• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସ ରୁ ସତ୍ୟଭୂଷଣ ସାହୁ ପ୍ରାର୍ଥୀ ହେବା ପରେ ବିଜେଡିକୁ କିଏ ? ପଦ୍ମପୁର ଉପନିର୍ବାଚନ ପାଇଁ କାହା ଉପରେ ଭରସା କରିବ ଦଳ ? ଚର୍ଚ୍ଚାରେ ଏବେ ଅନେକ ନାଁ । ଦିବଂଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଧର୍ମପତ୍ନୀ ତିଳୋତ୍ତମା ସିଂ ବରିହାଙ୍କ ନାଁକୁ ନେଇ ପ୍ରଥମରୁ ଚର୍ଚ୍ଚା ହେଉଥିବା ବେଳେ ଏବେ ତାଙ୍କ ଦୁଇ ଝିଅଙ୍କ ନାଁ ସାମ୍ନାକୁୁ ଆସିଛି ।

ବିଜୟ ରଂଜନଙ୍କ ବଡ଼ଝିଅ ବର୍ଷାରାଣୀ କିମ୍ବା ସାନ ଝିଅ କାଦମ୍ବିନୀଙ୍କୁ ଟିକଟ୍ ମିଳିବା ନେଇ ପ୍ରକାଶ ପାଇଛି କଳ୍ପନା ଜଳ୍ପନା । ତେବେ ରେସ୍‌ରେ ଆଗରେ ଅଛନ୍ତି ବଡ଼ ଝିଅ ବର୍ଷା । ଅନ୍ୟପକ୍ଷରେ ନୂଆପଡା ଜିଲ୍ଲା ରେ କାର୍ଯ୍ୟରତ ଥିବା ସହକାରୀ ଜିଲ୍ଲାପାଳ ମହେନ୍ଦ୍ର ବଢେଇ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେବା ପରେ ସେ ବି ରେସ୍‌ରେ ଥିବା କୁହାଯାଉଛି । ସେପଟେ ପଦ୍ମପୁରର ଭିନ୍ନ ଭିନ୍ନ ବିଂଝାଲ ସମାଜର ପ୍ରତିନିଧି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ନବୀନ ନିବାସରେ ସାକ୍ଷାତ କରି ଆଲୋଚନା କରିଛନ୍ତି । ଆଉ ବରିହା ପରିବାରରୁ ହିଁ ଜଣକୁ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି ।

ଅଧିକ ପଢ଼ନ୍ତୁ: ପଦ୍ମପୁର ଉପନିର୍ବାଚନକୁ ନେଇ ଅଙ୍କକଷା ! 

ସେପଟେ ଉପନିର୍ବାଚନ ଯେତିକି ପାଖଉଛି ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପାଇଁ ଆନ୍ଦୋଳନ ସେତିକି ତୀବ୍ର ହେଉଛି । ବାଇ-ଇଲେକ୍ସନରେ ଏହାର ଏକ ବଡ଼ ପ୍ରଭାବ ପଡ଼ିବାର ଆଶଙ୍କା ଥିବା ଠଉରାଇ ଆଜି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ, ବିଧାୟକ ସୁଶାନ୍ତ ସିଂ ପ୍ରମୁଖ ଆନ୍ଦୋଳନ ସ୍ଥଳକୁ ଯାଇ ଆଲୋଚନା କରିଛନ୍ତି । ବିଜେଡି ଟିମ୍ ପୃଥକ ପୃଥକ ଭାବେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଓ ରାଜବୋଡାସମ୍ବର କୃଷକ ସଙ୍ଗଠନ ସହିତ ଆଲୋଚନା କରିଥିଲା । ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଥିଲା ।

ସେପଟେ ଜିଲ୍ଲା ଗଠନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ସହ ସକାରତ୍ମକ ଆଲୋଚାନ ହୋଇଥିବା ନେଇ ବିଜେଡିର ପ୍ରେସ୍ ରିଲିଜ୍ ଉପରେ ଆପତ୍ତି ଉଠାଇଥିଲା କ୍ରିୟାନୁଷ୍ଠାନ କମିଟି । କମିଟି ସ୍ପଷ୍ଟ କରିଛି ଯେ, ମୁଖ୍ୟମନ୍ତ୍ରୀଙ୍କ ସହ ସେମାନଙ୍କର କୌଣସି ଆଲୋଚନା ହୋଇନି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କଠାରୁ ଚିଠି ଆସିଲେ କମିଟି ଯାଇ ଆଲୋଚାନ କରିବେ ବୋଲି କୁହାଯାଇଛି । ସେପଟେ ଇନ୍‌ପୁଟ ସବସିଡି, ବୀମା ରାଶି ପଇଠ ଓ ମଣ୍ଡି ସମସ୍ୟା ସମାଧାନ ନହେଲେ ଭୋଟ ବର୍ଜନ କରିବାକୁ ଆହ୍ୱାନ ଦେଇଛନ୍ତି ଚାଷୀ । ଯାହାକୁ ନେଇ ତେଜିଛି ରାଜନୀତି ।

ବିଜେଡି ଯଦିଓ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ କିନ୍ତୁ ୧୬ ତାରିଖରେ ପ୍ରାର୍ଥିପତ୍ର ଦାଖଲ ହେବ ବୋଲି ଘୋଷଣା କରିଛି । ସେପଟେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ କରିବେ । ଏହାରି ଭିତରେ ଆଜି ପୂଜାପାଠ ମଧ୍ୟରେ ବରଗଡ଼ ପାଇକମାଲରେ ବିଜେପିର ଏକ ନୂଆ ଅଫିସ୍ ଉଦ୍‌ଘାଟିତ ହୋଇଛି ।