• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି କାର୍ଯ୍ୟାଳୟରେ ମହେଶ୍ୱର ମହାନ୍ତିଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏଥି ସହିତ ଦଳୀୟ ନେତୃବୃନ୍ଦ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ସେହିପରି ମହେଶ୍ୱର ମହାନ୍ତିଙ୍କ ପରଲୋକରେ ଗଭୀର ଶୋକପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସୋସିଆଲ ମିଡିଆରେ ବୈଜୟନ୍ତ ଟ୍ୱିଟ୍‌କରି ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଶ୍ରୀଯୁକ୍ତ ମହେଶ୍ୱର ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଏବଂ ମର୍ମାହତ । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଉଛି ।

ମହେଶ୍ୱର ମହାନ୍ତିଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ମଧ୍ୟ ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକାଉ ସମବେଦନା ଜଣାଇଛନ୍ତି ।

ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଭୁବନେଶ୍ୱରର  ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା । ଗତ ୧ ତାରିଖରେ ଅସୁସ୍ଥ ହେବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ । କିନ୍ତୁ ଆଜି ଭୋର ୩ଟା ୨୫ରେ ବ୍ରେନଷ୍ଟ୍ରୋକରେ ତାଙ୍କର ଦେହାନ୍ତ ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ପୁରୀରୁ କାଉନସିଲର୍ ଭାବେ ସେ ରାଜନୈତିକ କ୍ୟାରିୟର୍ ଆରମ୍ଭ କରିଥିଲେ ।

ସେ ପୁରୀ ପୌରପାଳିକାର ଅଧ୍ୟକ୍ଷ ଥିଲେ । ୧୯୯୫ରେ ଜନତା ଦଳରୁ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ । ତା’ ପରଠାରୁ ଲଗାତାର ୫ ଥର ପୁରୀର ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୦୦ରୁ ବିଜେଡି ଟିକେଟରେ ବିଧାୟକ ହୋଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ସେ ଆଇନ, ପଞ୍ଚାୟତିରାଜ, ରାଜସ୍ୱ ବିଭାଗର ମନ୍ତ୍ରୀ ରହିଥିଲେ । ୨୦୦୪ରୁ ୨୦୦୮ ଯାଏଁ ବିଧାନସଭାର ବାଚସ୍ପତି ଥିଲେ । ଏହି ସମୟରେ ସେ ଗୃହ କାର୍ଯ୍ୟକୁ ସେ ଅତ୍ୟନ୍ତ ଦକ୍ଷତାର ସହ ପରିଚାଳନା କରୁଥିଲେ । ସେ ଜଣେ ମେଳାପୀ, ଦୃଢ଼ ସଂଗଠକ ଓ ବେଶ୍ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିଲେ ।