• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ତାତିଲା ବିଜେପି । ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ସହ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଲିଙ୍କ୍ ଏବଂ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କଲା ବିଜେପି । ଉଭୟ ଘଟଣାରେ ପୋଲିସର ତଦନ୍ତ ପ୍ରକ୍ରିୟା ସନ୍ଦେହ ଘେରରେ ଥିବା ଦର୍ଶାଇ ଆନ୍ଦୋଳନକୁ ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଛି ଦଳ । ସପ୍ତାହେ ଧରି ରାଜ୍ୟର ୫୮ଟି ସବଡିଭିଜନରେ ବିଜେପି ଆନ୍ଦୋଳନ କରିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦଳର ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ।

ଗତ ୨୨ ବର୍ଷ ଧରି ବିଜେଡି ସରକାରରେ ବ୍ୟଭିଚାର, ଦୁଷ୍କର୍ମ, ଦୁର୍ନୀତି ଜାରି ରହିଛି । ଅନେକ ଯୌନ କେଳେଙ୍କାରୀ ପ୍ରସଙ୍ଗ ଏବେ ସାମ୍ନାକୁ ଆସିଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ମନ୍ତ୍ରୀ ସମୀର ଦାଶଙ୍କ ସଂପୃକ୍ତି ରହିଛି । ଯାହାର ଅଡିଓରେ ରହିଛି ସବୁ ପ୍ରମାଣ । କିନ୍ତୁ ମନ୍ତ୍ରୀ ସମୀର ଦାଶଙ୍କୁ ପୋଲିସ ଘଣ୍ଟ ଘୋଡାଉଥିବା ବେଳେ ମନି ଲଣ୍ଡରିଂ କଥା ବି ସାମ୍ନାକୁ ଆସୁଛି ।

ସେହିପରି ଅର୍ଚ୍ଚନା ନାଗ ମାମଲାରେ ବ୍ୟାପକ ଟଙ୍କା କାରବାର, ଟେଣ୍ଡର ଫିକ୍ସିଂ ହେଉଥିଲା ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି । ଏପରିକି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ବାରବାଟୀ କ୍ରିକେଟ୍ ମ୍ୟାଚ୍ ପାଇଁ ୨ ଶହଟି ଟିକଟ ଅର୍ଚ୍ଚନାକୁ ଦେଇଥିବା ଜଣାପଡ଼ିଛି । କିନ୍ତୁ ପୋଲିସ ଘଣ୍ଟ ଘୋଡ଼ାଉଛି, ସେମାନଙ୍କ ନାଁ ପ୍ରକାଶ କରୁନି କି ତଦନ୍ତ ପରିସରକୁ ନେଉନି ବୋଲି ଅଭିଯୋଗ କରିଛନ୍ତି ଲେଖାଶ୍ରୀ । ତେବେ ଏନେଇ ବିଜେଡି ପକ୍ଷରୁ କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

ଅନ୍ୟପଟେ ଆଜି କୋର୍ଟରେ ସିଧାସଳଖ ହାଜର ହୋଇଛନ୍ତି ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ୍ । କୋର୍ଟକୁ ଗଲା ବେଳେ ପ୍ରତିକ୍ରିୟା ରଖିଲେ ଅର୍ଚ୍ଚନା ନାଗ । ‘ମିଛ ଖବର ପ୍ରସାରଣ ନକରିବାକୁ କହିଲେ ଅର୍ଚ୍ଚନା । କିଛି ତଥ୍ୟ ପ୍ରମାଣ ନଥାଇ ଖବର ପ୍ରସାରଣ ନକରିବାକୁ କହିଲେ । ସମୟ ଆସିଲେ ସବୁ କହିବି । ନିଶ୍ଚୟ କହିବି ।’ ସେ ଆଉ କିଛି ଅଧିକ କହିବା ପୂର୍ବରୁ ପୋଲିସ ତାଙ୍କୁ ନେଇଗଲା । ଭୁବନେଶ୍ୱର ଝାରପଡ଼ା ଜେଲ୍‌ରୁ ତାଙ୍କୁ କଡ଼ା ସୁରକ୍ଷାରେ ଆଣି ଭୁବନେଶ୍ୱର SDJM କୋର୍ଟରେ ହାଜର କରାଯାଇଛି । ଗିରଫ ପରେ ପ୍ରଥମ ଥର ପାଇଁ ଦେଖାଦେଲେ ଅର୍ଚ୍ଚନା ।

ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩ କୋଟି ଟଙ୍କା ବ୍ଲାକମେଲ୍ ଅଭିଯୋଗ ମାମଲାରେ ଅର୍ଚ୍ଚନାକୁ କୋର୍ଟରେ ହାଜର କରାଯାଇଛି । ଆଉ ଭିଡିଓ କନ୍‌ଫରେନ୍ସିଂ ନୁହେଁ ବରଂ ସିଧାସଳଖ ଭୁବନେଶ୍ୱର SDJMଙ୍କ କୋର୍ଟରେ ଅର୍ଚ୍ଚନାକୁ ହାଜର କର ବୋଲି କୁହାଯାଇଥିଲା ।

ପ୍ରଥମେ ଜଣେ ଯୁବତୀଙ୍କୁ ମୋହରା ବନାଇ ଅକ୍ଷୟ ପରିଜାଙ୍କ ଆପତ୍ତିଜନକ ଫଟୋ ସୁଟ୍ କରିବା ସହ ୩ କୋଟି ଟଙ୍କା ମାଗିଥିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ସିନେ ପ୍ରଯୋଜକ ଅକ୍ଷୟ ପରିଜା ।