BJD Conflict
ୱକଫ୍ ବିଲ୍ ଭୋଟିଂ ପରଠୁ ଦ୍ବନ୍ଦ୍ବ ଓ ଗୋଳମାଳରେ ଘାଣ୍ଟି ହେଉଥିବା ବିଜେଡିରେ ଥମୁନି ମେଳି। ତେଜିବାରେ ଲାଗିଛି ପାଣ୍ଡିଆନ୍ ବିରୋଧୀ ଅସନ୍ତୋଷ । ଗତକାଲି ଅଂଶୁମାନଙ୍କ ଘରେ ଯୁବନେତାଙ୍କ କବାଟ କିଳା ବୈଠକ ପରେ ପରେ ଆଜି ରାଜଧାନୀର ଏକ ହୋଟେଲରେ ଯୁବ ଓ ଅଭିଜ୍ଞଙ୍କ ମେଳି ହୋଇଥିଲା । ଅନ୍ୟପକ୍ଷରେ ପ୍ରତାପ ଦେବଙ୍କ ଘରେ ଏକାଠି ହୋଇଥିଲେ ଆଉ କିଛି ବରିଷ୍ଠ।
ଏସବୁ ଭିତରେ ଥମୁନି ବାକ୍ୟ ବାଣ- ନବୀନଙ୍କୁ ଦୁର୍ବଳ ପାଇଁ ଚେଷ୍ଟା କଲେ ଛାଡ଼ିବୁନି ବୋଲି ଆଜି ଭେଟେରାନ୍ ଶଶିଭୂଷଣ ବେହେରା କହିଥିବା ବେଳେ ଆୟୁବ ଖାଁ କହିଛନ୍ତି ଏବେ ବିଜେଡିରେ ମନ୍ଥନ ଚାଲିଛି, ଯିଏ କ୍ଷତି କରିଛି ତାକୁ ବିଷ ଦିଆଯିବ । ଏଣେ ପାଣ୍ଡିଆନଙ୍କୁ ଟାର୍ଗେଟ କରି ଅଂଶୁମାନ କହିଛନ୍ତି, ସେ ସନ୍ନ୍ୟାସ ନେଇସାରିଛନ୍ତି, ଫେରିଲେ ସମର୍ଥନ କରିବୁ ନାହିଁ ।
ବିଜେଡିର ଏହି ନେତାମାନଙ୍କ ନନଷ୍ଟପ୍ ବିଷୋଦଗାରରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି । ଦଳରେ ଏବେ କେତେ ଜୋରରେ କୁହୁଳୁଛି ପାଣ୍ଡିଆନ୍ ବିରୋଧୀ ନିଆଁ କିଭଳି ତେଜିଛି ପାଣ୍ଡିଆନ୍ ହଟାଅ ଅଭିଯାନ । ଚାଲିଛି ମେଳି ପରେ ମେଳି । ଗୋଟିଏ ପଟେ ଶଙ୍ଖ ଦଳର ଭେଟେରାନ୍ ଏକାଠି ହୋଇ ଘନ ଘନ ଆଲୋଚନା ଚଳାଇଛନ୍ତି ତ ଅନ୍ୟପଟେ ୟଙ୍ଗ ବ୍ରିଗେଡଙ୍କର ବି ଚାଲିଛି ରୁଦ୍ଧଦ୍ବାର ବୈଠକ ।
ଗତକାଲି ଅଂଶୁମାନ ମହାନ୍ତିଙ୍କ ଘର ଓ ପରେ ଶଙ୍ଖ ଭବନରେ ଯୁବ ନେତାଙ୍କ ମେଳି ପରେ ଆଜି ଭୁବନେଶ୍ବରର ଏକ ହୋଟେଲରେ ଏକାଠି ହୋଇଥିଲେ ବରିଷ୍ଠ ନେତା । ଏଭଳି ସ୍ଥିତିରେ ଦଳର ବରିଷ୍ଠ ନେତା ଆୟୁବ ଖାନ୍ କିନ୍ତୁ ରଖିଛନ୍ତି କଡ଼ା ମନ୍ତବ୍ୟ । ଆୟୁବ କହିଛନ୍ତି- ଏବେ ବିଜେଡିରେ ମନ୍ଥନ ଚାଲିଛି । ବିଷ ବାହାରିବ, ଅମୃତ ବି ବାହାରିବ । କିନ୍ତୁ, ଯିଏ ଦଳର କ୍ଷତି କରିଛି, ତାକୁ ବିଷ ଦିଆଯିବ । ୱକଫ୍ ବିଲ୍ ଭୋଟିଂ ବେଳେ ଯିଏ ଭୁଲ୍ ଷ୍ଟେଟମେଣ୍ଟ ପାଇଁ ବାଧ୍ୟ କରିଛନ୍ତି, ତାଙ୍କ ବିରୋଧରେ ଆକ୍ସନ ହେଉ । ସେହିପରି କଡ଼ା ଚେତାବନୀ ଦେଇ ଶଶିଭୂଷଣ ବେହେରା କହିଛନ୍ତି- ବାହ୍ୟଶକ୍ତି ହେଉ କି ଦଳ ଭିତରୁ, ନବୀନଙ୍କୁ ଯେ କେହି ଦୁର୍ବଳ କରିବାକୁ ଚେଷ୍ଟା କଲେ ଛାଡ଼ିବୁନି ।
ଅଧିକ ପଢ଼ନ୍ତୁ: ନବୀନ ନିବାସରେ ପହଞ୍ଚିଲେ ବଡ଼ ନେତା, କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା
ସେମିତି ଯୁବନେତା ଅଂଶୁମାନ ମହାନ୍ତି କହିଛନ୍ତି- ୱକଫ୍ ଘଟଣାବଳୀ ସମ୍ପର୍କରେ ଆମେ ଦଳ ସୁପ୍ରିମୋଙ୍କ ଦୃଷ୍ଟି ଆକର୍ଷଣ କରିସାରିଛୁ । ଘଟଣା ପଛରେ କିଏ ? କାର୍ଯ୍ୟାନୁଷ୍ଠାନ ଦାବି କରିଛୁ। ଯଦି ଡାକନ୍ତି- ଆମ ଦାବି ସଭାପତିଙ୍କୁ ଜଣାଇବୁ । ତେବେ ପୁରା ପ୍ରସଙ୍ଗରେ ପାଣ୍ଡିଆନ୍ ସଂପର୍କିତ ପ୍ରଶ୍ନର ଉତ୍ତର ଦେଇ ଅଂଶୁମାନ କହିଥିଲେ, ତାଙ୍କୁ ସମର୍ଥନ କରିବାର ପ୍ରଶ୍ନ ଉଠୁନି । ସେ ସନ୍ନ୍ୟାସ ନେଇସାରିଛନ୍ତି । ତାଙ୍କ ବିଷୟରେ ଚର୍ଚ୍ଚା କରିବା ଅନାବଶ୍ୟକ ।
ୱକଫ୍ ବିଲ୍ ଭୋଟିଂ ପରଠୁ ବିଜେଡିରେ ସୃଷ୍ଟି ହୋଇଥିବା ଘମାସାନ ଓ ନେତାଙ୍କ ଘନ ଘନ ମେଳି ସତ୍ତ୍ବେ ସୁପ୍ରିମୋ ନବୀନ ଆଦୌ ମୁହଁ ଖୋଲୁନାହାନ୍ତି । ଗୋଟିଏ ପଟେ ଯୁବ ନେତା ମେଳି କରି ସୁପ୍ରିମୋଙ୍କଠାରୁ କଣ ଉତ୍ତର ଚାହିଁଛନ୍ତି । ଗତକାଲି ଲେଖାଯାଇଥିବା ଏକ ଚିଠିରୁ ଜଣାପଡିଛି ।
ଅଂଶୁମାନ ମହାନ୍ତି, ସମ୍ବିତ ରାଉତରାୟ ଓ ପ୍ରଣବ ବଳବନ୍ତରାୟଙ୍କ ସହ ୭ଜଣ ଯୁବ ନେତାଙ୍କ ଦସ୍ତଖତ ଥିବା ଚିଠିରେ ଲେଖିଛନ୍ତି- ରାଜ୍ୟସଭାରେ ୱକଫ୍ ବିଲ୍ ମତଦାନବେଳେ ଦଳ ବିଭାଜିତ ହେବା ଆମମାନଙ୍କୁ ଚକିତ କରିଛି । ଦଳର ନୀତି ଓ ଆଦର୍ଶରୁ କେଉଁମାନେ କିପରି ଓ କାହିଁକି ହଠାତ୍ ବିଚ୍ୟୁତ ହେଲେ ? ତାର ସମୀକ୍ଷା ପୂର୍ବକ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏପଟେ ଆଜି ରାଜଧାନୀର ଏକ ହୋଟେଲରେ ବୈଠକ ପରେ ବିଧାୟକ ପ୍ରତାପ ଦେବଙ୍କ ଘରେ ମଧ୍ୟ ମେଳି କରିଥିଲେ ବରିଷ୍ଠ ନେତା। ଯେଉଁଥିରେ ସାମିଲ ହୋଇଥିଲେ ଅରୁଣ ସାହୁ, ସଂଜୟ ଦାସବର୍ମା, ଦେବୀ ମିଶ୍ର ଓ ବବି ଦାସ ପ୍ରମୁଖ । ହେଲେ ଗଣମାଧ୍ୟମ ଆଗରେ ଅସଲ ପ୍ରସଙ୍ଗକୁ ଏଡ଼ାଇ ଯାଇ କେବଳ ଦଳୀୟ ସଂଗଠନ ନିର୍ବାଚନ ନେଇ ଏକାଠି ହୋଇଥିଲୁ ବୋଲି କହିଥିଲେ ଅରୁଣ। କିନ୍ତୁ, ଦଳର ନେତା ନବୀନ ପଟ୍ଟନାୟକ ଠିକଣା ସମୟରେ ଠିକଣା ନିଷ୍ପତ୍ତି ନିଅନ୍ତି ବୋଲି କହି ଚାଲି ଯାଇଥିଲେ ।
ଏସବୁ ଭିତରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଏକ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା । ଭୀଷ୍ମଙ୍କ ଶରଶଯ୍ୟା ବେଳର ଏକ ଫଟୋ ଛାଡ଼ି ଶ୍ରୀମୟୀ ଲେଖିଛନ୍ତି, ଭାଗ୍ୟ କାହାକୁ ଛାଡ଼େନି ।ଏମିତିକି କ୍ଷମତା କିମ୍ବା ଗର୍ବ ଭାଗ୍ୟଠାରୁ ବଡ଼ ନୁହଁ । ତେବେ ଶ୍ରୀମୟୀ କାହାକୁ ଇଙ୍ଗିତ କରି ଏଭଳି ପୋଷ୍ଟ କରିଛନ୍ତି ତାହା ସ୍ପଷ୍ଟ ହୋଇନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744212417.jpg)