• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲୋୟର ପିଏମଜିରେ ବିଜେପି ଯୁବ ମୋର୍ଚ୍ଚାର କର୍ମୀ ଓ ପୋଲିସ ମଧ୍ୟରେ ଗତକାଲିର ଖଣ୍ଡଯୁଦ୍ଧ । ଆଉ ଆଜି ଦେଖିବାକୁ ମିଳିଛି ତାର ଇଫେକ୍ଟ । ବିଜେଡି- ବିଜେପି ମଧ୍ୟରେ ଟୁଇଟ୍ ୱାର ସାଙ୍ଗକୁ ପରସ୍ପର ବିରୋଧରେ ପ୍ରେସ କନଫରେନ୍ସ ଲଢ଼େଇ । ଏହାସହ ରାସ୍ତାକୁ ଓହ୍ଲାଇ ବିଜେପିର ମୁଖ୍ୟମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ । ଗତକାଲିର ଘଟଣାକୁ ନେଇ ଆଜି ଆଗ ବିଜେଡି ପ୍ରେସମିଟ୍ କରି ସିଧା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରସଙ୍ଗ ଭିତରକୁ ଟାଣି ତାଙ୍କରି ଅନୁସାରେ ହିଁ ସବୁ କିଛି ହୋଇଛି ବୋଲି ଟାର୍ଗେଟ୍ କରିଛି ।

ଯୋଜନାବଦ୍ଧ ଭାବେ ପୋଲିସକୁ ବିଜେପି ଯୁବ ମୋର୍ଚ୍ଚା ଆକ୍ରମଣ କରିଥିବା ଅଭିଯୋଗ କରି ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛି ଦଳ । ଜବାବରେ ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ପଷ୍ଟୀକରଣ ନମାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଜବାବ ମାଗିବା ରାଜନୈତିକ ଅପରିପକ୍ୱତା ବୋଲି କହିଛନ୍ତି ।

ଅଧିକ ପଢ଼ନ୍ତୁ: ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ଖେଳୁଛି କି ଜାତି କାର୍ଡ ? ସରକାର ଆଣିବେ କି ସ୍ପେଶାଲ ସ୍କିମ୍ ?

ସେପଟେ ବିଜେପି ରାଜ୍ୟ ସଭାପତି ବି ପ୍ରେସମିଟ୍ କରି ଜବାବରେ ସରକାର ଓ ପୋଲିସ ଉପରେ ହମଲା କରିଛନ୍ତି । ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରେସମିଟ୍ କରି କହିଛନ୍ତି ପୋଲିସ ଓ ବିଜେଡିର ଗୁଣ୍ଡା ଲଗାଇ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ଉପରେ ଆକ୍ରମଣ ନିନ୍ଦନୀୟ । ଭିଡ଼ ଭିତରେ ଆକ୍ରମଣ କରୁଥିବା ଧଳା ସାର୍ଟ ପିନ୍ଧା ଯୁବକମାନେ ବିଜେଡିର ଗୁଣ୍ଡା ନୁହଁନ୍ତି ତ ବୋଲି ପ୍ରଶ୍ନ କରିବା ସହ ସରକାରଙ୍କ ପ୍ରତି ଆନୁଗତ୍ୟ ଦେଖାଇ କିଛି ପୋଲିସ ଅଧିକାରୀ ଯୁବ କର୍ମୀଙ୍କୁ ପିଟିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସମୀର ।

ଗୋଟିଏ ପଟେ ପ୍ରେସ କନ୍‌ଫରେନସ କରି ବିଜେପି-ବିଜେଡି ତୁତୁ ମେମେ ଚାଲିଥିଲା ତ ଏପଟେ ଟୁଇଟରରେ ବି ଚାଲିଥିଲା ଲଢ଼େଇ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ବିଜେପି କର୍ମୀଙ୍କ ଉପରେ ପୋଲିସ ଆକ୍ରମଣକୁ କଡ଼ା ନିନ୍ଦା କରିବା ସହ କିଛି ପୋଲିସ ଅଧିକାରୀ ଯେଉଁଭଳି ଏକପାଖିଆ ନିଷ୍ପତ୍ତି ନେଇ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତାହା ଗଣତନ୍ତ୍ର ପାଇଁ ଶୋଭନୀୟ ନୁହେଁ ବୋଲି କହିଛନ୍ତି । ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ହେଉଛନ୍ତି ଏକ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତା, ମାତ୍ର ପୋଲିସ ସେମାନଙ୍କୁ ଅପରାଧୀ ଭାବେ ଆକ୍ରମଣ କରିଛି, ତାହା ଚିନ୍ତାଜନକ ବୋଲି ଲେଖିଛନ୍ତି ଧର୍ମେନ୍ଦ୍ର ।

ସେପଟେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ଟୁଇଟ୍ କରି ଯୁବମୋର୍ଚ୍ଚା କର୍ମୀଙ୍କୁ ପୋଲିସ ମାଡ଼ର ନିନ୍ଦା କରିଛନ୍ତି । ଯାହାର ଜବାବରେ ଏକ ଭିଡିଓ ଟୁଇଟ୍ କରି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଗଣତନ୍ତ୍ରରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି ହେଲେ ଆତଙ୍କରାଜ ସୃଷ୍ଟି କରି ସୁରକ୍ଷାକର୍ମୀଙ୍କୁ ଲହୁଲୁହାଣ କରିବାର ଅଧିକାର ନାହିଁ ବୋଲି ଉଲ୍ଲେଖ କରିଛନ୍ତି । ସେହପରି ବିଜେଡି ସାଂସଦ ସସ୍ମିତ ପାତ୍ର ମଧ୍ୟ ଏକ ଭିଡିଓକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଟ୍ୟାଗ୍ କରି ‘ଆପଣଙ୍କ କର୍ମକର୍ତ୍ତା ପୋଲିସକୁ କିଭଳି ନିର୍ଦ୍ଦୟ ଭାବେ ପିଟୁଛନ୍ତି ଦେଖନ୍ତୁ’ ବୋଲି ଲେଖିଛନ୍ତି ।

ତେବେ ବିଜେପି-ବିଜେଡିର ଏ ଲଢ଼େଇ ଭିତରେ ଗତକାଲିଠାରୁ ଭାଇରାଲ ହେଉଥିବା ସବୁ ଦୃଶ୍ୟକୁ ନେଇ ବି ପ୍ରଶ୍ନ ଉଠିଛି । ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟା ପରେ ଘଟଣାସ୍ଥଳକୁ ଯିବାକୁ ପୋଲିସ ଡିଜିଙ୍କୁ ୧୦ ଦିନ ଲାଗିଯାଇଥିଲା ବେଳେ ଲୋୟର ପିଏମଜି ହଙ୍ଗାମାରେ ଆହତ ପୋଲିସ କର୍ମୀଙ୍କୁ ଭେଟିବାକୁ କିନ୍ତୁ ଘଣ୍ଟା କେଇଟା ଲାଗି ନଥିଲା । ସେହିପରି ଗୃହ ରାଷ୍ଟ୍ରମନ୍ତ୍ରୀ ବି ବ୍ରଜରାଜନଗର ଘଟଣାସ୍ଥଳକୁ ଯାଇ ନଥିଲା ବେଳେ ଏ ଘଟଣାରେ କିନ୍ତୁ ଏତେ ତତ୍ପରତା ଦେଖାଇବା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ତେବେ ବିଜେପି-ବିଜେଡିର ଏ ଲଢ଼େଇ ଭିତରେ ମୂଳ ପ୍ରସଙ୍ଗ, ଅର୍ଥାତ୍ ରହସ୍ୟ ଘେରରେ ଥିବା ନବ ହତ୍ୟାର ମୋଟିଭ୍ କେବେ ଖୋଲୁଛି ତାହାହିଁ ବଡ଼ ପ୍ରଶ୍ନ ।