• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଦ୍ମପୁର ଉପନିର୍ବାଚନକୁ ନେଇ ଆରମ୍ଭ ହୋଇଗଲାଣି ଅଙ୍କକଷା । ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟଭୂଷଣ ସାହୁ ପ୍ରାର୍ଥୀ ହେବା ପରେ ଏବେ ବିଜେଡିରୁ କିଏ ହେବେ ପ୍ରାର୍ଥୀ, ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ଆଜି ବିଜେଡି ସୁପ୍ରିମୋ ପ୍ରାର୍ଥୀ ଘୋଷଣା କରିବା ସମ୍ଭାବନା ରହିଛି । ଦିବଙ୍ଗତ ନେତା ବିଜୟ ରଂଜନଙ୍କ ଧର୍ମପତ୍ନୀ ତିଳୋତ୍ତମା ସିଂ ବରିହାଙ୍କୁ ପ୍ରାର୍ଥୀ କରାଯିବ ନା ଅନ୍ୟ କାହାକୁ ଟିକଟ୍ ଦିଆଯିବ ସେ ନେଇ ବିଜେଡିରେ ଚାଲିଛି ବିଚାର ବିମର୍ଷ । ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ଏବେଠାରୁ ମାଳ ମାଳ ମନ୍ତ୍ରୀ ଓ ବିଧାୟକ ପଦ୍ମପୁରରେ ଡେରା ପକାଇଲେଣି ।

ଗତକାଲି ବିଜେପି କୃଷକ ସେଲର ସଭାପତି ତଥା ବରିଷ୍ଠ ନେତା ପ୍ରଦୀପ ପୁରୋହିତଙ୍କୁ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସତ୍ୟଭୂଷଣ ସାହୁଙ୍କ ନାଁରେ ମୋହର ମାରିଥିଲା କଂଗ୍ରେସ୍ । ୨୦୧୪ ନିର୍ବାଚନରେ ବିଜେଡିକୁ ମାତ୍ ଦେଇ ବିଧାୟକ ହୋଇଥିବା ପ୍ରଦୀପ ୨୦୧୯ରେ କିନ୍ତୁ ହାରିଯାଇଥିଲେ । ତେବେ ସଙ୍ଗଠନ ମଜଭୁତ ଥିବାରୁ ପ୍ରଦୀପଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିଛି ବିଜେପି ।

ସେପଟେ କଂଗ୍ରେସ ନେତା ସତ୍ୟଭୂଷଣ ସାହୁଙ୍କ ନାଁରେ ମୋହର ମାରିଛି ଏଆଇସିସି । ସତ୍ୟଭୂଷଣ ଏହା ପୂର୍ବରୁ ତିନି ଥର ବିଧାୟକ ରହିସାରିଛନ୍ତି । ୨୦୧୯ ନିର୍ବାଚନରେ ସେ ତୃତୀୟ ସ୍ଥାନରେ ରହିଥିଲେ ମଧ୍ୟ ୩୨ ହଜାର ୭୮୭ ଖଣ୍ଡ ଭୋଟ୍ ପାଇବାରେ ସମର୍ଥ ହୋଇଥିଲେ ।

ସେପଟେ ପଦ୍ମପୁର ଉପନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ସର୍ବଦଳୀୟ ବୈଠକ ବସିଛି । ବରଗଡ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ହୋଇଥିବା ଏହି ବୈଠକରେ ମିଡିଆ ସାର୍ଟିଫିକେସନ୍ ଓ ମନିଟରିଂ କମିଟିର କାର୍ଯ୍ୟାବଳୀ ତଥା ବିଭିନ୍ନ ରାଜନୈତିକ ଦଳର ନିର୍ବାଚନ ଖର୍ଚ୍ଚ ସମ୍ପର୍କରେ ଆଲୋଚନା ହୋଇଥିଲା । ଜଣେ ପ୍ରାର୍ଥୀ ନିର୍ବାଚନରେ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ବୋଲି କୁହାଯାଇଛି । କୌଣସି ଗଣମାଧ୍ୟମର ପ୍ରତିନିଧି ଯେକୈାଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କିମ୍ବା ପ୍ରାର୍ଥୀଙ୍କ ପ୍ରଚାର କରିବା ପୂର୍ବରୁ ମିଡିଆ ମନିଟରିଂ କମିଟିର ଅନୁମତି ନେବାକୁ କୁହାଯାଇଛି ।

ଯଦି କୌଣସି ଖବର ଦେୟଯୁକ୍ତ ବୋଲି ସନ୍ଦେହ ହୁଏ, ତାହେଲେ କମିଟି ତା ଉପରେ ପୁନଃ ନିଷ୍ପତ୍ତି ନେବ । ଜିଲ୍ଲାପାଳ ମନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସପି, ନିର୍ବାଚନ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳଙ୍କ ସହ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧି ସାମିଲ ଥିଲେ ।