• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଓଡ଼ିଶା ରାଜନୀତିରେ ବିରାଟ ଶୂନ୍ୟସ୍ଥାନ । ଜଣେ ଲଢୁଆ ବିଧାୟକଙ୍କ ଦେହାବସାନ । ଏକ ଶାଣିତ ସ୍ୱରର ଅବସାନ ଘଟିଛି । ଧାମନଗର ବିଜେପି ବିଧାୟକ ତଥା ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ ଙ୍କ ପରଲୋକ ହୋଇଛି । ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୭ଟା ୪୫ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବିଷ୍ଣୁ । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ବର୍ଷେ ହେଲା ସେ କିଡନୀ ରୋଗରେ ପୀଡ଼ିତ ଥିଲେ । ନିୟମିତ ଡାଇଲିସିସ୍ ଚାଲିଥିଲା, ତେବେ ମାସକ ତଳେ ଲଙ୍ଗ୍‌ସରେ ସଂକ୍ରମଣ ଓ ବ୍ରେନ୍ ଷ୍ଟ୍ରୋକ୍ ହେବାରୁ ତାଙ୍କୁ ICUରେ ଭର୍ତ୍ତି କରାଯାଇଥିଲା । ସେବେଠୁ ଚିକିତ୍ସା ଚାଲିଥିଲା ଏବଂ ଆଜି ତାଙ୍କର ଦେହାନ୍ତ ହୋଇଛି । ବିଷ୍ଣୁଙ୍କ ପରଲୋକ ସମ୍ପର୍କରେ ସୂଚନା ଦେଇଥିଲେ ଭୁବନେଶ୍ୱର ଏମସ୍‌ ସୁପରିଟେଣ୍ତେଣ୍ଟ ଏସ୍‌ ଏନ୍‌ ମହାନ୍ତି ।

ଆଉ ନାହାନ୍ତି ବିରୋଧୀଦଳ ନେତା ବିଷ୍ଣୁ ସେଠୀ । ସକାଳ ୮ଟା ବେଳକୁ ଏ ଖବର ଯେମିତି ବିଜୁଳି ବେଗରେ ଖେଳି ଯାଇଥିଲା । ରାଜନେତା, ସାହିତ୍ୟିକ, ବିଜେପି କର୍ମୀ ଓ ଶୁଭେଚ୍ଛୁ ସମସ୍ତେ ହତବାକ୍ ହୋଇ ଯାଇଥିଲେ ଏବଂ ଶେଷ ଦର୍ଶନ ପାଇଁ ଏମସ୍‌ ମୁହାଁ ହୋଇଥିଲେ । ମଧ୍ୟାହ୍ନ ୧୨ଟା ବେଳକୁ ଏମସ୍‌ରୁ ବିଷ୍ଣୁ ସେଠୀଙ୍କ ମରଶରୀର ପ୍ରଥମେ ବିଧାନସଭା ପରିସରକୁ ନିଆଯାଇଥିଲା । ସେଠାରେ ଗାର୍ଡ ଅଫ୍ ଅନର ଦିଆଯିବା ପରେ ବାଚସ୍ପତି ବିକ୍ରମ ଆରୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହା ପରେ ଦଳମତ ନିର୍ବିଶେଷରେ ସାଥୀ ବିଧାୟକ ଓ ମନ୍ତ୍ରୀ ମାନେ ବି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ବିଧାନସଭାରୁ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ମରଶରୀରକୁ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପାର୍ଥୀବ ଶରୀର ଉପରେ ଦଳୀୟ ପତାକା ପକାଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରେନ୍ଦେଶ୍ୱରୀଙ୍କ ସମେତ ଦଳର ବହୁ ନେତା ଓ କର୍ମୀମାନେ ବି ଶେଷ ଦର୍ଶନ କରିଥିଲେ । ଦଳୀୟ ନେତା କହିଛନ୍ତି ଯେ, ବିଷ୍ଣୁ ସେଠୀଙ୍କ ଭଳି ଜଣେ ଲଢୁଆ ନେତା ଓ ଦକ୍ଷ ସଂଗଠକଙ୍କ ବିୟୋଗ ରାଜ୍ୟ ବିଜେପି ପାଇଁ ଅପୂରଣୀୟ କ୍ଷତି ।

ବିଷ୍ଣୁ ସେଠୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ । ତାଙ୍କ ଦେହାନ୍ତ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି ବୋଲି ଟ୍ୱିଟ୍ କରିଛନ୍ତି ରାଷ୍ଟ୍ରପତି । ସେହିପରି ଓଡ଼ିଶାର ବିକାଶରେ ବିଷ୍ଣୁ ବାବୁଙ୍କ ଅତୁଳନୀୟ ଅବଦାନ ଥିଲା ଏବଂ ଜଣେ ପରିଶ୍ରମୀ ବିଧାୟକଭାବେ ତାଙ୍କର ନିଆରା ପରିଚୟ ଥିଲା ବୋଲି ଟ୍ୱିଟ୍ କରିଛନ୍ତିି ପ୍ରଧାନମନ୍ତ୍ରୀ ମୋଦି ।

 

ବିଷ୍ଣୁଙ୍କ ଅବର୍ତ୍ତମାନରେ ଟ୍ୱିଟ୍ କରି ଗଭୀର ଶୋକବ୍ୟକ୍ତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଓ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ବିଷ୍ଣୁ ସେଠୀଙ୍କ କଲ୍ୟାଣକାରୀ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ ବୋଲି ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ର ଅଧ୍ୟକ୍ଷ ଜେ.ପି ନଡ୍ଡା ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ବିଷ୍ଣୁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

 

ବିଷ୍ଣୁଙ୍କ ଅବର୍ତ୍ତମାନରେ ଜନ୍ମଭୂମିରୁ କର୍ମଭୂମି, ସବୁଠି ଶୋକାକୁଳ ପରିବେଶ । ଯଦି ସବୁଠୁ କିଏ ଅଧିକ ମର୍ମାହତ, ତାହାଲେ ସେ ହେଲା ଭଦ୍ରକ ତିହିଡ଼ିର ମଙ୍ଗରାଜପୁର ଗାଁ ପରିବାର, ପଡ଼ୋଶୀ, ସାଙ୍ଗସାଥୀ ସମସ୍ତେ ବାକ୍‌ଶୂନ୍ୟ । ଜଣେ ପରୋପକାରୀ, ମେଳାପି, ଖୁସି ମିଜାଜ୍ ଓ ସତ୍ୟବାଦୀ ମଣିଷଙ୍କୁ ଝୁରୁଛି ଜନ୍ମମାଟି । ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା, ଆମେ ମୂରବୀଶୂନ୍ୟ ହୋଇଗଲୁ । ଏମିତିକି ବିଷ୍ଣୁ ସେଠୀଙ୍କ ପରଲୋକ ଜନିତ ଖବର ମିଳିବାମାତ୍ରେ ତାଙ୍କ ସମର୍ଥକମାନେ ମାଇକ୍ ଯୋଗେ ପ୍ରଚାର କରି ଶେଷ ଦର୍ଶନ ଓ ଶେଷକୃତ୍ୟରେ ସାମିଲ ପାଇଁ ଏମିତି ସମସ୍ତଙ୍କୁ ନିବେଦନ କରିଥିଲେ ।