Advertisment

‘ମତେ ନୁହେଁ, ଏହା ରାଜଧାନୀବାସୀଙ୍କୁ ଅସମ୍ମାନ’

ଭୁବନେଶ୍ୱର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନଡାକିବା ପ୍ରସଙ୍ଗ ନେଇ ତେଜିଛି ବିବାଦ ।

author-image
Manoranjan Behera
ଅଦ୍ୟତନ ହୋଇଛି
Aparajita Sarangi

Aparajita Sarangi

ରାଜଧାନୀ ଭୁବନେଶ୍ୱର କୁ ପୁରିଲା ୭୫ ବର୍ଷ। ରାଜଧାନୀର ପ୍ଲାଟିନମ୍‌ ଜୁବ୍‌ଲି ପାଳନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ୩ ଦିନିଆ ଉତ୍ସବ ସହ ପ୍ରତିଷ୍ଠା ଦିବସ ପାଇଁ ବେଶ୍‌ ଚଳଚଞ୍ଚଳ ବିଏମ୍‌ସି କାର୍ଯ୍ୟାଳୟ। ୧୯୪୮ ମସିହା ଏପ୍ରିଲ ୧୩ ତାରିଖ ଅର୍ଥାତ୍‌ ଆଜିର ଦିନରେ ଓଡିଶାର ରାଜଧାନୀ ଭାବେ ନିଜର ପରିଚୟ ପାଇଥିଲା ଭୁବନେଶ୍ୱର। ସେତେବେଳେ ୩ଟି ରାଜସ୍ୱ ଗ୍ରାମ ଏବଂ ୧୫ ହଜାର ଲୋକ ସଂଖ୍ୟା ବିଶିଷ୍ଟ ଏହି ବିଜ୍ଞାପିତ ଅଞ୍ଚଳ ପରିଷଦ ପାଲଟିଲା ଓଡିଶାର ନୂଆ ରାଜଧାନୀ। 

Advertisment

ପୂର୍ବବର୍ଷ ଭଳି ଏବର୍ଷ ମଧ୍ୟ ଭୁବନେଶ୍ୱର ପ୍ରତିଷ୍ଠା ଦିବସରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କୁ ନିମନ୍ତ୍ରଣ କରାଯାଇନାହିଁ । ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ ଟ୍ୱିଟ୍‌ ଯୋଗେ ସରକାରଙ୍କୁ କହିଛନ୍ତି, ଗତବର୍ଷର ଏହା ପୁନରାବୃତ୍ତି । ଏହା ଭୁବନେଶ୍ୱର ବାସିନ୍ଦାଙ୍କୁ ପୁଣିଥରେ ଲାଞ୍ଛନା ବୋଲି କହିଛନ୍ତି । ଏହା ଉଦ୍ଦେଶ୍ୟମୂଳକ କି ଏବଂ ମୋର ଦୋଷ କ’ଣ ବୋଲି ମଧ୍ୟ ସେ ପଚାରିଛନ୍ତି । ଏଥିସହ ସେ କହିଛନ୍ତି, ଗତବର୍ଷ ବି ସେ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଏବଂ ଏଥର ବି ଲେଖିବି । ଯେଉଁ ଜାଗାରେ ଏକଥା ଉଠାଇବା କଥା ନିଶ୍ଚୟ ଉଠାଇବି ।

ଏହାଛଡ଼ା ସେ ଆହୁରି କହିଛନ୍ତି ଯେ, ‘ଗତବର୍ଷ ହୁଏତ ଦୁର୍ଭାଗ୍ୟବଶତଃ ଡାକିନଥିବେ । କିନ୍ତୁ ଏବର୍ଷ ବି ସମାନ ଘଟଣାର ପୁନରାବୃତ୍ତି କରିଛନ୍ତି ରାଜ୍ୟ ସରକାର । ଏହା କେବଳ ସାସଂଦଙ୍କୁ ଅବମାନନା ନୁହେଁ ବରଂ ସମସ୍ତ ଭୁବନେଶ୍ୱରବାସୀଙ୍କୁ ଅଣଦେଖା କରାଯାଇଛି । ସାମ୍ବିଧାନିକ ପଦକୁ ଅସମ୍ମାନ କରାଯାଇଛି । ରାଜଧାନୀ ପ୍ରତିଷ୍ଠା ଦିବସ ହେଉଛି ଭୁବନେଶ୍ୱରର ଫାଉଣ୍ତେସନ୍‌ ଡେ’ ନା କି କୌଣସି ଦଳୀୟ କାର୍ଯ୍ୟକ୍ରମ । ପ୍ରତିଷ୍ଠା ଦିବସରେ ନିର୍ବାଚିତ ସାଂସଦକୁ ନଡାକିବା ଏକ ହାସ୍ୟାତ୍ମକ ଘଟଣା । ତେବେ ଏହାର ଉତ୍ତର ମୁଁ ଉଚିତ୍‌ ଜାଗାରେ ଦେବି’ ।

Advertisment

ଭୁବନେଶ୍ୱର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନଡାକିବା ପ୍ରସଙ୍ଗ ନେଇ ତେଜିଛି ବିବାଦ । ଏନେଇ ଅପରାଜିତା ସରକାର ଓ ଆୟୋଜକଙ୍କ ଉପରେ ବର୍ଷିଥିବା ବେଳେ, ଜବାବ ରଖିଛି ବିଜେଡି ଓ ଆୟୋଜକ କମିଟି । ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଥିବା କହିଛନ୍ତି ବିଏମସି ମେୟର ସୁଲୋଚନା ଦାସ ।  କଂଗ୍ରେସ ବିଧାୟକ ସୁର କହିଛନ୍ତି, ସାଂସଦ ମନକୁ ଆସିବା କଥା । ଡକାଯାଉ କି ନ ଡକାଯାଉ ଆମେ ଆସିବୁ, ସାଂସଦ ମଧ୍ୟ ଆସିବା ଦରକାର । 

ସେପଟେ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ବିକାଶକୁ ସ୍ୱାଗତ କରନ୍ତୁ, ସାଂସଦ ସବୁଥିରେ ଦୋଷତ୍ରୁଟି ଖୋଜୁଛନ୍ତି ।  ଅନ୍ୟପଟେ ସାଂସଦଙ୍କୁ ଅଣଦେଖା ପ୍ରସଙ୍ଗରେ ରାଜଧାନୀ ପ୍ରତିଷ୍ଠା କମିଟିର ସଭାପତି ଓ ଉପସଭାପତି ମୁହଁ ଖୋଲିଛନ୍ତି ।  କହିଛନ୍ତି, ସବୁ ପ୍ରସ୍ତୁତି ବୈଠକରେ ସାଂସଦଙ୍କୁ ନିମନ୍ତ୍ରଣ ପାଇଁ ପରାମର୍ଶ ଦିଆଯାଇଥିଲା ।

Aparajita Sarangi MP Aparajita Sarangi Bhubaneswar Foundation Day
Advertisment
Advertisment