• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଂଗ୍ରେସ ନେତାଙ୍କ ତୁଣ୍ଡରେ ରହୁନି ଲଗାମ । କଂଗ୍ରେସ ର ଜଣଙ୍କ ପରେ ଜଣେ ନେତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ କ୍ଷୁବ୍ଧ ବିଜେପି । କଂଗ୍ରେସ ସଭାପତି ମଲ୍ଲିକାର୍କୁନ ଖଡଗେଙ୍କ ମନ୍ତବ୍ୟକୁ ନେଇ ସଂସଦରେ ଉଠିଛି ଝଡ଼ । ଗତକାଲି ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଖଡ଼ଗେ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଥିଲା ବିଜେପି । ଏହାକୁ ନେଇ କିଛି ସମୟ ପାଇଁ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ସେପଟେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ କଂଗ୍ରେସ ନେତା ଅଜୟ ରାଏ ଦେଇଥିବା ମନ୍ତବ୍ୟକୁ ନେଇ କଂଗ୍ରେସକୁ ଘେରିଛି ବିଜେପି । ଜବାବରେ, ମୁଁ କିଛି ଭୁଲ କହିନି ବୋଲି କହିଛନ୍ତି ଅଜୟ ।

ଉଭୟ ଦଳର ନେତାଙ୍କ ବାକଯୁଦ୍ଧ ବଢ଼ାଇବା ସହ ଜାତୀୟ ରାଜନୀତିକୁ ସରଗରମ କରିଛି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ କୁତ୍ତା ମନ୍ତବ୍ୟ । ଖଡ଼ଗେ କହିଥିଲେ, ଦେଶ ପାଇଁ ଲଢ଼ି ସ୍ୱାଧିନତା ଆଣି ଦେଇଛି କଂଗ୍ରେସ । ଦେଶର ଏକତା ପାଇଁ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧିଙ୍କ ଭଳି ନେତା ଜୀବନ ଦେଇଛନ୍ତି । ଆମ ଦଳର ନେତା ତ ଜୀବନ ଦେଲେ, ହେଲେ ଆପଣ କଣ କରିଛନ୍ତି । ଦେଶ ପାଇଁ ଆପଣଙ୍କ ଘରର କୁତ୍ତା ବି ମରିଛି କି ବୋଲି ବିଜେପିକୁ ପଚାରିଥିଲେ ଖଡ଼ଗେ ।

ଅଧିକ ପଢ଼ନ୍ତୁ: କଂଗ୍ରେସ ନେତାଙ୍କୁ ମହଙ୍ଗା ପଡ଼ିଲା 'ମୋଦିଙ୍କୁ ହତ୍ୟା' ବୟାନ

ଖଡ଼ଗେଙ୍କ ଏହି ମନ୍ତବ୍ୟରେ କ୍ଷୁବ୍ଧ ହୋଇଛି ବିଜେପି । କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ଇଏ ଅର୍ଜିନାଲ କଂଗ୍ରେସ ନୁହେଁ, ଏହା ଡୁପ୍ଲିକେଟ୍ କଂଗ୍ରେସ । ତେଣୁ ଏ କଂଗ୍ରେସ ନିଜକୁ କାହା ସହ ତୁଳନା କରିବା ଠିକ୍ ନୁହେଁ । ମଲ୍ଲିକାର୍ଜୁନଙ୍କ ମନ୍ତବ୍ୟକୁ ନେଇ ରାଜ୍ୟସଭାରେ ମଧ୍ୟ ଦେଖିବାକୁ ମିଳିଛି ତାତି । ଖଡ଼ଗେଙ୍କ କ୍ଷମା ପ୍ରାର୍ଥନା ଦାବିରେ ବିଜେପି ସାଂସଦମାନେ ହୋହଲ୍ଲା କରିଛନ୍ତି । ତେବେ ଜବାବରେ ଖଡ଼ଗେ କହିଛନ୍ତି ଯେ, ମୁଁ ଯାହା କହିଛି ତାହା ଗୃହ ବାହାରେ । ତେଣୁ ଗୃହରେ ଏହା ଆଲୋଚନା କରିବାର ଆବଶ୍ୟକତା ନାହିଁ । ଆହୁରି କହିଛନ୍ତି, ଗୃହ ବାହାରେ ଯାହା କହିଛି ଯଦି ତାକୁ ପୁଣି ଗୃହରେ କହିବି ।

ସେହିପରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ କଂଗ୍ରେସ ନେତା ଅଜୟ ରାୟଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ ବି ମୁହାଁମୁହିଁ ବିଜେପି ଓ କଂଗ୍ରେସ । ସୋମବାର ଦିନ ଅଜୟ ରାୟ କହିଥିଲେ, ଆମେଥିରେ ଅନେକ ଫ୍ୟାକ୍ଟ୍ରି ବନ୍ଦ ହୋଇଗଲାଣି, ଜଗଦିଶପୁର ଶିଳ୍ପାଞ୍ଚଳ ମଧ୍ୟ ବନ୍ଦ ହେବାକୁ ବସିଛି । ହେଲେ ଇରାନୀ ଆମେଥି ନିର୍ବାଚନ ମଣ୍ଡଳୀରୁ ଆସିଛନ୍ତି କେବଳ ଲଟକା ଏବଂ ଝଟକା ଶୋ ଲାଗି ।

ଅଜୟଙ୍କ ଏହି ମନ୍ତବ୍ୟ ପରେ, ନିଜେ ଟୁଇଟ୍ କରି କଂଗ୍ରେସ ଉପରେ ବର୍ଷିଛନ୍ତି ସ୍ମୃତି ଇରାନୀ । କଟାକ୍ଷ କରି ଲେଖିଛନ୍ତି, ଶୁଣିବାକୁ ମିଳୁଛି ରାହୁଲ ଗାନ୍ଧି ନିଜର କୌଣସି ପ୍ରାନ୍ତୀୟ ନେତାଙ୍କ ଦ୍ୱାରା ଅଭଦ୍ର ଭାବେ ୨୦୨୪ରେ ଆମେଥିରୁ ଲଢ଼ିବାର ଘୋଷଣା କରିଛନ୍ତି । ଏହାପରେ ସ୍ମୃତି ଇରାନୀ ଟୁଇଟରେ ରାହୁଲଙ୍କୁ ପଚାରିଛନ୍ତି ଯେ, ତେବେ କଣ ଆପଣ ଆମେଥିରୁ ଲଢ଼ିବା ପକ୍କା ବୋଲି ଭାବିବି? ଅନ୍ୟ କୌଣସି ସିଟକୁ ପଳାଇବେ ନାହିଁ ତ? ଆପଣ ଡରିଯିବେନି ତ?

ଆପଣ ଓ ଆପଣଙ୍କ ମାଆ ନିଜର ମହିଳା-ବିରୋଧୀ ଗୁଣ୍ଡାଙ୍କ ପାଇଁ ନୂଆ ଭାଷଣ ଲେଖକ ଖୋଜିବା ଦରକାର ବୋଲି ସ୍ମୃତି ଟୁଇଟ୍ କରିଛନ୍ତି । ବିଜେପି ନେତା ମାନେ ମଧ୍ୟ ଏଭଳି ମନ୍ତବ୍ୟ ଦେଶର ମହିଳାଙ୍କ ପାଇଁ ଅପମାନ ବୋଲି ଅଭିଯୋଗ କରିବା ସହିତ କଂଗ୍ରେସର କ୍ଷମା ପ୍ରାର୍ଥନା ଓ ଅଜୟଙ୍କୁ ଦଳରୁ ବହିଷ୍କାର ଦାବି କରିଛନ୍ତି । ଅନ୍ୟପକ୍ଷରେ ଅଜୟ ରାୟ ସଫେଇ ଦେଇଛନ୍ତି, ଏହା ଅସାମ୍ବିଧାନିକ ଭାଷା ନୁହେଁ, ଏହା ବୋଲ ଚାଲ କି ଭାଷା । କାହାକୁ ଅପମାନ କଲା ଭଳି ଶଦ୍ଦ କହିନି ତେଣୁ କ୍ଷମା ମାଗିବି କାହିଁକି ?