• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ବିଜେଡିରେ ଏବେ ସଙ୍ଗୀନ ପରିସ୍ଥିତି । ଜଣେ ବିଜେଡି ସାଂସଦ ଆଉ ଜଣେ ବିଜେଡି ସାଂସଦଙ୍କୁ ଖୋଜୁଛନ୍ତି । ୱକଫ ସଂଶୋଧନ ବିଲକୁ ନେଇ ଦ୍ୱନ୍ଦ୍ୱ ଉପୁଜିବା ପରଠାରୁ ସସ୍ମିତ ପାତ୍ରଙ୍କୁ ଖୋଜୁଛନ୍ତି ମୁନା ଖାନ୍ ।

ମୁନା ଖାନ୍ କହିଛନ୍ତି, ୱକଫ ସଂଶୋଧନ ବିଲକୁ ରାଜ୍ୟସଭାରେ ଆମ ଦଳ ବିରୋଧ କରିବ ବୋଲି ଖୋଦ୍ ଦଳ ସଭାପତି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଥିଲେ । ତାଙ୍କୁ ପଚାରି ମୁଁ ଭୁବନେଶ୍ୱରରେ ଏକ ଶୋଭାଯାତ୍ରା ମଧ୍ୟ କରିଥିଲି । କିନ୍ତୁ ବିଲ୍ ସଂପର୍କରେ ଆଲୋଚନାର ପୂର୍ବଦିନ ସସ୍ମିତ ପାତ୍ର ସୋସିଆଲ୍ ମିଡିଆ ‘x’ ରେ ଭିନ୍ନ କଥା ଲେଖିଲେ । ବିଜେଡିର ରାଜ୍ୟସଭା ସାଂସଦମାନେ ବିବେକାନୁମୋଦିତ ଭୋଟ ଦେବାକୁ ଲେଖି ପୋଷ୍ଟ କଲେ । ଏଇଠୁ ଦଳ ଭିତରେ ଆରମ୍ଭ ହେଲା ଦ୍ୱନ୍ଦ୍ୱ । ନିଜେ ମୁନା ଖାନ୍ ଏହା କହିଛନ୍ତି ।

ଏଥିରେ ବିଜେଡିର ଅନେକ ସାଂସଦ ବ୍ୟତିବ୍ୟସ୍ତ ହୋଇପଡିଲେ । ମୁନା ଖାନ୍ ନିଜେ ସସ୍ମିତଙ୍କୁ ଫୋନ୍ କଲେ । ଜାଣିବାକୁ ଚାହିଁଲେ, କେମିତି ବଦଳିଗଲା ଦଳର ନିଷ୍ପତ୍ତି । କିନ୍ତୁ ସସ୍ମିତ ତାଙ୍କ ଫୋନ୍ ଉଠାଇନାହାନ୍ତି । କି ପରେ ବି କଲ୍ ବ୍ୟାକ୍ କଲେନି । ଦଳ ବିଲ୍ ସପକ୍ଷରେ ଯିବ ନହେଲେ ବିପକ୍ଷରେ ଯିବ, ବିବେକାନୁମୋଦିତ ଭୋଟ କ’ ଣ ବୋଲି ପ୍ରଶ୍ନ କରିଛନ୍ତି ମୁନା । ପରଦିନ ସଂସଦରେ ମୁନା ଖାନ୍ ବିଲ୍ ବିରୋଧରେ ଭୋଟ ଦେଲେ । ସସ୍ମିତ ପାତ୍ର ବିଲ୍ ସପକ୍ଷରେ ଭୋଟ ଦେଲେ । କିନ୍ତୁ କେହି କାହା ସହ କଥା ହୋଇନାହାନ୍ତି । ଦଳର ନିଷ୍ପତ୍ତି ବଦଳିଯିବା ସଂପର୍କରେ ସେ ସସ୍ମିତଙ୍କୁ ପଚାରିବାକୁ ଚାହୁଁଛନ୍ତି । କିନ୍ତୁ ପଚାରିପାରି ନାହାନ୍ତି ।

ଅଧିକ ପଢ଼ନ୍ତୁ: ଫେରିଲେ ମୁନ୍ନା; ଏୟାରପୋର୍ଟରେ ହିରୋ ପରି ସ୍ୱାଗତ, ଗଣମାଧ୍ୟମ ଆଗରେ ଦେଲେ ବିସ୍ଫୋରକ ବୟାନ...

ମୁନାଙ୍କ ରାଗ ଏବେ ପଞ୍ଚମରେ । ସେ ସସ୍ମିତଙ୍କ ଉପରେ ରାଗି ପାଚିକି ଲାଲ୍ । ଦଳରେ ଦୋମୁହାଁ ନୀତି ଚଳିବ ନାହିଁ ବୋଲି ରୋକଠୋକ୍ କହିଛନ୍ତି ମୁନା । ଭୋଟିଂ ପରେ ସସ୍ମିତ ପାତ୍ର ସଂସଦୀୟ ଟିମରେ ବିଦେଶ ଗସ୍ତରେ ଯାଇଛନ୍ତି । ମୁନା ସସ୍ମିତଙ୍କୁ ନପାଇ ରୋଷ ଝାଡିବାକୁ ଆଜି ନବୀନ ନିବାସ ଯାଇଥିଲେ । ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ପଚାରିଛନ୍ତି, କେଉଁ ପରିସ୍ଥିତିରେ ବଦଳିଗଲା ବିଜେଡିର ଷ୍ଟାଣ୍ଡ୍ । ମୁନା ଏକାକୀ ନବୀନ ନିବାସ ଯାଇନଥିଲେ, ତାଙ୍କ ସହ ଯାଇଥିଲେ ସଂଖ୍ୟାଲଘୁ ସଂପ୍ରଦାୟର ଅନେକ ନେତା ।

ଗର୍ଜନ କରି ନବୀନ ନିବାସ ଭିତରେ ସେମାନେ ପଶିଲେ । ନବୀନଙ୍କୁ ଦେଖା କରି ଅସନ୍ତୋଷ ଝାଡିଲେ । ରାଜ୍ୟସଭାରେ ଯାହା ହୋଇଛି ତା’ର ଅନୁଧ୍ୟାନ କରିବେ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମୁନାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଦଳ ମୁଖିଆ ନବୀନ ପଟ୍ଟନାୟକ । ଏ ସଂପର୍କରେ ସାଂସଦ ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

ଅଧିକ ପଢ଼ନ୍ତୁ:ବିଜେଡି ନେତା ପ୍ରଫୁଲ୍ଲ ଘଡ଼େଇଙ୍କ ବିସ୍ଫୋରକ ବୟାନ, କହିଲେ ମାଲିକ ଦୂର କରନ୍ତୁ ଦ୍ୱନ୍ଦ୍ୱ

  • Reported by:
  • SOUMYA RANJAN SAHOO