ଦିବଙ୍ଗତ ପୂର୍ବତନ ମନ୍ତ୍ରୀ ତଥା ପଶ୍ଚିମ ଓଡ଼ିଶାର ଜଣାଶୁଣା ରାଜନେତା ନବ କିଶୋର ଦାସଙ୍କ ମୃତ୍ୟୁ ଏହା ମଧ୍ୟରେ ଅନେକ ଦିନ ବିତି ସାରିଲାଣି। ରାଜ୍ୟ ପୋଲିସ ବିଭାଗର କ୍ରାଇମବ୍ରାଂଚ୍ ଏହାର ତଦନ୍ତ କରୁଛି । ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡର ଏକମାତ୍ର ଅଭିଯୁକ୍ତ ଭାବେ ଆସିଷ୍ଟାଣ୍ଟ ପୋଲିସ୍ ସବ୍ଇନିସ୍ପେକ୍ଟର ଗୋପାଳ ଦାସଙ୍କୁ ଗିରଫ କରାଯାଇଛି ଏବଂ ଏ ନେଇ ଏକ ହତ୍ୟା ମାମଲା ଏବେ ନ୍ୟାୟାଳୟରେ ବିଚାରାଧୀନ ଅଛି ।
ହେଲେ ଏହାରି ମଧ୍ୟରେ ରାଜ୍ୟ ରାଜନୀତି ହଠାତ୍ ଉଷ୍ମ ହୋଇଉଠିଛି । ଏହାର କାରଣ ହେଲା ଯେ ନିକଟରେ ଏକ ଟେଲିଭିଜନ ସ।କ୍ଷାତକାରରେ ନବ ଦାସଙ୍କ ପୂତ୍ର ବିଶାଳ ଦାସ ଓ ଝିଅ ତଥା ପୂର୍ବତନ ଝାରସୁଗୁଡା ବିଧାୟିକା ଦୀପାଳୀ ଦାସ ବାପାଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ ପାଇଁ କେନ୍ଦ୍ରିୟ ତଦନ୍ତ ବ୍ୟୁରୋ ବା ସିବିଆଇ ତଦନ୍ତ ଦାବି କରିଛନ୍ତି ।
ଯେ କୌଣସି ସନ୍ତାନ ପାଇଁ ତା’ର ପିତା ବା ମାତାଙ୍କ ମୃତ୍ୟୁ ଅକଳ୍ପନୀୟ ଓ ଅବର୍ଣ୍ଣନୀୟ ଭାବେ ବେଶ୍ ପୀଡାଦାୟକ । ବିଶାଳ ଓ ଦୀପାଳୀଙ୍କ ପାଇଁ ତାଙ୍କ ପିତାଙ୍କ ମୃତ୍ୟୁ ଅତ୍ୟନ୍ତ ବେଦନାପୂର୍ଣ୍ଣ । ଯେଉଁ ସମୟରେ ପିତାଙ୍କ ଦୂରଦୃଷ୍ଟି ନେଇ ସେମାନେ ଆଗକୁ ବଢିବାର ଥିଲା, ସେହି ସମୟରେ ସେମାନେ ତାଙ୍କର ସ୍ନେହ ଓ ଦୂରଦର୍ଶିତାର ବଂଚିତ ହେଲେ । ସେମାନଙ୍କ ଜୀବନରେ ସବୁଦିନ ପାଇଁ ସୃଷ୍ଟି ହୋଇଗଲା ଏକ ଅପୂରଣୀୟ କ୍ଷତି । ମାନସିକ ଭାବେ ସେମାନେ ସବୁଦିନ ଯନ୍ତ୍ରଣା ଜର୍ଜରିତ ହୋଇ ରହିବେ । ଭଗବାନ ଏଭଳି ଦୁଃଖ କାହାକୁ ନଦିଅନ୍ତୁ ।
Also Read
ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ତେଜିଲା ରାଜନୀତି, ଦୀପାଳିଙ୍କ କୋର୍ଟକୁ ବଲ୍ ପିଙ୍ଗିଲେ ଆଇନ ମନ୍ତ୍ରୀ
ଯେଉଁ ରହସ୍ୟଜନକ ପରିସ୍ଥିତିରେ ନବ ଦାସଙ୍କ ମୃତ୍ୟୁ ହେଲା, ତାହାକୁ ଆଜି ବି ରାଜ୍ୟର ଜନସାଧାରଣ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ଜଣେ ସାଧାରଣ ଆସିଷ୍ଟାଣ୍ଟ ପୋଲିସ ସବ୍ଇନିସ୍ପେକ୍ଟର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କରିପାରିବା ଲାଗି ସହଜରେ ଯେ ସାହସ କରିପାରିବ,ଏକଥା ଅନେକଙ୍କ ବିଶ୍ୱାସ ଓ ବୋଧଗମ୍ୟତାର ବାହାରେ । ନବ ଦାସଙ୍କ ମୃତ୍ୟୁ ପରେ ସାରା ଓଡ଼ିଶାରେ ରାଜ୍ୟର ଆଇନ୍ଶୃଙ୍ଖଳା ନେଇ ବେଶ୍ ଉଦ୍ବେଗ ପ୍ରକାଶ ପାଇଥିଲା । ଏଠାରେ ଯଦି ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଦିନ ଦିପ୍ରହରରେ ହତ୍ୟା କରାଯାଉଛି, ତେବେ ସାଧାରଣ ଜନତାର ଧନଜୀବନ କେତେ ସୁୁରକ୍ଷିତ ସେ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଥିଲା ।
ନବ ଦାସଙ୍କ ହତ୍ୟା ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି) ଓ ଜାତୀୟ କଂଗ୍ରେସ ଲାଗି ଏକ ତତ୍କ୍ଷାଣିକ ରାଜନୈତିକ ଅସ୍ତ୍ର ରୂପେ ଉପଲବ୍ଧ ହୋଇଥିଲା । ସେମାନେ ନବୀନ ପଟ୍ଟନାୟକ ସରକାରଙ୍କୁ ଏହି ପ୍ରସଙ୍ଗ ଉପରେ ଉଭୟ ବିଧାନସଭା ଓ ବିଧାନସଭା ବାହାରେ ସଣ୍ଢୁଆସୀ ଆକ୍ରମଣ କରିଥିଲେ । ଅଭିଯୋଗ କରିଥିଲେ ଯେ ଯଦି ଜଣେ ମୁଖ୍ୟମନ୍ତ୍ରୀ ନିଜର କ୍ୟାବିନେଟ୍ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନାହାଁନ୍ତି, ତେବେ ସାଧାରଣ ଲୋକଙ୍କୁ କିଭଳି ସୁରକ୍ଷା ଦେବେ ।
ବିଧାନସଭାର ଯେତେବେଳେ ନବୀନ ସରକାରଙ୍କୁ ବିରୋଧୀମାନେ ଘେରିଲେ, ସେତେବେଳେ ନବୀନ ଏ ଚାପରୁ ମୁକ୍ତି ପାଇଁ ଏକ ଅଭିନବ ଉପାୟ ବାହାର କଲେ । ଫେବୃଆରୀ ୨୩ ତାରିଖ ୨୦୨୩ ମସିହାରେ ବିଧାନସଭାରେ ନବୀନ ଅତି ଆଶ୍ଚର୍ଯ୍ୟଜନକ ଭାବରେ ଘୋଷଣା କଲେ ଯେ ନବ ଦାସ ହତ୍ୟା ଘଟଣାର ତଦନ୍ତରେ ସହାୟତା ପାଇଁ ଆମେରିକାର ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବା ଏଫ୍ବିଆଇର ସହାୟତା ନିଆଯିବ ।
ନବୀନଙ୍କର ଏତାଦୃଶ ଘୋଷଣା ସେତେବେଳେ ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା । ଚର୍ଚ୍ଚା ହେବା ବି ସ୍ୱାଭାବିକ ଥିଲା । କାରଣ, ଭାରତ ଇତିହାସରେ କୌଣସି ଏକ ପ୍ରାଦେଶିକ ଅପରାଧ ପାଇଁ ତଦନ୍ତରେ ସାହାଯ୍ୟ କରିବା ପାଇଁ ସେହି ରାଜ୍ୟର ସରକାର ନିଜର ତଦନ୍ତକାରୀ ସଂସ୍ଥା ଉପରେ ସମ୍ପୂର୍ଣ୍ଣ ଆସ୍ଥା ପ୍ରକଟ ନକରିପାରି, ଏକ ବାହାର ଦେଶର ସହାୟତା ଲୋଡୁଛନ୍ତି । ନିଜର ତଦନ୍ତକାରୀ ସଂସ୍ଥା କ୍ରାଇମ୍ବ୍ରାଂଚ ଉପରେ ଭରସାର ନକରି ଏଫ୍ବିଆଇ ଉପରେ ଭରସା କରିବା ସେତେବେଳେ ବହୁତ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା ।
ପ୍ରତ୍ୟେକ ଅପରାଧିକ ଘଟଣାର ତଦନ୍ତ ନିଷ୍ପକ୍ଷ ଓ ନିରପେକ୍ଷ ହେବା ଆବଶ୍ୟକ । ଦୋଷୀକୁ ଦଣ୍ଡ ମିଳିବା ନିହାତି ଦରକାର । କାରଣ ଏହା ପରବର୍ତ୍ତି ସମୟରେ ଅପରାଧ ନିୟନ୍ତ୍ରଣ କରିବାରେ ବେଶ୍ ସହାୟକ ହୋଇଥାଏ । ସମସ୍ତେ ଅନାଇ ରହିଛନ୍ତି ଯେ ନବ ଦାସ ଘଟଣାର ନିରପେକ୍ଷ ତଦନ୍ତ ହେଉ । କିନ୍ତୁ ଏ ପର୍ଯ୍ୟନ୍ତ କ୍ରାଇମ୍ବ୍ରାଚ ଓ ଏଫବିଆଇ ତଦନ୍ତ କେତେବାଟ ଗଲା, ତାହା ଜନସାଧାରଣ ସଠିକ୍ ଭାବେ ଜାଣିନାହାଁନ୍ତି । ବିନା ଷଡଯନ୍ତ୍ରରେ ଯେ ଗୋପାଳ ଦାସ ଏତେବଡ ହତ୍ୟାକାଣ୍ଡ ଘଟାଇପାରିବ, ତାହା ଅନେକ ବିଶ୍ୱାସ କରିବା ପାଇଁ ରାଜି ନୁହଁନ୍ତି ।
ବିିଶାଳ ଦାସ ଓ ଦୀପାଳୀ ଦାସଙ୍କ ବର୍ତ୍ତମାନର ଆଭିମୁଖ୍ୟ ଦେଖିଲେ ସେମାନେ କିଛିଟା ମାନସିକ ଦ୍ୱନ୍ଦରେ ଥିଲା ଭଳି ଅନୁମାନ କରଯାଏ । ଟେଲିଭିଜନ ସାକ୍ଷାତକାରରେ ସେମାନେ କହିଛନ୍ତି ଯେ ଲୋକମାନେ ବିଭିନ୍ନ ସମୟରେ ଉପଯୁକ୍ତ ତଦନ୍ତ ନେଇ ସେମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି । ତେଣୁ ସେମାନେ ସିବିଆଇ ତଦନ୍ତ ଦାବି କରୁଛନ୍ତି । ବିିଶାଳ ଦାସ ଓ ଦୀପାଳୀ ଦାସଙ୍କ ଯୁକ୍ତି ସେମିତି ଅବାସ୍ତବ ନୁହେଁ । ହେଲେ ସେମାନଙ୍କୁ ଏହା ଠାରୁ ଆଉ କିଛି ଅଧିକ କରିବାକୁ ପଡିବ ।
ଦାବି ଟେଲିଭିଜନ ପରଦାରେ କରିବା କିଛି ଭୂଲ ନୁହେଁ । କିନ୍ତୁ ଏହାକୁ ଅଧିକ ପ୍ରଭାବଶାଳୀ କରିବାକୁ ହେଲେ ସେମାନଙ୍କୁ ରାଜ୍ୟ ସରକାରଙ୍କୁ ବିଧିବଦ୍ଧ ଭାବେ ବର୍ତ୍ତମାନର ରାଜ୍ୟ ସରକାରଙ୍କ ନିକଟରେ ଦାବି କରିବାକୁ ପଡିବ ବା ହାଇକୋର୍ଟ ଅଥବା ସୁପ୍ରୀମ୍ କୋର୍ଟରେ ମାମଲା ଦାୟର କରିବା ପାଇଁ ପଡିବ । ସେହି ଦାବିପତ୍ର ବା କୋର୍ଟ ପ୍ରାର୍ଥନାପତ୍ରରେ କେଉଁ କାରଣରୁ ସେମାନେ କାହିଁକି କ୍ରାଇମ୍ବ୍ରାଂଚ ତଦନ୍ତରେ ସନ୍ତୁଷ୍ଟ ନାହାଁନ୍ତି ବୋଲି ବଳିଷ୍ଠ ଭାବରେ ନିଜର ମତ ଉପସ୍ଥାପନ କରିବା ଲାଗି ପଡିବ । ଯଦି ରାଜ୍ୟ ସରକାର ଓ କୋର୍ଟ ସେମାନଙ୍କ ଯୁକ୍ତି ଓ ମନ୍ତବ୍ୟକୁ ଉପଯୁକ୍ତ ବିଚାର କରନ୍ତି, ତେବେ ସିବିଆଇ ତଦନ୍ତ ଆଦେଶ ଦେଇପାରନ୍ତି ।
ଓଡ଼ିଶାର ଆଇନମନ୍ତ୍ରୀ ପୃଥ୍ୱିରାଜ ହରିଚନ୍ଦନ ମଧ୍ୟ ବିିଶାଳ ଦାସ ଓ ଦୀପାଳୀ ଦାସଙ୍କୁ ଲିଖିତ ଭାବରେ ରାଜ୍ୟ ସରକାରଙ୍କୁ ସିବିଆଇ ତଦନ୍ତ ଆଦେଶ ଦେବା ପାଇଁ ଆବେଦନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଶ୍ରୀ ହରିଚନ୍ଦନଙ୍କ ପରାମର୍ଶ ମଧ୍ୟ ବେଶ୍ ପ୍ରଣିଧାନଯୋଗ୍ୟ । କାରଣ ଏକ ଲିଖିତ ଆବେଦନ ସରକାରଙ୍କୁ ଆନୁଷ୍ଠାନିକ ଭାବେ ସିବିଆଇ ତଦନ୍ତ ଆଦେଶ ଦେବା ଲାଗି ପଥ ପରିଷ୍କାର କରିବ ।
ଅବଶ୍ୟ ରାଜ୍ୟ ସରକାର ନିଜ ଆଡୁ ବିନା ଲିଖିତ ପ୍ରାର୍ଥନା ବା ଆବେଦନରେ ସିବିଆଇ ତଦନ୍ତ ଦେବାରେ କୌଣସି ବାଧା ନାହିଁ । ହେଲେ ସରକାରଙ୍କ ଉପରେ ଏ ନେଇ ବିରୋଧୀମାନଙ୍କ ତରଫରୁ ଯଥେଷ୍ଟ ମାତ୍ରାରେ ରାଜନୈତିକ ଚାପ ସୃଷ୍ଟି କରିବାକୁ ପଡ଼ିବ । ହେଲେ ଏ ପର୍ଯ୍ୟନ୍ତ ଦୀପାଳୀ ଓ ବିଶାଳଙ୍କ ବ୍ୟତୀତ ବିଜେଡି ଓ କଂଗ୍ରେସ ଦଳ ତରଫରୁ ସେମିତି କିଛି ଚାପ ସୃଷ୍ଟି କରାଯାଇପାରିନାହିଁ । ବିଜେଡିର ବହୁ ପୁରୁଖା ନେତା ଏ ନେଇ ଏ ପର୍ଯନ୍ତ ପାଟି ଖୋଲିନାହାଁନ୍ତି ।
ବାପାଙ୍କ ମୃତ୍ୟୁ ପଛର ରହସ୍ୟ ଉନ୍ମୋଚନ ପାଇଁ ବିଶାଳ ଓ ଦୀପାଳୀଙ୍କୁ ଟେଲିଭିଜନ ଷ୍ଟୁଡିଓ ଦାବି ବାହାରେ ବହୁତ କିଛି କରିବାକୁ ପଡ଼ିବ । ସେମାନଙ୍କୁ ମୋହନ ମାଝି ସରକାରଙ୍କ ଉପରେ ରାଜନୈତିକ ଚାପ ସୃଷ୍ଟି କରିବାକୁ ପଡ଼ିବ । ଏହା ମଧ୍ୟରେ ବହୁ ସମୟ ଅତିକ୍ରାନ୍ତ ହୋଇଛି । ଅନେକ ପ୍ରମାଣପତ୍ର ନଷ୍ଟ ହୋଇଯାଇଥିବ । ଯାହାଫଳରେ କି ତଦନ୍ତ ପ୍ରକ୍ରିୟା ଅଧିକ ସଠିକ୍ ଓ ନିର୍ଭୂଲ୍ ହେବା ଟିକିଏ କଠିନ ହୋଇପାରେ । ବିଳମ୍ବରେ ହେଉ ପଛେ, ଯଦି ସିବିଆଇ ତଦନ୍ତ ହୁଏ, ତେବେ କିଛିଟା ସତ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି । ଏବେ ସବୁ କିଛି ନିର୍ଭର କରେ ବିଶାଳ ଓ ଦୀପାଳୀଙ୍କ ଦୃଢ ଆନ୍ତରିକତା ଓ ନିଷ୍ଠା ଉପରେ ।