/odishatv-khabar/media/post_attachments/uploadimage/library/16_9/16_9_0/VK_Pandian_1718005681.jpg)
VK Pandian
ଭିକେ ପାଣ୍ଡିଆନଙ୍କ ବାସଭବନ ଆଗରୁ ହଟିଲା ବ୍ୟାରିକେଡ୍ । ବିଜେଡି ସରକାର କ୍ଷମତାରେ ଥିବାବେଳେ ପାଣ୍ଡିଆନଙ୍କ ଘରକୁ ବି କଡ଼ା ସୁରକ୍ଷା ଦିଆଯାଉଥିଲା । ସୁରକ୍ଷାକର୍ମୀ ରାତିଦିନ ଜଗି ରହୁଥିଲେ। ତେବେ ବିଜେଡି ସରକାର କ୍ଷମତାରୁ ହଟିବା ପରେ ଏବେ ପାଣ୍ଡିଆନଙ୍କ ଘର ଆଗରୁ ବ୍ୟାରିକେଡ୍ ହଟାଯାଉଛି ।
ଏମିତି କି ପାଣ୍ଡିଆନ୍ଙ୍କ ସୁରକ୍ଷା ପାଇଁ ତାଙ୍କ ସରକାରୀ ବାସଭବନ ନିକଟରେ ଏକ ଅସ୍ଥାୟୀ ପୋଲିସ୍ ପାଣ୍ଡି ମଧ୍ୟ ହୋଇଥିଲା । କ୍ୱାର୍ଟରକୁ ଜଗି ରହିଥିବା ସୁରକ୍ଷାକର୍ମୀ ସେହି ରାସ୍ତାରେ ଯାଉଥିବା ଲୋକଙ୍କୁ ଗୋଟିଏ ମିନିଟ୍ ସେଠାରେ ଠିଆ ହେବାକୁ ଅନୁମତି ଦେଉ ନଥିଲେ। ତେବେ ବିଜେଡି ସରକାର କ୍ଷମତାରୁ ହଟିବା ପରେ ତାଙ୍କ ବାସଭବନ ନିକଟରୁ ପୋଲିସ୍ ଛାଉଣୀ ହଟିବା ସହ ବ୍ୟାରିକେଡ୍ ମଧ୍ୟ ହଟାଯାଇଛି ।
ଅଧିକ ପଢ଼ନ୍ତୁ: ନେତା ହେବା ଆଶା ଧୂଳିସାତ୍ କରିଦେଲେ ଜନତା, ରାଜନୀତିରୁ ସନ୍ନ୍ୟାସ ନେଲେ ପାଣ୍ଡିଆନ୍
ସୂଚନା ଅନୁସାରେ ବିଜେଡିର ଶୋଚନୀୟ ପରାଜୟ ପାଇଁ ଗତକାଲି ବିଜେଡି କର୍ମୀଙ୍କୁ ଭୁଲ୍ ମାଗି ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ଭିକେ ପାଣ୍ଡିଆନ୍ । ନିଜେ ଘୋଷଣା କରିଥିବା ଜୁନ ୯ ତାରିଖ BJD ଶପଥ ଗ୍ରହଣ ଉତ୍ସବ ଦିନରେ ହିଁ ଛାଡିଲେ ରାଜନୀତି । ଗତକାଲି ଏକ ୪ ମିନିଟ୍ ୨୭ ସେକେଣ୍ଡର ଭିଡିଓ ବାର୍ତ୍ତାରେ ଏହା ଘୋଷଣା କରିଛନ୍ତି ପାଣ୍ଡିଆନ । ୬ ମାସ ୧୨ ଦିନରେ ଶେଷ ହୋଇଗଲା ସ୍ବେଚ୍ଛାକୃତ ଅବସର ନେଇଥିବା ୨୦୦୦ ବ୍ୟାଚ୍ ଆଇଏସ ଅଫିସରଙ୍କ ରାଜନୈତିକ କ୍ୟାରିୟର। ତେବେ ନିଜ ଭିଡିଓ ବାର୍ତ୍ତାରେ ଇଂରାଜୀରେ ନିଜ ଗୁଣ ଗାନ ଅଧିକା କରିବା ସହ କେବଳ ବିଜୁ ପରିବାର ଓ ଦଳୀୟ କର୍ମୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି ପାଣ୍ଡିଆନ।
ଏପଟେ ପାଣ୍ଡିଆନଙ୍କ କ୍ଷମା ପ୍ରାର୍ଥନା ପରେ ବି ଥମିନି ଅସନ୍ତୋଷ । ପାଣ୍ଡିଆନଙ୍କ ପାଇଁ ଉଠୁଚି ପଡ଼ୁଚି ବିଜେଡି, ଗତକାଲି ତାଙ୍କ ସପକ୍ଷରେ ମତ ରଖି ବିବାଦକୁ ଆହୁରି ଟାଣିଛନ୍ତି ନବୀନ । ଦୁଇ ଦିନ ତଳେ ଯୁବ ଛାତ୍ର ବିଜେଡି କର୍ମକର୍ତ୍ତା ଶଙ୍ଖ ଭବନରେ ପାଣ୍ଡିଆନ ବିରୋଧୀ ନାରା ଦେଇଥିବା ବେଳେ ହାରିଥିବା ନେତା ଓ କିଛି ବିଧାୟକ ବି ପାଣ୍ଡିଆନଙ୍କ ବିପକ୍ଷରେ ଅସନ୍ତୋଷ ଜାହିର କଲେଣି । ସକ୍ରିୟ ରାଜନୀତିରୁ ବିରାମ ନେଇଥିଲେ ବି ଦଳରେ ତାଙ୍କର ଯେ ଗୁରୁତ୍ୱ ରହିଛି ତାହା ନବୀନ ପରୋକ୍ଷରେ ଇଙ୍ଗିତ ଦେଇଛନ୍ତି। ଯାହାକି ଦଳପତିଙ୍କ ପାଇଁ ବଡ଼ ଚାଲେଞ୍ଜ। ଦଳର ଦୁର୍ଗ ଭୁଶୁଡ଼ିବା ପରେ ଏବେ ପାଣ୍ଡିଆନଙ୍କୁ ବାଦ୍ ଦେଇ ନବୀନ ଘନ ଘନ ବୈଠକ କରୁଛନ୍ତି ବରିଷ୍ଠ ନେତାଙ୍କ ସହ। କିନ୍ତୁ ଅସନ୍ତୁଷ୍ଟଙ୍କ ସଂଖ୍ୟା ଯେ ଦଳରେ ବଢ଼ି ବଢ଼ି ଚାଲିଛି ତାହା ଜଳ ଜଳ ହେଇ ଦେଖା ଗଲାଣି । ଏପରିସ୍ଥଳେ ସମସ୍ତେ ତାଳି ପକା ମନ୍ତବ୍ୟ ଦେଉଥିବା ବେଳେ କେଉଁଠି ତ୍ରୁଟି ରହିଲା ତା’ର ସମୀକ୍ଷା କରାଯାଉଛି ବୋଲି କହିଛନ୍ତି ଦଳର ବିଧାୟକମାନେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)