/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678072883.jpg)
soumya patnaik
ପୁଣି ବିଜେଡିକୁ ପ୍ରଶ୍ନବାଣ ମାରିଲେ ଦଳୀୟ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । କହିଲେ, ଅଜାଙ୍କ ନିଶ ଥିଲେ କ’ଣ ହେବ, ଯଦି ମୋର ନାହିଁ । ବିଜୁ ଜୟନ୍ତୀ ଅବସରରେ ପାରାଦୀପରେ ଆୟୋଜିତ କାର୍ଯ୍ୟକ୍ରମରେ ସୌମ୍ୟ କହିଛନ୍ତି, ବିଜୁ ବାବୁ ୭ ବର୍ଷ କ୍ଷମତାରେ ରହିପାରିନଥିଲେ । କିନ୍ତୁ ବିଜେଡି ୨୨ ବର୍ଷ ହେଲା କ୍ଷମତାର ମହୁ ଚାଖିଲାଣି ।
ହେଲେ ଏ ମହୁ ଖାଇବାର ଯୋଗ୍ୟତା ତୁମର ଅଛି ତ ? ସଭାମଞ୍ଚରେ ଏଭଳି ସିଧାସଳଖ ପ୍ରଶ୍ନ କରିଛନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ । ତା’ସହ କହିଛନ୍ତି, ବିଜୁ ବାବୁଙ୍କର ଦୁଃସାହସ, ବିଜୁ ବାବୁଙ୍କ ସ୍ୱପ୍ନ ଏବଂ ବିଜୁ ବାବୁଙ୍କ ବିଶାଳ ହୃଦୟକୁ ଅଜାଙ୍କ ନିଶ ଭଳି ଅବତାରଣା କରିବା ସହ ଦଳୀୟ ନେତୃତ୍ୱଙ୍କ ଉଦ୍ଦେଶ୍ୟରେ ବାଣ ମାରିଛନ୍ତି ସୌମ୍ୟରଂଜନ ।
ଅଧିକ ପଢ଼ନ୍ତୁ: ସୋରରେ କୁହୁଳୁଛି ବିଜେଡି କଳି ! ଚାଲିଛି ଖୋଲା ଖୋଲି ଚ୍ୟାଲେଞ୍ଜ
ତେବେ ବିଜୁ ବାବୁଙ୍କ ଭଳି ଆମକୁ ବି ହେବା ଦରକାର ବୋଲି କହିଛନ୍ତି ସେ । କିଛି ଦିନ ତଳେ କଟକ ଲ' କଲେଜର ରୌପ୍ୟ ଜୟନ୍ତୀ ଉତ୍ସବରେ ମଧ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଥିଲେ ସୌମ୍ୟରଞ୍ଜନ । ପାରାଦୀପ ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ଦ୍ୱାରା ବିଜୁ ବାବୁଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ସୌମ୍ୟ ପଟ୍ଟନାୟକ ଏଭଳି ମନ୍ତବ୍ୟ ରଖିଛନ୍ତି ।
ସେହିପରି ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ମଧ୍ୟ କହିଛନ୍ତି, ବିଜେଡି ଯଦି ଓଡ଼ିଶାକୁ ‘ନବୀନ ଓଡ଼ିଶା’ କରିବ ତେବେ ମୁଁ କ’ଣ ମନା କରିବି କି ? ଓଡ଼ିଶାର ଜନସାଧାରଣ ତାକୁ କେତେଦୂର ଗ୍ରହଣ କରିବେ ସେ କଥା ଲୋକଙ୍କ ଉପରେ ନିର୍ଭର କରେ । ତେବେ ବିଜୁ ଜୟନ୍ତୀ ଅବସରରେ ଏହି ଦୁଇ ନେତାଙ୍କ ଏଭଳି ମନ୍ତବ୍ୟକୁ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ବାରମ୍ୱାର ବିଜେଡିକୁ ସୌମ୍ୟ ପ୍ରଶ୍ନବାଣ ମାରୁଥିବା ଦେଖିବାକୁ ମିଳୁଛି । କେତେବେଳେ ଦଳର ତୁଙ୍ଗନେତାଙ୍କ ଉପରେ ପ୍ରଶ୍ନ ଉଠାଉଛନ୍ତି ତ ପୁଣି କେତେବେଳେ ଶାସନକୁ ନେଇ ପ୍ରଶ୍ନ କରୁଛନ୍ତି ସୌମ୍ୟ । ତେବେ ସୌମ୍ୟଙ୍କ ଏପରି ବାରମ୍ବାର ମନ୍ତବ୍ୟ ଆଗାମୀ ନିର୍ବାଚନରେ ତାଙ୍କ ଉପରେ ପ୍ରଭାବ ପକାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)