• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଧାମନଗର ବିଜେଡିରେ ବିଦ୍ରୋହ । ଉପନିର୍ବାଚନ ପାଇଁ ଅବନ୍ତୀ ଦାସଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ବଢୁଛି ଅସନ୍ତୋଷ । ଭୁବନେଶ୍ୱରରେ ତାଳିପକା ଉଦ୍ୟମ କରାଗଲା ପରେ ଅସନ୍ତୋଷ ବାହାରକୁ ଆସିଛି । ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ଭଦ୍ରକ ସ୍ଥିତ ବାସ ଭବନରେ ସମର୍ଥକମାନେ ପ୍ରବଳ ନାରାବାଜି କରିଛନ୍ତି । ଗତକାଲି ଭୁବନେଶ୍ୱର ରେ ରାଜେନ୍ଦ୍ର ଦାସଙ୍କ ମାନଭଂଜନ କରାଯାଇଥିବା ବେଳେ, ବିଦ୍ରୋହ ବଢିବା ପରେ ଆଜି ପୁଣି ଭଦ୍ରକରେ ରାଜେନ୍ଦ୍ର ଦାସ ଓ ତାଙ୍କ ସମର୍ଥକଙ୍କୁ ବୁଝାସୁଝା କରାଯାଇଛି ।

ପ୍ରାର୍ଥୀ ଘୋଷଣା ପରେ ବିଜେଡିରେ ତୀବ୍ର ହେଉଛି ଅସନ୍ତୋଷ । ରାଜେନ୍ଦ୍ରଙ୍କୁ ଟିକଟ୍ ନମିଳିବାରୁ ସମର୍ଥକଙ୍କ ଜୋରଦାର ବିରୋଧ । ଫେଲ୍ ମାରିଲା ଦଳର ତାଳିପକା ଉଦ୍ୟମ । ନାରାବାଜି ଚାଲିଛି ଯେ, ରାଜୁ ଦାସ ନାହିଁ ତ ଭୋଟ୍ ନାହିଁ । ସ୍ଳୋଗାନରେ କଂପିଲା ପରିବେଶ । ବିଜେଡି ନେତା ରାଜେନ୍ଦ୍ର ଦାସଙ୍କ ଭଦ୍ରକ ବାସଭବନରେ ସମର୍ଥକଙ୍କ ହୋହଲ୍ଲା ।

ଅଧିକ ପଢ଼ନ୍ତୁ: ଧାମନଗର ପାଇଁ ଅବନ୍ତୀଙ୍କ ନାଁ ଘୋଷଣା କଲା ବିଜେଡି

ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ଧାମନଗର ପାଇଁ ଦଳୀୟ ପ୍ରାର୍ଥୀ ହେବା ପରେ ବିଜେଡିରେ ଦେଖାଦେଇଛି ବିଦ୍ରୋହ । ଗତକାଲି ପ୍ରାର୍ଥୀ ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜୋରଦାର କସରତ କରିଥିଲା ବିଜେଡି । ଦଳର ସମସ୍ତ ନେତାଙ୍କ ଉପସ୍ଥିିତିରେ ଧାମନଗର ବିଜେଡିରେ ଥିବା ଗୋଷ୍ଠୀ କନ୍ଦଳର ସମାଧାନ ଲାଗି ହୋଇଥିଲା ତାଳିପକା ଉଦ୍ୟମ । ପରେ ପରେ ଦୁଇ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଓ ମୁକ୍ତିକାନ୍ତ ମଣ୍ଡଳ, ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ମିଳିତ ଫଟୋ ସାମ୍ନାକୁ ଆସିଥିଲା । ଏମିତିକି ବାହାରେ ଅପେକ୍ଷା କରି ରହିଥିବା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଲାବେଳେ ବି ରାଜେନ୍ଦ୍ର ଦାସ ଆଗେ କହିବେ ବୋଲି କହି ପ୍ରଣବ ଦାସ ତାଙ୍କୁ ଗୁରୁତ୍ୱ ଦେଇଥିଲେ । ଭୁବନେଶ୍ୱରରେ ଏକପ୍ରକାର ମ୍ୟାନେଜ୍ ହୋଇଥିବା ଦଳୀୟ କନ୍ଦଳ କିନ୍ତୁ ଭଦ୍ରକରେ ଫୁଟି ବାହାରିଥିଲା ।

ଆଜି ଦିନ ତମାମ ଧାମନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତର ନେତା ଓ କର୍ମୀ ରାଜେନ୍ଦ୍ରଙ୍କ ଘରକୁ ଆସିଥିଲେ । ସେମାନେ ରାଜେନ୍ଦ୍ରଙ୍କୁ ଟିକଟ୍ ମିଳିନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ଦାବି କରିଥିଲେ ରାଜେନ୍ଦ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢନ୍ତୁ । ଏମିତିକି ସୋସିଆଲ ମିଡିଆରେ ମଧ୍ୟ ରାଜେନ୍ଦ୍ର ପ୍ରାର୍ଥୀ ହେବା ନେଇ ବିଭିନ୍ନ ପୋଷ୍ଟ ଭାଇରାଲ୍ ହେଉଛି । ତାଛଡ଼ା ରାଜେନ୍ଦ୍ରଙ୍କ ଏକ କ୍ଷୋଭ ଭରା ଚିଠି ମଧ୍ୟ ଭାଇରାଲ୍ ହେବାରେ ଲାଗିଛି । ବିଦ୍ରୋହ ବଢିବା ପରେ ଭଦ୍ରକରେ ରାଜେନ୍ଦ୍ର ଓ ସମର୍ଥକଙ୍କୁ ସମର୍ଥକଙ୍କୁ ବୁଝାସୁଝା କରିଥିଲା ବିଜେଡିର ଏକ ଟିମ୍ । 

ସେପଟେ ଧାମନଗର ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହୋଇଛି । ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ଧାମନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକଙ୍କ ଗୋଷ୍ଠୀ ମିଳିତ ଭାବେ ରାଜନ୍ଦ୍ର ଦାସଙ୍କୁ ବିରୋଧ କରିବାରୁ ତାଙ୍କୁ ଟିକଟ ମିଳିଲା ନାହିଁ ବୋଲି କହୁଯାଉଛି । ଗତକାଲି ପ୍ରାର୍ଥୀ ଘୋଷଣା ପରେ ରାଜେନ୍ଦ୍ର ଦାସଙ୍କ ପ୍ରତିକ୍ରିୟାରୁ ବି ଅସନ୍ତୋଷ ବାରି ହେଉଥିଲା । ବିଜେଡି କିନ୍ତୁ କହିଛି ଯେ, ରାଜେନ୍ଦ୍ର ଦାସ ସେମିତି କିଛି କରିବେ ନାହିଁ ।

ବାଲେଶ୍ୱର ସଦର ଉପନିର୍ବାଚନବେଳେ ସ୍ୱରୁପ ଦାସଙ୍କୁ ପ୍ରାର୍ଥୀ ଘୋଷଣା କରଯିବା ପରେ ରବୀନ୍ଦ୍ରଙ୍କ ଜେନାଙ୍କ ଗୋଷ୍ଠୀ ଜୋରଦାର ବିରୋଧ କରିଥିଲେ । ବୁଝାସୁଝା ପରେ ନିର୍ବାଚନ ଲଢ଼ିଥିଲା ବିଜେଡି । ତେବେ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିବାରୁ ରାଜେନ୍ଦ୍ର ଦାସ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିବେ କି ନାହିଁ, ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

(ରିପୋର୍ଟର- ଭଦ୍ରକରୁ ପାର୍ଥସାରଥୀ ନାୟକ, ରଶ୍ମିରଂଜନ ଦାସ ଓ ଭୁବନେଶ୍ୱରରୁ ହରିହର ଚାନ୍ଦ)