• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ଦିଲ୍ଲୀରେ ଆପର ଶୋଚନୀୟ ପରାଜୟ ପରେ ପଞ୍ଜାବରେ ବଢିଛି ରାଜନୈତିକ କମ୍ପନ । ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଅଚାନକ ପଞ୍ଜାବ ବିଧାୟକଙ୍କ ବୈଠକ ଡକାଇଛନ୍ତି । ଏଥିରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ନିଜର ପୁରା କ୍ୟାବିନେଟ ସହ ଦିଲ୍ଲୀ ଅଭିମୁଖେ ବାହାରି ସାରିଛନ୍ତି । ଦିଲ୍ଲୀସ୍ଥିତ କପୁରତାଲା ହାଉସରେ ବୈଠକ ବସିବ । ଏହି ବୈଠକକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଥିବାବେଳେ କେଜ୍ରିୱାଲ ଭଗୱନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ନିଜେ ପଞ୍ଜାବ କମାଣ ଧରିବାକୁ ଷଡଯନ୍ତ୍ର କରୁଥିବାର ସାଂଘାତିକ ଅଭିଯୋଗ ଆଣିଛି ବିଜେପି ଓ କଂଗ୍ରେସ । 

ବିଜେପି ନେତା ମନଜିନ୍ଦର ସିଂ ସିରସା ଏକ ଭିଡିଓ ଜାରି କରି କହିଛନ୍ତି, ଦିଲ୍ଲୀରେ ହାରିବା ପରେ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ବିଧାୟକଙ୍କ ବୈଠକ ଡାକିଛନ୍ତି । ଶୁଣିବାକୁ ମିଳୁଛି, କେଜ୍ରିୱାଲ ଭଗୱନ୍ତ ମାନଙ୍କୁ ଅଯୋଗ୍ୟ ସାବ୍ୟସ୍ତ କରି ନିଜେ ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବା ଚେଷ୍ଟାରେ ଅଛନ୍ତି । ପଞ୍ଜାବରେ ମାନ ସରକାର ମହିଳାଙ୍କୁ ୧୦୦୦ ଟଙ୍କା ପ୍ରଦାନର ପ୍ରତିଶ୍ରୁତି ପୂରଣ କରିପାରି ନାହାନ୍ତି । ରାଜ୍ୟରେ ବଢୁଥିବା ନିଶା ସମସ୍ୟା ରୋକିବାରେ ବି ଫେଲ୍ ମାରିଛନ୍ତି । ପଞ୍ଜାବର ଆଇନ ଶୃଙ୍ଖଳ ପରିସ୍ଥିତି ପୁରା ବିପର୍ଯ୍ୟସ୍ତ ହୋଇପଡିଛି । ଏସବୁ କହି କେଜ୍ରିୱାଲ ଭଗୱନ୍ତ ମାନଙ୍କ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ।

ଅଧିକ ପଢନ୍ତୁ: ଫେଲ୍ ହୋଇଗଲା କେଜ୍ରିୱାଲଙ୍କ ଦିଲ୍ଲୀ ମଡେଲ୍, କ'ଣ ହେବ କେଜ୍ରିୱାଲଙ୍କ ଭବିଷ୍ୟତ?

ଆହୁରିମଧ୍ୟ ବିଜେପି ନେତା ଭଗୱନ୍ତ ମାନଙ୍କୁ କେଜ୍ରିୱାଲଙ୍କଠାରୁ ସତର୍କ ରହିବାକୁ ଚେତାଇ କହିଛନ୍ତି, ଏଇଟା ପଞ୍ଜାବ । କେଜ୍ରିୱାଲଜୀ ଭୁଲରେ ଏଠି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖନ୍ତୁ ନାହିଁ । କୌଣସି ପରିସ୍ଥିତିରେ ପଞ୍ଜାବବାସୀ ଏପରି ହେବାକୁ ଦେବେନି । କେଜ୍ରିୱାଲ କାହାରି ନିଜର ନୁହଁନ୍ତି । ତେଣୁ ତାଙ୍କ ପ୍ରତି ସତର୍କ ରହିବାକୁ ସେ ମାନଙ୍କୁ କହିଛନ୍ତି ।

ଏହାପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ତଥା ପଞ୍ଜାବର ବିରୋଧୀ ଦଳ ନେତା ପ୍ରତାପ ସିଂହ ବାଜୱା କେଜ୍ରିୱାଲଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ । ସେ କହିଥିଲେ, ଦିଲ୍ଲୀରେ ହାରିବା ପରେ ଅରବିନ୍ଦ କେଜ୍ରିୱାଲ ଏବେ ପଞ୍ଜାବ ଯିବେ ଏବଂ ସେଠାରେ ମୁଖ୍ୟମନ୍ତ୍ରୀ ହେବାକୁ ଚେଷ୍ଟା କରିବେ । ଏଥିସହ ଆପର ପ୍ରାୟ ୩୦ ଜଣ ବିଧାୟକ କଂଗ୍ରେସ ସହ ଯୋଗାଯୋଗରେ ରହିଥିବା ମଧ୍ୟ ସେ ଦାବି କରିଛନ୍ତି ।

ଅନ୍ୟପଟେ ଆପ୍ ସୂତ୍ର ଅନୁସାରେ, କେଜ୍ରିୱାଲ ପଞ୍ଜାବର ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ଏହି ବୈଠକ ଦିଲ୍ଲୀ ନିର୍ବାଚନ ଉପରେ ଆଲୋଚନା କରିବାକୁ ଏବଂ ସେମାନଙ୍କ ପ୍ରତିକ୍ରିୟା ନେବାକୁ ଡକାଇଛନ୍ତି । କାରଣ ଏହି ନେତାମାନେ ଦିଲ୍ଲୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ସକ୍ରିୟ ଭାବେ ପ୍ରଚାର କରିଥିଲେ । ପଞ୍ଜାବ ସିଏମ୍ ମାନଙ୍କ ସମେତ କ୍ୟାବିନେଟ ମନ୍ତ୍ରୀ, ସାଂସଦ, ବିଧାୟକ ଓ ୨୦୦ରୁ ଅଧିକ ଦଳୀୟ କାର୍ଯ୍ୟକର୍ତ୍ତା ନିର୍ବାଚନ ପ୍ରଚାର ପାଇଁ ଦିଲ୍ଲୀରେ ଅନେକ ଦିନ ଯାଏଁ ଡେରାରେ ପକାଇଥିଲେ । ତେଣୁ ବୈଠକର ଏଜେଣ୍ଡା ଦିଲ୍ଲୀ ପରାଜୟର ବିଶ୍ଲେଷଣ କରିବା ଓ ୨୦୨୭ ଆରମ୍ଭରେ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ବୋଲି କୁହାଯାଉଛି । ତେବେ ଦିଲ୍ଲୀ ହାରିବା ପରେ ଏବେ ପଞ୍ଜାବ ହେଉଛି ଆପ୍ ଦଖଲରେ ଥିବା ଏକମାତ୍ର ରାଜ୍ୟ । 

ଅଧିକ ପଢନ୍ତୁ: ଏହି ଦିନ ଶପଥ ନେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ !

 

OTV is now on Whatsapp

Join and get latest news update delivered to you via whatsapp

Join Now