• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହକି ବିଶ୍ୱକପ୍ ଆୟୋଜନ ପାଇଁ କୋଟି କୋଟି ଖର୍ଚ୍ଚ । ୨୦୧୮ରେ ୬୭ କୋଟି, ଚଳିତ ଥର ପ୍ରାୟ ୧୧ ଶହ କୋଟି । ଉନ୍ନତିମୂଳକ କାମ ପାଇଁ ଉଦ୍ଦିଷ୍ଟ ଡିଏମ୍ଏଫ୍ ଟଙ୍କା ହୋଇଛି ବିନିଯୋଗ । କାହା ସ୍ୱାର୍ଥରେ ପାଣି ଭଳି ଖର୍ଚ୍ଚ ହେଉଛି ଟଙ୍କା ?

ଗୋଟିଏ ପଟେ ସାରା ରାଜ୍ୟ ରେ ହକି ଫିଭର୍, ଅନ୍ୟପଟେ ହକି ଆଳରେ ରାଜ୍ୟ ସରକାରଙ୍କ ଢେର୍ ପ୍ରଚାର ପ୍ରସାର । ଫୁଲ୍ ଦମ୍‌ରେ ଚାଲିଛି ବ୍ରାଣ୍ଡ ନବୀନ୍‌ର ପ୍ରମୋସନ । କ୍ରୀଡ଼ାମନ୍ତ୍ରୀ ବିଧାନସଭାରେ ରଖିଥିବା ତଥ୍ୟ ଅନୁସାରେ ୨୦୧୮ ବିଶ୍ୱ କପ୍ ହକି ପାଇଁ ଖର୍ଚ୍ଚ ହୋଇଥିଲା ମାତ୍ର ୬୭ କୋଟି ଟଙ୍କା । କିନ୍ତୁ ଚଳିତ ବିଶ୍ୱକପ୍ ପାଇଁ ପ୍ରାୟ ୧୧ ଶହ କୋଟି ଟଙ୍କା ଖର୍ଚ୍ଚ କରିବାକୁ ବ୍ୟୟ ବରାଦ ହୋଇଛି ।

ସେଥିମଧ୍ୟରୁ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ର ନିର୍ମାଣ ଓ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ପାଇଁ ୮୭୫ କୋଟି ୭୮ ଲକ୍ଷ, ଆକୋମୋଡେସନ୍ ବିଲ୍ଡିଂ ବାବଦକୁ ୮୪ କୋଟି, ରାଉରକେଲାର ପାରିପାର୍ଶ୍ୱିକ ବିକାଶ ପାଇଁ ୧୦କୋଟି ୫୦ ଲକ୍ଷ, କଳିଙ୍ଗ ଓ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ର ସିନ୍ଥେଟିକ୍ ଟର୍ଫ ପାଇଁ ୧୭ କୋଟି ୫୦ ଲକ୍ଷ, ବ୍ରାଣ୍ଡିଂ, ମିଡିଆ ପବ୍ଲିସିଟି ପାଇଁ ୭୫ କୋଟି ଖର୍ଚ୍ଚ କରିବାକୁ ବ୍ୟୟ ବରାଦ କରାଯାଇଛି । ତେବେ ଉଦ୍‌ବେଗର କଥା ହେଲା, ବିଶ୍ୱ କପ୍ ଆୟୋଜନ ପାଇଁ ଏହି ଟଙ୍କା ଡାଇଭର୍ଟ ହୋଇଛି ଡିଷ୍ଟ୍ରିକ୍ଟ ମିନେରାଲ୍ ଫାଉଣ୍ଡେସନ୍ ଫଣ୍ଡରୁ । ବିର୍ସାମୁଣ୍ଡା ଓ କଳିଙ୍ଗ ଷ୍ଟାଡିୟମ୍ ନିର୍ମାଣ ଲାଗି DMFରୁ ୧୩୬ କୋଟି ୮୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି । ଆଉ ଏଥିଲାଗି କ୍ୟାବିନେଟ୍‌ର ଅନୁମୋଦନ ନିଆଯାଇଛି । ତେବେ ଡିଏମ୍ଏଫ୍ ରାଶିକୁ ଏଭଳି ଖର୍ଚ୍ଚ କରାଯିବା ନେଇ ଜାତୀୟ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହେଉଛି । ବିରୋଧୀ ବିଜେପି ମଧ୍ୟ ଏନେଇ ପ୍ରଶ୍ନ ଉଠାଇବା ସହ ସବୁ ନିୟମକୁ ଉଲ୍ଲଂଘନ କରି ଏଭଳି କରାଯାଇଥିବା ଅଭିଯୋଗ କରିଛି ।

ଅଧିକ ପଢ଼ନ୍ତୁ: ହକି ଆଳରେ ବିଜେଡିର ନିର୍ବାଚନୀ ପ୍ରଚାର ! ରାଜନୀତି ଗନ୍ଧ ବାରିଲେ ବିରୋଧୀ...

ଡିଏମ୍ଏଫ୍ ନିୟମ ଅନୁସାରେ ଏହି ପାଣ୍ଠି କେବଳ ପାନୀୟ ଜଳ ଯୋଗାଣ, ବାୟୁ ପ୍ରଦୂଷଣକୁ ରୋକିବା, ସ୍ୱାସ୍ଥ୍ୟ ଓ ଶିକ୍ଷାର ବିକାଶ, ମହିଳା ଓ ଶିଶୁ କଲ୍ୟାଣ, ଦକ୍ଷତା ବିକାଶ, ଗୃହ ନିର୍ମାଣ ଭଳି କାର୍ଯ୍ୟରେ ଲଗାଯାଇ ପାରିବ । ହେଲେ ଖେଳର ପ୍ରମୋସନ୍ ପାଇଁ ବ୍ୟବହାର ହେବା କଥା ନୁହେଁ କିନ୍ତୁ ନିୟମର ଉଲ୍ଲଂଘନ ହୋଇଥିବାରୁ ସୁନ୍ଦରଗଡ଼ ବାସିନ୍ଦା ମଧ୍ୟ ଆପତ୍ତି ଉଠାଇଛନ୍ତି । ସେମାନେ କହିଛନ୍ତି ହକି ଷ୍ଟାଡିୟମ୍ ହେଉ କିନ୍ତୁ ଲୋକଙ୍କ ମୌଳିକ ସୁବିଧା ସୁଯୋଗକୁ ଉପେକ୍ଷା କରାନଯାଉ । ଯେମିତିକି ଦୀର୍ଘ ୩୦ ବର୍ଷ ହେଲା ସରକାରଙ୍କ ଦ୍ୱାରା ଅନୁମୋଦନ ପାଇଥିବା ରାଜଗାଙ୍ଗପୁରର ରେଲ୍‌ୱେ ଓଭରବ୍ରିଜ୍, ଯାହାକି ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇପାରିନି ।

ସେହିପରି ୨୦୦୩ରେ କୁଆଁରମୁଣ୍ଡାଠାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ନିଜେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରାୟ ୨୦ ବର୍ଷ ପରେ ଏହି ସ୍ୱପ୍ନ, ସ୍ୱପ୍ନ ହୋଇ ରହିଛି । ତାଛଡ଼ା ୨୦୧୪ ନିର୍ବାଚନ ପୂର୍ବରୁ କୋଏଲ୍ ନଦୀ ଉପରେ ବ୍ୟାରେଜ୍ ଓ ରିଙ୍ଗ୍ ରୋଡ୍ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ୯ ବର୍ଷ ପରେ ରିଂ ରୋଡ୍ ଏବେ ଖାଲି ଫଳକରେ ସୀମିତ ।

ହକି ବିଶ୍ୱକପ୍ ସେଲିବ୍ରେସନ୍ ପାଇଁ ପ୍ରତି ପଂଚାୟତକୁ ୩୦ ହଜାର ଟଙ୍କା ଖର୍ଚ୍ଚ କରିବା ପାଇଁ କୁହାଯାଇଥିଲା । ଅନ୍ୟପକ୍ଷରେ ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶାର ବରପୁତ୍ର ଭାବେ କେବଳ ବିଜୁ ପଟ୍ଟନାୟକଙ୍କ ଗୁଣଗାନ କରାଯାଇଥିଲା । ଆଉ ମୁଖ୍ୟମନ୍ତ୍ରୀ ଭାବେ ନବୀନ ଙ୍କ ବ୍ରାଣ୍ଡ ପ୍ରମୋସନ୍ କରାଗଲା । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଭିନ୍ନ ଚର୍ଚ୍ଚା ହେଉଛି ।