• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ନବ ଦାସ ହତ୍ୟା ଘଟଣାର ତଦନ୍ତକୁ ଗୋଳାଉଛନ୍ତି କି ରାଜ୍ୟ ସରକାର ? FBIର ସହଯୋଗ ଲୋଡ଼ି କ୍ରାଇମବ୍ରାଂଚ, ତଦନ୍ତ ଦିଗକୁ ବାଟବଣା କରିବାକୁ ଚାହୁଁଛି କି ? କାହିଁକିନା ହତ୍ୟାକାଣ୍ଡ ପଛର ଷଡ଼ଯନ୍ତ୍ର ଉପରେ ଆଦୌ ତଦନ୍ତ ନକରି କେବଳ ଗୋପାଳର ମାନସିକ ସ୍ଥିତି ଉପରେ କ୍ରାଇମବ୍ରାଂଚ ଏବେ ଫୋକସ୍ କଲାଭଳି ମନେହେଉଛି ।

ଏହାରି ଭିତରେ ଗତକାଲି ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖି କହିଥିଲେ ଯେ, ଅପରାଧୀର ବ୍ୟାବହାରିକ ବିଶ୍ଳେଷଣ କ୍ଷେତ୍ରରେ ଦକ୍ଷତା ଅର୍ଜନ କରିଥିବା ଆମେରିକାର FBIର ସହାୟତା ପାଇଁ କ୍ରାଇମବ୍ରାଂଚ ଉଦ୍ୟମ କରୁଛି। ଯାହାକୁ ନେଇ ବଢ଼ିଛି ବିବାଦ । ହତ୍ୟା ପଛରେ କିଏ ଓ କାହିଁକି ଷଡ଼ଯନ୍ତ୍ର କରିଥିଲା ସେ ତଥ୍ୟ ସାମ୍ନାକୁ ନଆଣି ରାଜ୍ୟ ସରକାର ନୂଆ ନୂଆ ଫନ୍ଦି ବାହାର କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି ।

ଅଧିକ ପଢ଼ନ୍ତୁ: CBI ଉପରେ ଭରସା ନାହିଁ, FBI ଉପରେ ଏତେ ଭରସା !

ବ୍ୟକ୍ତିଗତ, ରାଜନୈତିକ ଓ ବ୍ୟାବସାୟିକ ଶତ୍ରୁତା ଦିଗରେ ବିଲ୍ କୁଲ୍ ତଦନ୍ତ ନହୋଇ କେବଳ ଗୋପାଳ କୈନ୍ଦ୍ରିକ ତଦନ୍ତ କରାଯାଉଛି । କ୍ରାଇମବ୍ରାଂଚ କେବଳ ଗୋପାଳକୁ ଜଣେ ମାନସିକ ରୋଗୀ ବୋଲି ଦର୍ଶାଇବା ଦିଗରେ ହିଁ ଉଦ୍ୟମ କରୁଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ଯାହା ଗୋପାଳକୁ ଖସିବାରେ ସୁହାଇବ ।

ନବ ଦାସ ହତ୍ୟା ମାମଲାରେ ଯଦି ବି FBIର ସହାୟତା ମିଳେ, ତାହେଲେ ଆମେରିକାର ଏହି ତଦନ୍ତକାରୀ ସଂସ୍ଥାର ବିହେଭିୟୋରାଲ୍ ସପୋର୍ଟ ୟୁନିଟ୍ କେବଳ ଗୋପାଳର ବ୍ୟାବହାରିକ ମୂଲ୍ୟାୟନ କରିବ । କିନ୍ତୁ ଅପରାଧ ଦିଗରେ ତଦନ୍ତ କରିବ ନାହିଁ । ଗୋପାଳ ଜଣେ ମାନସିକ ରୋଗୀ କି ନୁହେଁ ? ହତ୍ୟା ସମୟରେ ତାର ମାନସିକ ସ୍ଥିତି କଣ ଥିଲା ? ହତ୍ୟାକାଣ୍ଡ ପରେ ସେ ଅନୁତପ୍ତ କି ନୁହେଁ ସେ ବିଷୟରେ ଅଧ୍ୟୟନ କରିବ ।

ପ୍ରଶ୍ନ ଉଠୁଛି, ଏସସିବି ମେଡିକାଲ୍ ବୋର୍ଡ, CFSL, ଗୁଜରାଟ ଗାନ୍ଧିନଗରର DFSରେ ନାର୍କୋ ଓ ପଲିଗ୍ରାଫ୍ ଟେଷ୍ଟ, ପୂର୍ବରୁ LVA ଟେଷ୍ଟ, ସାଇକୋ ଆନାଲିସିସ୍ ପରୀକ୍ଷା ସରିଥିଲେ ବି FBI ସହଯୋଗର କାହିଁକି ଆବଶ୍ୟକତା ପଡ଼ିଲା ? ବିଶେଷଜ୍ଞଙ୍କ ରିପୋର୍ଟ ଦେଖାଇ ଗୋପାଳକୁ ମାନସିକ ରୋଗୀ ଭାବେ ଦର୍ଶାଇ ମାମଲାକୁ ଦୁର୍ବଳ ତଥା ରଫାଦଫା କରିବାକୁ ଉଦ୍ୟମ ହେଉଥିବା ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷରେ ଏଯାଏଁ ଯେତେ ସବୁ ପରୀକ୍ଷା ହୋଇଛି ସେଥିରୁ ଗୋପାଳର ମାନସିକ ସ୍ଥିତି ନେଇ ସ୍ପଷ୍ଟତା ନଥିବାରୁ କ୍ରାଇମବ୍ରାଂଚ ଏକ ପ୍ରକାର ଦ୍ୱନ୍ଦ୍ୱରେ ରହିଛି । ଅନ୍ୟପକ୍ଷରେ ଆଗକୁ ଯଦି ଗୋପାଳ, ବିଭିନ୍ନ ରିପୋର୍ଟକୁ କୋର୍ଟରେ ଚ୍ୟାଲେଞ୍ଜ କରେ, ସେହି ଆଶଙ୍କାକୁ ଏଡ଼ାଇବାକୁ FBI ବିଶେଷଜ୍ଞଙ୍କ ସହାୟତା ଲୋଡ଼ାଯାଇଥାଏ ପାରେ ବୋଲି ପୂର୍ବତନ ପୋଲିସ ଡିଜି କହିଛନ୍ତି ।