଲେ । ବରଂ ସେ ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେଇଥିଲେ । ନିର୍ବାଚନ ପୂର୍ବରୁ ନବୀନଙ୍କ ପାଖେ ପାଖେ ଛାଇଭଳି ରହୁଥିଲେ ପାଣ୍ଡିଆନ୍ । ଏମିତି କୌଣସି ସଭା ନଥିଲା ଯେଉଁଠି ନବୀନ ଥିଲେ ଆଉ ପାଣ୍ଡିଆନ୍ ନଥିଲେ । 

ଏପରିକି ନବୀନଙ୍କ ନାଁରେ ସାରା ରାଜ୍ୟ ହେଲିକପ୍ଟରରେ ବୁଲୁଥିଲେ । ନବୀନ ପଟ୍ଟନାୟକ ପଠାଇଛନ୍ତି କହି ବଡ଼ ବଡ଼ ନିର୍ବାଚନୀ ସଭା କରୁଥିଲେ । ସଭାସମିତିରେ ଲୋକଙ୍କୁ ଉଦବୋଧନ ଦେଉଥିଲେ । ଦଳ ନିଶ୍ଚିତ ଭାବେ ଜିତି ସରକାର କରିବ ବୋଲି କହୁଥିଲେ । ଦଳ ନଜିତିଲେ ସେ ନିଜେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ବାହାସ୍ଫୋଟ ମାରୁଥିଲେ । ଦଳ ହାରିଯାଇ କ୍ଷମତାଚ୍ୟୁତ ହେବା ପରେ ପାଣ୍ଡିଆନ ନିଜ କଥା ରକ୍ଷା କରି ସନ୍ନ୍ୟାସ ନେଇଥିବା କହିଥିଲେ ସାମାଜିକ ଗଣମାଧ୍ୟମରେ । ତା’ପରଠୁ ଦଳର କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ଆଉ ଦେଖିବାକୁ ମିଳୁନାହିଁ । କିନ୍ତୁ ମିଳିଥିବା ତଥ୍ୟ ଅନୁଯାୟୀ, ସେ ନବୀନ ନିବାସରେ ହିଁ ଦଳର ନେତାମାନଙ୍କୁ ଭେଟୁଛନ୍ତି । ଦଳର ରଣନୀତି ତିଆରି କରୁଛନ୍ତି । କିନ୍ତୁ ଆଗକୁ ଆସୁନାହାନ୍ତି । ପରଦା ପଛରେ ରହି ସେ ହିଁ ବିଜେଡି ନେତାଙ୍କୁ ପରାମର୍ଶ ଦେଉଥିବା ଓ ପ୍ରେସମିଟରେ କିଏ କ’ଣ ଓ କେଉଁ ପ୍ରସଙ୍ଗରେ କହିବେ, ତାହା ସ୍ଥିର କରୁଥିବା ଆଲୋଚନା ହେଉଛି । ଏବେ ପାଣ୍ଡିଆନ ଦଳରେ ସକ୍ରିୟ ହେବା ପରେ ତାଙ୍କ କୋଟେରୀ ଗୋଷ୍ଠୀ ପୁଣି ସକ୍ରିୟ ହୋଇଥିବାର ଅନେକ ବିଜେଡି ନେତା କହୁଛନ୍ତି । 

ଅଧିକ ପଢ଼ନ୍ତୁ : ଅସମ୍ଭାଳ ହେଲାଣି କି ବିଜେଡି କନ୍ଦଳ ? ରାଜଧାନୀରେ ବରିଷ୍ଠ ଓ ଯୁବ ନେତାଙ୍କ ଅଲଗା ଅଲଗା ମେଳି

ଭି.କେ.ପାଣ୍ଡିଆନ୍ ଏବେ ବିଜେଡିରେ କୌଣସି ପଦପଦବୀରେ ନାହାନ୍ତି । ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ କାମ କରି ନିଜର ପତିଆରା ବଢାଇ ଚାଲିଥିଲେ । ୨୦୧୯ ପରେ ପରିସ୍ଥିତି ଏମିତି ହୋଇଥିଲା ଯେ, କୌଣସି ନେତା ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ଭେଟିପାରୁନଥିଲେ । ସମସ୍ତେ ପାଣ୍ଡିଆନଙ୍କ ଜରିଆରେ ନବୀନ ପଟ୍ଟନାୟକଙ୍କୁ ଭେଟୁଥିଲେ । ଏ କଥା ବିଜେଡିର ଅନେକ ନେତା ପୂର୍ବରୁ କହିସାରିଛନ୍ତି । ଜଣେ ଆଇଏଏସ୍ ଅଧିକାରୀ ହୋଇ ସେ ରାଜନେତାମାନଙ୍କୁ ନଚାଉଥିଲେ। ତାଙ୍କୁ ବିରୋଧ କରିବାର କାହାର ଜୁ ନଥିଲା । ଯିଏ ତାଙ୍କୁ ଆକ୍ଷେପ କରୁଥିଲେ, ସିଏ ବିଜେଡି ଛାଡିବାକୁ ବାଧ୍ୟ ହେଉଥିଲେ । ଏହି ଅଖଣ୍ଡ କ୍ଷମତା ଉପଭୋଗ କରୁଥିବା ପାଣ୍ଡିଆନ୍ ଚାକିରି ଛାଡି ସିଧାସଳଖ ରାଜନୀତିରେ ଯୋଗ ଦେଇଥିଲେ ।

ବିଜେଡିର ସର୍ବେସର୍ବା ପାଲଟି ଯାଇଥିଲେ । କିନ୍ତୁ ବିଜେପିର ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ପାଣ୍ଡିଆନଙ୍କ ସ୍ୱପ୍ନ ଧୂଳିସାତ୍ ହୋଇଗଲା । ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିବା ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାବାସୀ ବିରୋଧୀ ଦଳକୁ ପଠାଇଦେଲେ । ତା’ ପରଠାରୁ ପାଣ୍ଡିଆନଙ୍କୁ କୌଣସି ସର୍ବସାଧାରଣ ସ୍ଥାନରେ ଦେଖିବାକୁ ମିଳୁନଥିଲା । ପରେ ଗତ ନଭେମ୍ୱର ମାସରେ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଏକ ପାରିବାରିକ କାର୍ଯ୍ୟକ୍ରମରେ ଓ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଝିଅର ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପାଣ୍ଡିଆନ୍ । ଏହା ପରେ ଜଣାପଡିଥିଲା ଯେ, ସେ ବିଜେଡି ନେତାମାନଙ୍କ ସହ ସଂପର୍କରେ ରହିବାକୁ ଚାହୁଁଛନ୍ତି । ବିଜେଡିର ଅନେକ ନେତା ତାଙ୍କୁ ନବୀନ ନିବାସରେ ଭେଟୁଛନ୍ତି । କିଛି ନେତା ଏବେ କହିବା ଆରମ୍ଭ କଲେଣି, ପାଣ୍ଡିଆନ ହିଁ ସବୁକିଛି ବୁଝୁଛନ୍ତି । 

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦଳର ପରାଜୟ ପରେ ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଭାବେ ସଂତୃପ୍ତ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି । କର୍ପୋରେଟ୍ ଚାକିରି ଛାଡି ସଂତୃପ୍ତ ଗତ ନିର୍ବାଚନରେ କଟକ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିଲେ । ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କ ଠାରୁ ସେ ପରାସ୍ତ ହୋଇଛନ୍ତି । ରାଜନୀତିରେ ନୂଆ ନୂଆ ପାଦ ଥାପିଥିବା ସଂତୃପ୍ତଙ୍କୁ ରାଜନୈତିକ ସଚିବ ଭାବେ ଦାୟିତ୍ୱ ଦିଆଯିବା ପରେ ଏହାକୁ ନେଇ ଦଳ ଭିତରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଥିଲା । ସଂତୃପ୍ତଙ୍କୁ ବି ଦଳର କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନାହିଁ ବୋଲି କିଛି ବିଜେଡି ନେତା କହୁଛନ୍ତି । ପାଣ୍ଡିଆନଙ୍କ ସହ ତାଙ୍କର ଭଲ ସଂପର୍କ ଥିବାରୁ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବା ମଧ୍ୟ କେହି କେହି କହୁଛନ୍ତି । ଏ ସବୁ ଭିତରେ ପାଣ୍ଡିଆନ ପୁଣି ତାଙ୍କର ସେହି ପୁରୁଣା ଢାଞ୍ଚାକୁ ଫେରୁଛନ୍ତି । କିନ୍ତୁ ତଫାତ୍ ଏତିକି, ଆଗରୁ ସେ କିଛି ହାତଗଣତି ପ୍ରଶାସନିକ ଅଧିକାରୀଙ୍କୁ ଗୁରୁତ୍ୱ ଦେଇ କାମ କରୁଥିଲେ । ଏବେ ସେମାନେ ଆଉ ସାଙ୍ଗରେ ନାହାନ୍ତି । କିନ୍ତୁ ଯେଉଁ କେତେ ଜଣ ଯୁବନେତାଙ୍କୁ ସେ ବିଶ୍ୱାସକୁ ନେଉଥିଲେ, ସେଇମାନଙ୍କୁ ନେଇ ବୈଠକ କରୁଥିବା ଚର୍ଚ୍ଚା ହେଉଛି । ଏହା ଦ୍ୱାରା ଦଳର କିଛି ବରିଷ୍ଠ ଓ କନିଷ୍ଠ ନେତାଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବାରେ ଲାଗିଛି । ତେବେ ଏ ସଂପର୍କରେ ଭି.କେ. ପାଣ୍ଡିଆନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଅଧିକ ପଢ଼ନ୍ତୁ : ‘କର୍ପୋରେଟ ଚାନ୍ଦା ବନ୍ଦ ହେବାରୁ ଶଙ୍ଖ ଭବନରେ ଚାଲିଛି ରେଷ୍ଟୁରାଣ୍ଟ’