• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟରେ କ୍ଷମତା ଦଖଲ ପାଇଁ ବିଜେପି ର ବଡ଼ କସରତ । ବିଜେଡି ସହ ଲଢେଇ ପାଇଁ ଦଳ ପ୍ରସ୍ତୁତ କରିଛି ପ୍ଲାନ୍ । ଦୁଇ ସୂତ୍ରୀ ଫର୍ମୁଲାରେ ହେବ ଫାଇଟ୍ । ରାଜ୍ୟରେ ଆଗୁଆ ହୋଇପାରେ ବିଧାନସଭା ନିର୍ବାଚନ । ପୁଣିଥରେ ଏଭଳି ମନ୍ତବ୍ୟ ଦେଇ ଚର୍ଚ୍ଚା ସୃଷ୍ଟି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ଏଥିପାଇଁ ବିଜେପି ତାର ଗ୍ରାଉଣ୍ଡ ଓ୍ୱାର୍କରେ ଲାଗିଛି ।

ସେଥିପାଇଁ ଚଳିତ ବର୍ଷ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଗଲା ଡିସେମ୍ବରରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କନ୍ଧମାଳ ଓ ପୁରୀ ସଂସଦୀୟ କ୍ଷେତ୍ରରେ ସଭା କରିବା ସହ କାର୍ଯ୍ୟକର୍ତ୍ତାଙ୍କୁ ଦେଇଥିଲେ ଗୁରୁମନ୍ତ୍ର । ଦଳର ନେତା ଓ କର୍ମୀଙ୍କୁ ଦିଆଯାଇଛି ଟାସ୍କ । ଦୁଇ ସୂତ୍ରୀ ଫର୍ମୁଲା ଉପରେ କାମ କରୁଛି ଦଳ । ପ୍ରଥମରେ ରହିଛି, ବିଜେଡି ସରକାର ବିରୋଧରେ ଯେଉଁ ଅସନ୍ତୋଷର ବାତାବରଣ ରହିଛି ତାକୁ ହାଇଲାଇଟ୍ କରିବା ତା ସହିତ ଗରିବ, ପଛୁଆ, ଅନୁସୂଚିତ ଜନଜାତି, ମହିଳା, ଯୁବକଙ୍କ ରୋଜଗାର ଭଳି ପ୍ରସଙ୍ଗ ଉଠାଇବ ଦଳ ।

ସେହିପରି ବିଭିନ୍ନ ମୁଦ୍ଦାକୁ ଜନତାଙ୍କ ପାଖରେ ପହଞ୍ଚାଇବା ଲାଗି ସଙ୍ଗଠନକୁ ମଜଭୁତ୍ କରିବାକୁ ପଡିବ । ତେଣୁ ୩୭ ହଜାର ବୁଥ୍‌ରେ ସଙ୍ଗଠନକୁ ସୁଦୃଢ଼ କରିବାକୁ ଦଳର ରହିଛି ଯୋଜନା । କେବଳ ସେତିକି ନୁହେଁ ରାଜ୍ୟରେ ଡୁପ୍ଲିକେଟ୍ ସରକାର ଚାଲିଛି ଏବଂ ରାଜ୍ୟ ଶାସନ କିଏ ଚଳାଉଛି ବୋଲି ନଡ୍ଡା ପଚାରିଥିବା ପ୍ରଶ୍ନକୁ ଲୋକଙ୍କ ପାଖକୁ ନେବାକୁ ଦଳ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ସେପଟେ ଲୋକସଭା ପ୍ରବାସ ଯୋଜନା ଅନ୍ତର୍ଗତ ଆଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ସେପଟେ ବିଜେଡି କହିଛି ଓଡ଼ିଶାର ବିକାଶକୁ ନେଇ ଦଳ ଲୋକଙ୍କୁ ପାଖକୁ ଯିବ ।

ବୁଥ୍ ମଜଭୁତ୍ ଓ ରାଜ୍ୟ ସରକାର ବିରୋଧରେ ଲଢେଇ କରିବା ନେଇ ବିଜେପି ବିଭିନ୍ନ ସମୟରେ ଆହ୍ୱାନ ଦେଉଛି, ହେଲେ ତାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିପାରୁନି । ଗ୍ରାଉଣ୍ଡ ଲେବୁଲ୍‌ରେ କାମ କଲେ ଦଳ ଆଗକୁ ବଢିବ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ।

କେନ୍ଦ୍ର ସରକାରଙ୍କ ସଫଳତା ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଜୋର୍ ଦେଉଛି ବିଜେପି । ତେବେ ଏସବୁ ଟାସ୍କକୁ ଦଳ କେତେ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିପାରୁଛି ତା ଉପରେ ନିର୍ଭର କରୁଛି ସଫଳତା ।

(ରିପୋର୍ଟ- ହରିହର ଚାନ୍ଦ, ଭୁବନେଶ୍ୱର)