ପିସିସି ସଭାପତିଙ୍କ ନିର୍ଦ୍ଦେଶରେ ବାହାରୁ ଥାଇ ଗୃହ ଅଚଳ କରୁଛି କଂଗ୍ରେସ । ସର୍ବଦଳୀୟ ବୈଠକ ବେଳେ ଖୋଦ୍ କଂଗ୍ରେସ ବିଧାୟକ ଏହା କହିଥିବା ନେଇ ବିଜେପି ବିଧାୟକ ଜୟନାରାୟଣଙ୍କ ଅଭିଯୋଗକୁ ନେଇ ଚର୍ଚ୍ଚା । ହେଲେ ଜବାବରେ ବିଧାୟକ ତାରା ବାହିନୀପତି କିନ୍ତୁ କଡ଼ା ଶବ୍ଦରେ ଏହାର ଖଣ୍ଡନ କରିବା ସହ ଜୟନାରାୟଣ ମିଛ କହୁଥିବାର ପାଲଟା ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ତେଜିଛି ରାଜନୀତି ।
Also Read
ଅଧିକ ପଢ଼ନ୍ତୁ: କଡ଼ ଲେଉଟାଉଛି ରାଜନୀତି, ଭକ୍ତଙ୍କ ଚକାଭଉଁରୀରେ ଘୂରୁଛି ବିଜେଡି !
ତୁରୀ ଫୁଙ୍କିଲେ, ବଇଁଶୀ ବଜେଇଲେ, କଳା ପୋଷାକ ପିନ୍ଧି ଘଣ୍ଟଘଣ୍ଟା ପିଟିଲେ । ଗୃହ ଭିତରେ ହଟ୍ଟଗୋଳ, ଗୃହ ବାହାରେ ପରିକ୍ରମା । ଗତକାଲି ହୁଇସିଲ୍ ବଜାଇବା ପରେ ଆଜି କଂଗ୍ରେସ ବିଧାୟକଙ୍କ ଏଭଳି ହୁଲ୍ଲଡବାଜିରୁ ପୁଣି ଧୋଇଗଲା ପ୍ରଶ୍ନକାଳ । ତାରା ବାହିନୀପତିଙ୍କ ନିଲମ୍ବନ ଅବଧି ଶେଷ ହେବା ପରେ ଆଜି ଗୃହକୁ ସବୁ ବିଧାୟକ କଳା ପୋଷାକ ପିନ୍ଧି ଆସି ପୁଣି ନାରୀ ନିର୍ଯାତନା ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ । ଗୃହ କମିଟି ଗଠନ ଦାବି କରି ଘଣ୍ଟଘଣ୍ଟା ପିଟିଥିଲେ । ଫଳରେ ଚାଲିପାରିଲାନି ଗୃହ । ହେଲେ ବିଧାନସଭାରେ ଲଗାତର କାହିଁକି କଂଗ୍ରେସର ଏ ଅଭିନବ ଉଗ୍ରରୂପ ? ନୂଆ ପିସିସି ସଭାପତିଙ୍କ ପାଇଁ ନୁହେଁ ତ ଏ ଷ୍ଟଣ୍ଟ ସୋ ? ଗୁମର ଖୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାଣ ମିଶ୍ର ।
ସେ କହିଛନ୍ତି ଆଜି ସର୍ବଦଳୀୟ ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଓ ତାରା ବାହିନୀପତି ମାନିଛନ୍ତି ପିସିସି ସଭାପତି ଭକ୍ତ ଦାସଙ୍କ ନିର୍ଦ୍ଦେଶରେ ଏମିତି ହେଉଛି । କଂଗ୍ରେସ ବିଧାୟକଙ୍କର କିନ୍ତୁ ଆଦୌ ଇଚ୍ଛା ନାହିଁ ଗୃହ ବନ୍ଦ କରିବାକୁ । ଏମିତିକି ନିଜ ମାଇଲେଜ୍ ପାଇଁ ପିସିସି ସଭାପତି ବାହାରୁ ଏଭଳି କରିବା ନିନ୍ଦନୀୟ ବୋଲି କହି ବି ଟାର୍ଗେଟ୍ କରିଥିଲେ ଜୟନାରାଣ ।
ହେଲେ ଜୟନାରାୟଣଙ୍କ ଏଭଳି ମନ୍ତବ୍ୟର କଡ଼ା କାଉଣ୍ଟର କରିଛନ୍ତି ତାରା । କହିଛନ୍ତି ଜୟନାରାୟଣ ମିଛ କହୁଛନ୍ତି । ତାଙ୍କ ଭଳି ବରିଷ୍ଠ ନେତା ମିଥ୍ୟା କହିବା ଦୁର୍ଭାଗ୍ୟଜନକ । ଅପରପକ୍ଷେ ବିଜେଡି କହିଛି ସରକାରୀ ଦଳ ଗୋଳି ପାଣିରୁ ଫାଇଦା ନେବାକୁ ଚାହୁଞ୍ଚି । ଯେଉଁଥିପାଇଁ ଗୃହକୁ ଚଳାଇ ଦେଉ ନାହାନ୍ତି ।
ବିଧାନସଭାରେ ଆଜିକୁ ୧୦ ଦିନ ହେବ କଂଗ୍ରେସ ନାରୀ ନିର୍ଯାତନା ପ୍ରସଙ୍ଗରେ ପ୍ରତିବାଦ ଜାରି ରଖିଛି । ଏପରିକି ଗତ ମଙ୍ଗଳବାର ଦଳ ଏ ସଂକ୍ରାନ୍ତରେ ମୁଲତବୀ ପ୍ରସ୍ତାବ ଦେଇ ଆଲୋଚନା କରିଥିଲେ ବି ପୁଣି କାହିଁକି ଗୃହକୁ ଅଚଳ କରୁଛି ? କୁହାଯାଉଛି ଆଗାମୀ ୨୭ ତାରିଖ ବିଧାନସଭା ଘେରାଉ ପାଇଁ ଡାକରା ଦେଇଥିବାରୁ ତାପୂର୍ବରୁ ମାହୋଲ ବନାଇବା ରଖିବାର ଇଏ ରଣନୀତି ହୋଇପାରେ । ଏବେ ଦେଖିବାର କଥା ମହିଳା ନିର୍ଯାତନାକୁ ମୁଖ୍ୟ ପ୍ରସଙ୍ଗ କରି ସରକାରୀ ଦଳକୁ ଘେରିବାକୁ ଚେଷ୍ଟାରେ ଥିବା କଂଗ୍ରେସ, ନିଜ ସ୍ଥିତିକୁ ରାଜ୍ୟରେ କେତେ ମଜଭୁତ କରିବାରେ ସଫଳ ହେଉଛି ।
ଅଧିକ ପଢ଼ନ୍ତୁ: ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ
- Reported by:
- JAGDISH DAS , SOUMYA RANJAN SAHOO