/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684734907.jpg)
Cabinet Ministers
ଆଜି ଶପଥ ଗ୍ରହଣ ପରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
- ବିକ୍ରମ ଆରୁଖଙ୍କୁ ମିଳିଲା ଅର୍ଥ ବିଭାଗ ଦାୟିତ୍ୱ
- ସୁଦାମ ମାର୍ଣ୍ଡି ହେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ
- ସାରଦା ନାୟକଙ୍କୁ ଶ୍ରମ ବିଭାଗ ଦାୟିତ୍ୱ
ନିରଞ୍ଜନ ପୂଜାରୀଙ୍କଠାରୁ ଅର୍ଥ ବିଭାଗ ଆଣି ଆରୁଖଙ୍କୁ ଦିଆଗଲା । ଏବେ ନିରଞ୍ଜନଙ୍କ ହାତରେ ସଂସଦୀୟ ବ୍ୟାପାର ଓ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ ଦିଆଯାଇଛି । ସେହିଭଳି ଶ୍ରୀକାନ୍ତ ସାହୁ ଶ୍ରମ ବିଭାଗ ଛାଡ଼ିବା ପରେ ସାରଦା ନାୟକଙ୍କୁ ଏହି ବିଭାଗ ମିଳିଛି । ସମୀର ଦାସଙ୍କ ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ହୋଇଛନ୍ତି ସୁଦାମ ମାର୍ଣ୍ତି ।
ଆଜି ରାଜ୍ୟ ମନ୍ତ୍ରିମଣ୍ଡଳର ଅଦଳବଦଳ ହୋଇଛି । କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ତିନି ନୂଆ ମନ୍ତ୍ରୀ । ବିକ୍ରମ କେଶରୀ ଆରୁଖ, ସାରଦା ପ୍ରସାଦ ନାୟକ ଓ ସୁଦାମ ମାର୍ଣ୍ତି ଆଜି କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପଦ ଓ ଗୋପନୀୟତାର ଶପଥ କରାଇଲେ ରାଜ୍ୟପାଳ ଗଣେଷୀ ଲାଲ । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟପାଳ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ମନ୍ତ୍ରୀମଣ୍ଡଳ ଅଦଳବଦଳକୁ ନେଇ ଅନେକ ପ୍ରଶ୍ନ ଛିଡ଼ା ହୋଇଛି ? କାହିଁକି ନିର୍ବାଚନ ପୂର୍ବରୁ ମନ୍ତ୍ରୀ ମଣ୍ଡଳରେ ଏହି ‘ଫେର ବଦଳ’? ଗଞ୍ଜାମ ଜିଲ୍ଲାରେ ବିଜେଡି ର ସଂଗଠନ ଦୁର୍ବଳ ହେବା ଓ ଗୋଷ୍ଠୀ କନ୍ଦଳ ବଢ଼ିବା ପରେ ଏହାକୁ ପ୍ରଶମିତ କରିବାକୁ ଚେଷ୍ଟା କରିଛି ଦଳା ଆରୁଖଙ୍କୁ ମନ୍ତ୍ରୀ କରାଇ ସଂଗଠନ ସମ୍ଭାଳିବା ସହ ଗଞ୍ଜାମ ଓ କନ୍ଧମାଳରେ ଦଳକୁ ଅଧିକ ମଜବୁତ କରିବାକୁ ଚେଷ୍ଟା କରିବା ଅନୁମାନ କରାଯାଉଛି ।
ସେହିଭଳି ମୟୂରଭଞ୍ଜ ଜିଲ୍ଲାରେ ବଢ଼ୁଥିବା ବିଜେପି ସଂଗଠନକୁ ଦୃଷ୍ଟିରେ ରଖି ପୁଣି ଥରେ ସୁଦାମ ମାର୍ଣ୍ଡିଙ୍କୁ ମନ୍ତ୍ରୀ କରାଯାଇଛି । ତା’ସହ ଦୀର୍ଘ ବର୍ଷ ପରେ ପୁଣି ଥରେ ସାରଦା ନାୟକଙ୍କୁ ମନ୍ତ୍ରୀ କରାଯାଇଛି । କୁହାଯାଉଛି, ଝାରସୁଗୁଡ଼ା ନିର୍ବାଚନରେ ସାରଦାଙ୍କ ପ୍ରଦର୍ଶନ ଓ ଦଳ ପାଇଁ ଆନୁଗତ୍ୟ ଏହାର ପ୍ରମୁଖ କାରଣ । ଏହି ତିନି ଜଣ ପୂର୍ବରୁ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)