• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କାରରୁ ମିଳିଲା ୫ ଲକ୍ଷ, ପିକଅପ୍ ଭ୍ୟାନରୁ ୩ ଲକ୍ଷ । ଚେକିଂ ବେଳେ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଡାହିମାଳ ଛକରୁ ମୋଟ୍ ୮ ଲକ୍ଷ ଟଙ୍କା ଜବତ ହୋଇଛି । ଗତ ରାତିରେ ପ୍ରଥମେ ଗୋଟିଏ କାରରୁ ପାଞ୍ଚ ଲକ୍ଷ ଟଙ୍କା ମିଳିଥିଲା । ଟଙ୍କା ନେଇ ଯାଉଥିଲେ ଜଣେ ବ୍ୟବସାୟୀ । ଟଙ୍କାର ସେ ହିସାବ ଦେଇ ପାରି ନଥିଲେ ।

ଏହାର ଦୁଇ ଘଣ୍ଟା ପରେ ଯାଞ୍ଚ ବେଳେ ପିକଅପ ଭ୍ୟାନରୁ ମିଳିଲା ଆଉ ୩ ଲକ୍ଷ ଟଙ୍କା । ଗାଡିଟି ତରଭା ଅଞ୍ଚଳରୁ ଯାଉଥିଲା । ତେବେ କୁଆଡ଼େ ଓ କେଉଁ ଉଦ୍ଦେଶ୍ୟରେ ଟଙ୍କା ନିଆଯାଉଥିଲା ଜଣା ପଡିନି । ନିର୍ବାଚନ ପାଇଁ ବ୍ଲକିଂ କରି ଯାଞ୍ଚ ବେଳେ ୮ ଲକ୍ଷ ଟଙ୍କା ଜବତ କରିଛି ତୁଷୁରା ଥାନା ପୋଲିସ ।

ଅଧିକ ପଢ଼ନ୍ତୁ: ଝାଡ଼ଖଣ୍ଡ ମନ୍ତ୍ରୀ PSଙ୍କ ଘରୋଇ ସହାୟକ ଘରେ ଇଡି ରେଡ୍, ଜବତ ହେଲା ପୁଳା ପୁଳା ଟଙ୍କା

ସୋମବାର ରାତିରେ ବଲାଙ୍ଗିର ଉପକଣ୍ଠ ବିଜାଖମନରୁ ମଧ୍ୟ ଏକ କାର୍ ଭିତରୁ ୫ ଲକ୍ଷ ଟଙ୍କା ଜବତ ହୋଇଥିଲା । ବଲାଙ୍ଗିର-ଦେଓଗାଁ ରାସ୍ତାର ବିଜାଖମନ ନିକଟରୁ ନଗଦ ୫ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ମିଳିଥିଲା । କାର୍ ଭିତରୁ ନଗଦ ୫ ଲକ୍ଷ ଟଙ୍କା ଜବତ ହେବା ପରେ ଏହାକୁ ଫ୍ଲାଇଂ ସ୍କ୍ବାଡକୁ ହସ୍ତାନ୍ତର କରିଛି ପୋଲିସ । ତେବେ କାରଟି କେଉଁଠାରୁ କେଉଁ ସ୍ଥାନକୁ ଯାଉଥିଲା, ସେଥିରେ ଏତେ ଟଙ୍କା କାହିଁକି ନିଆଯାଉଥିଲା, ସେନେଇ ସ୍ପଷ୍ଟ ସୂଚନା ନାହିଁ ।

ନିର୍ବାଚନ ପୂର୍ବରୁ ଚେକିଂ ବେଳେ ପୁଳା ପୁଳା ଟଙ୍କା ଜବତ କରାଗଲାଣି । ତିନିଦିନ ତଳେ ନୂଆପଡ଼ା ଜିଲ୍ଲାର ଦୁଇଟି ସ୍ଥାନରୁ ଜବତ ୧୨ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଥିଲା । ଜୋଙ୍କ ଥାନା ଜେଞ୍ଜରା ଗାଁ ପାଖରୁ ୭ ଲକ୍ଷ ୯୯ ହଜାର ଟଙ୍କା ଏବଂ ବରଗଡ଼ ସୀମାନ୍ତ ସହିପଲା ପୋଲିସ ଚେକ୍ ପୋଷ୍ଟରୁ ୪ ଲକ୍ଷ ୩୮ ହଜାର ଟଙ୍କା ଜବତ ହୋଇଥିଲା ।

ସେହିପରି ବରଗଡ଼ ଜିଲ୍ଲାରୁ ନୂଆପଡ଼ା ଆସୁଥିବା ଏକ କାରରୁ ୧ ଲକ୍ଷ ୪୮ ହଜାର ୮ଶହ ଟଙ୍କା ଓ ଅନ୍ୟ ଏକ କାରରୁ ୨ ଲକ୍ଷ ୯୦ ହଜାର ଟଙ୍କା ଜବତ କରିଥିଲା ପୋଲିସ । ଗତ ସପ୍ତାହରେ ମଧ୍ୟ ବରଗଡ଼ ସୋହେଲା ଲୁହୁରାଚଟି ନାକା ପୋଷ୍ଟରେ ଚେକିଂ ବେଳେ ସାଢେ ୭ ଲକ୍ଷ ଟଙ୍କା ଜବତ ହୋଇଥିଲା ।

ଅଧିକ ପଢ଼ନ୍ତୁ: ଚାଲିଥିଲା ପୋଲିସ ଚେକିଂ; କାର୍‌ ଭିତରୁ ମିଳିଲା ନଗଦ ୫ଲକ୍ଷ

ଲୁହୁରାଚଟିରେ ପୋଲିସ ଓ FST ଟିମ ମିଳିତ ଭାବେ ଜୋରଦାର ଚେକିଂ କରୁଥିବା ବେଳେ ଏକ ଟାଟା ସୁମୋ ଗାଡ଼ିକୁ ଅଟକାଇଥିଲେ । ପରେ ଚେକିଂ କରିବା ବେଳେ ଗାଡିରୁ ସାଢେ ୭ଲକ୍ଷ ଟଙ୍କା ମିଳିଥିଲା । ତେବେ ଏହି ଟଙ୍କା କେଉଁଠୁ ଆସିଲା ଏବଂ କୁଆଡେ ଯାଉଥିଲା, ସେନେଇ ଚାଳକ ସ୍ପଷ୍ଟ ସୂଚନା ଦେଇନପାରିବାରୁ ପୋଲିସ ଟଙ୍କା ଜବତ କରିଛି ।

ସେହିପରି ସମ୍ବଲପୁର ବାମରା ବ୍ଲକ୍ କେଶାଇବାହାଲ ଠାରେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ହାତରେ ଧରାପଡିଥିଲା ୩ଲକ୍ଷରୁ ଅଧିକ ଟଙ୍କା । ଗାଡି ମଟର ଚେକିଂ ବେଳେ କାରରୁ ୩ଲକ୍ଷ ୫ହଜାର ୭ ଶହ ଟଙ୍କା ଜବତ କରାଯାଇଥିଲା । ଜବତ ଟଙ୍କା କୁଚିଣ୍ଡା ସବ ଟ୍ରେଜେରୀରେ ଜମା କରାଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ପୂର୍ବରୁ କୁଚିଣ୍ଡାର ପୃଥକ ପୃଥକ ୩ ଟି ସ୍ଥାନରୁ ୧୨ଲକ୍ଷ ୮୮ ହଜାର ଟଙ୍କା ଜବତ ହୋଇଥିଲା। ଲୋକସଭା ନିର୍ବାଚନ ପାଇଁ ପ୍ରଚାର ପ୍ରସାର ବି ଜୋରଦାର ହେଉଛି । ତେବେ ନିର୍ବାଚନ ପୂର୍ବରୁ ଧରାପଡ଼ିଛି ପୁଳାପୁଳା ଟଙ୍କା ।