Advertisment

ନେତା ହେବା ଆଶା ଧୂଳିସାତ୍ କରିଦେଲେ ଜନତା, ରାଜନୀତିରୁ ସନ୍ନ୍ୟାସ ନେଲେ ପାଣ୍ଡିଆନ୍

ରାଜନେତା ହେବାର ଆଶାକୁ ଧୂଳିସାତ କଲେ ଜନତା। ମାତ୍ର ୬ ମାସ ୧୨ ଦିନରେ ଭି.କେ. ପାଣ୍ଡିଆନ ସନ୍ନ୍ୟାସ ନେଲେ ସକ୍ରିୟ ରାଜନୀତିରୁ।

author-image
Santosh Kumar Sahoo
VK Pandian

VK Pandian

ଶେଷରେ ରାଜନୀତି ମୋହ ଛାଡ଼ିଲା । ସନ୍ନ୍ୟାସ ନେଲେ ବିଜେଡିର ବିବାଦୀୟ ନେତା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ । ନିଜେ ଘୋଷଣା କରିଥିବା ଜୁନ ୯ ତାରିଖ BJD ଶପଥ ଗ୍ରହଣ ଉତ୍ସବ ଦିନରେ ହିଁ ଛାଡିଲେ ରାଜନୀତି । ଆଜି ଏକ ୪ ମିନିଟ୍ ୨୭ ସେକେଣ୍ଡର ଭିଡିଓ ବାର୍ତ୍ତାରେ ଏହା ଘୋଷଣା କରିଛନ୍ତି ପାଣ୍ଡିଆନ । ୬ ମାସ ୧୨ ଦିନରେ ଶେଷ ହୋଇଗଲା ସ୍ବେଚ୍ଛାକୃତ ଅବସର ନେଇଥିବା ୨୦୦୦ ବ୍ୟାଚ୍ ଆଇଏସ ଅଫିସରଙ୍କ ରାଜନୈତିକ କ୍ୟାରିୟର। ତେବେ ନିଜ ଭିଡିଓ ବାର୍ତ୍ତାରେ ଇଂରାଜୀରେ ନିଜ ଗୁଣ ଗାନ ଅଧିକା କରିବା ସହ କେବଳ ବିଜୁ ପରିବାର ଓ ଦଳୀୟ କର୍ମୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି ପାଣ୍ଡିଆନ।

Advertisment

ଏପଟେ ପାଣ୍ଡିଆନଙ୍କ କ୍ଷମା ପ୍ରାର୍ଥନା ପରେ ବି ଥମିନି ଅସନ୍ତୋଷ । ଯେଉଁ ପାଣ୍ଡିଆନଙ୍କ ପାଇଁ ଉଠୁଚି ପଡ଼ୁଚି ବିଜେଡ଼ି, ଗତକାଲି ତାଙ୍କ ସପକ୍ଷରେ ମତ ରଖି ବିବାଦକୁ ଆହୁରି ଟାଣିଛନ୍ତି ନବୀନ । ଦୁଇ ଦିନ ତଳେ ଯୁବ ଛାତ୍ର ବିଜେଡି କର୍ମକର୍ତ୍ତା ଶଙ୍ଖ ଭବନରେ ପାଣ୍ଡିଆନ ବିରୋଧୀ ନାରା ଦେଇଥିବା ବେଳେ ହାରିଥିବା ନେତା ଓ କିଛି ବିଧାୟକ ବି ପାଣ୍ଡିଆନଙ୍କ ବିପକ୍ଷରେ ଅସନ୍ତୋଷ ଜାହିର କଲେଣି । ସକ୍ରିୟ ରାଜନୀତିରୁ ବିରାମ ନେଇଥିଲେ ବି ଦଳରେ ତାଙ୍କର ଯେ ଗୁରୁତ୍ୱ ରହିଛି ତାହା ନବୀନ ପରୋକ୍ଷରେ ଇଙ୍ଗିତ ଦେଇଛନ୍ତି। ଯାହାକି ଦଳପତିଙ୍କ ପାଇଁ ବଡ଼ ଚାଲେଞ୍ଜ। ଦଳର ଦୁର୍ଗ ଭୁଶୁଡ଼ିବା ପରେ ଏବେ ପାଣ୍ଡିଆନଙ୍କୁ ବାଦ୍ ଦେଇ ନବୀନ ଘନ ଘନ ବୈଠକ କରୁଛନ୍ତି ବରିଷ୍ଠ ନେତାଙ୍କ ସହ। କିନ୍ତୁ ଅସନ୍ତୁଷ୍ଟଙ୍କ ସଂଖ୍ୟା ଯେ ଦଳରେ ବଢ଼ି ବଢ଼ି ଚାଲିଛି ତାହା ଜଳ ଜଳ ହେଇ ଦେଖା ଗଲାଣି । ଏପରିସ୍ଥଳେ ସମସ୍ତେ ତାଳି ପକା ମନ୍ତବ୍ୟ ଦେଉଥିବା ବେଳେ କେଉଁଠି ତ୍ରୁଟି ରହିଲା ତା’ର ସମୀକ୍ଷା କରାଯାଉଛି ବୋଲି କହିଛନ୍ତି ଦଳର ବିଧାୟକମାନେ ।

ସେପଟେ ବିଜେଡି, ଗଡ ଭୁଶୁଡ଼ିବାର କାରଣ ଖୋଜୁଥିବା ବେଳେ ଦଳ ଛାଡ଼ି ବିଜେପିକୁ ଯାଇଥିବା ନେତାଙ୍କ ମତ ହେଲା, ରାଜନେତାଙ୍କ ବଦଳରେ ପ୍ରଶାସକମାନେ ଦଳକୁ ଚଳାଇଲେ ଏଭଳି ଅବସ୍ଥା ହୁଏ। ରାଜନୈତିକ ସମୀକ୍ଷକଙ୍କ ମତ ହେଲା ଅସନ୍ତୋଷକୁ ପ୍ରଶମିତ କରିବାକୁ ଏହା ନବୀନଙ୍କ ଚାଲ୍ ହୋଇଥାଇପାରେ। ଏବେ ଦେଖିବାର କଥା ହେଉଛି ପଣ୍ଡିଆନଙ୍କ ରାଜନୀତି ଛାଡ଼ିବା ଘୋଷଣା ବିଜେଡିରେ କୁହୁଳୁଥିବା ଅସନ୍ତୋଷ ଉପରେ କ’ଣ ପ୍ରଭାବ ପକାଉଛି ।

Advertisment
BJD VK Pandian
Advertisment
Advertisment