ସରକାରୀ ନିଷ୍ପତ୍ତି ବନାମ ମହିଳା କମିଶନ । ପଦବୀରୁ ହଟାଯିବାର ୧୮ ଦିନ ପରେ ଚେୟାର ଛାଡୁନାହାନ୍ତି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା। କାର୍ଯ୍ୟକାରୀ ହେଉନି ବରଖାସ୍ତ ନିର୍ଦ୍ଦେଶ । ଯାହାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା । ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ନିଜେ ଅଧ୍ୟକ୍ଷା କହୁଛନ୍ତି ଏନେଇ ତାଙ୍କ ପାଖେ କୌଣସି ସୂଚନା ନାହିଁ ।
Also Read
ବିବାଦ ତେଜୁଛି, ସରକାରୀ ନିଷ୍ପତ୍ତି ଉପରେ ପ୍ରଶ୍ନଚିହ୍ନ ଲାଗିଛି । ଅକ୍ଟୋବର ୨୩ ତାରିଖ । ମହିଳା କମିଶନ ଅଧ୍ୟକ୍ଷା ଓ ଅନ୍ୟ ସଦସ୍ୟମାନଙ୍କୁ ସରକାର ବରଖାସ୍ତ କରିଥିବା ନେଇ ଗଣମାଧ୍ୟମକୁ ସୂଚନା ଦିଆଗଲା । ଆଉ ଏହାର ୫ ଦିନ ପରେ ଅର୍ଥାତ୍ ଅକ୍ଟୋବର ୨୮ରେ ଖରାପ ପ୍ରଦର୍ଶନ ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ମହିଳା ଓ ଶିଶୁ ବିକାଶ ବିଭାଗ । ହେଲେ ପ୍ରଶ୍ନ ଉଠୁଛି ସରକାରଙ୍କ ଏତେ ବଡ଼ ନିଷ୍ପତ୍ତି ପରେ ଆଜି ବି ନିୟମିତ ଅଫିସ୍ ଆସୁଛନ୍ତି, ମହିଳା କମିଶନଙ୍କ ଚେୟାରରେ ବସି ଦାୟିତ୍ବ ତୁଲାଉଛନ୍ତି । ବଡ଼ ବିଚିତ୍ର ସ୍ଥିତି । ହେଲେ ଏନେଇ ମୀନତିଙ୍କ ପ୍ରତିକ୍ରିୟା ହେଲା ବରଖାସ୍ତ ନେଇ ମୁଁ କିଛି କହିପାରିବିନି, ସରକାର ଯାହା ଦାୟିତ୍ବ ଦେଇଛନ୍ତି ତାକୁ ପାଳନ କରୁଛି । ଏପଟେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡାଙ୍କ କହିବା କଥା, ମୁଁ ବିଦେଶ ଗସ୍ତରେ ଥିଲି, ଆଜି ଆସିଲି । ଏନେଇ ସମୀକ୍ଷା କରିବା ପରେ କହିବି ।
ଅପରପକ୍ଷେ ମହିଳା କମିଶନ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ସରକାରଙ୍କ କଡ଼ା ଆଭିମୁଖ୍ୟକୁ ନେଇ ବର୍ଷିଛି ବିଜୁ ଜନତା ଦଳ । ଦଳ କହିଛି ଏହା ଏକ ରାଜ୍ୟ ମହିଳା କମିଶନ ଏକ ସାମ୍ବିଧାନିକ ପଦବୀ । ସରକାର ବଦଳିଲେ ବି ଏହା ଅପରିବର୍ତ୍ତିତ ରହେ । ତିନି ବର୍ଷ କାର୍ଯ୍ୟକାଳ ସରିବା ପରେ ପୁଣି ଥରେ ନୂତନ ଅଧ୍ୟକ୍ଷା ନିଯୁକ୍ତ ହୁଅନ୍ତି । ବିଜେପି କିନ୍ତୁ ନିଜ ନେତ୍ରୀଙ୍କୁ ଏହି ପଦରେ ବସାଇବା ପାଇଁ ସମସ୍ତ ଆଇନ୍ ମୋଡି ମକଚି ଦେଉଛି । ପ୍ରଥମେ ବରଖାସ୍ତ କରି ତା ପରେ କିପରି କାରଣ ଦର୍ଶାଅ ନୋଟିସ ଜାରି ହେଉଛି ବୋଲି ପ୍ରଶ୍ନ କରିଛି ଦଳ । ସେପଟେ ବିଜେପି କହିଛି ଯେ, ମହିଳାମାନଙ୍କ ପ୍ରତି ଦୁଷ୍କର୍ମ, ହିଂସା ସବୁଦିନ ବଢ଼ି ବଢ଼ି ଯାଇଛି । ଅପରାଧମାନଙ୍କୁ ସଜ୍ଜା ଦେବାକୁ ଯେଉଁ ଦଣ୍ଡବିଧାନ ରହିଛି । ଯାହା ମହିଳା କମିଶନଙ୍କ ହାତରେ ରହିଛି ସେହି କର୍ତ୍ତବ୍ୟକୁ ଠିକ୍ ଭାବେ ସେ ପାଳନ କରିନାହାନ୍ତି । ନୈତିକତା ଦୃଷ୍ଟିରୁ ସେ ପଦ ଛାଡିଦେବା କଥା ବୋଲି ବିଜେପି ପକ୍ଷରୁ କୁହାଯାଇଛି ।
୨୦୨୨ ଅକ୍ଟୋବରରେ ତତ୍କାଳୀନ ନବୀନ ସରକାର ମୀନତିଙ୍କୁ ମହିଳା କମିଶନ ଅଧ୍ୟକ୍ଷା ଭାବେ ନିଯୁକ୍ତ କରିଥିଲେ । ତିନି ବର୍ଷରୁ ଆହୁରି ବର୍ଷେ ଅଛି କାର୍ଯ୍ୟକାଳ । ତେବେ ତା ପୂର୍ବରୁ ବିଜେପି ସରକାର ତାଙ୍କୁ ବରଖାସ୍ତ କରିବାର ୧୮ ଦିନ ବିତିବା ପରେ ବି କାହିଁକି ପଦବୀ ଛାଡୁନାହାଁନ୍ତି ମୀନତି ? ଯଦି ଆଇନଗତ କଟକଣା ରହିଛି ତେବେ ସରକାର କାହିଁକି ତରବରିଆ ଭାବେ ଏଭଳି ନିଷ୍ପତ୍ତି ନେଲେ ? ଆଇନଜୀବୀଙ୍କ ମତ ହେଲା ଏହା ସରକାରଙ୍କ ଇଚ୍ଛାଧୀନ ବ୍ୟାପାର । ସରକାର ଚାହିଁଲେ ଜଣଙ୍କୁ କାର୍ଯ୍ୟକାଳ ସରିବା ପୂର୍ବରୁ ହଟାଇ ପାରିବେ ।
- Reported by:
- DEBASHISH MOHANTY , RASHMIRANJAN DAS , JAGDISH DAS , ATULYA BOUT