• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି ପାଣିରେ ବୁଡ଼ି ପ୍ରାଣହାନୀ ମାମଲା । ଗୋଟିଏ କି ଯୋଡ଼ିଏ ନୁହେଁ, ଗତ ୩ ବର୍ଷରେ ୯୭୦ ଜଣଙ୍କ ମୃତ୍ୟୁ ହେଲାଣି । ଗୃହରେ ଆଜି ଏଭଳି ଉଦବେଗଜନକ ତଥ୍ୟ ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ।

ଗାଧୋଇବାକୁ ଯାଇ କାହାର ସଲୀଳ ସମାଧି ହୋଇଛି ତ ଆଉ କିଏ ନିଜ ପିଲାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀ ସୁଅରେ ପ୍ରାଣ ହରାଇଥିବା ଚିତ୍ର ସାମ୍ନାକୁ ଆସିଛି । ଫଳରେ ଜୀବନ ନେଉଥିବା ନଦୀ ଗୁଡ଼ିକରେ ସତର୍କତା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ ।

ଅଧିକ ପଢ଼ନ୍ତୁ: କାହିଁକି ରାଜ୍ୟରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା ?

ଚିନ୍ତା ବଢାଉଛି ପାଣିରେ ବୁଡ଼ି ପ୍ରାଣହାନୀ ମାମଲା । ପ୍ରତିବର୍ଷ ନଈ ସୁଅରେ ଯାଉଛି ଅମୂଲ୍ୟ ଜୀବନ । କେବେ ପୁରୁଷ ତ କେବେ ମହିଳା, କେବେ ପିଲା ତ କେବେ ଭେଣ୍ଡିଆ । ଗୋଟିଏ କି ଦୁଇଟି ଘଟଣା ନୁହେଁ, ଜଣେ କି ଦୁଇ ଜଣ ନୁହଁନ୍ତି ଗତ ୩ ବର୍ଷରେ ୯୭୦ ଜଣଙ୍କ ହୋଇଛି ସଲୀଳ ସମାଧି । ଏକଥା ଆମେ କହୁନୁ । ଗୃହରେ ଏଭଳି ଉଦବେଗଜନକ ତଥ୍ୟ ରଖିଛନ୍ତି ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ।

ରାଜ୍ୟର ବିଭିନ୍ନ ସହର ନିକଟ ନଦୀ ଗୁଡ଼ିକରେ ଗାଧୋଇବାବେଳେ ଗତ ୩ ବର୍ଷରେ କେତେଜଣ ବୁଡ଼ିଛନ୍ତି ? କେତେ ମୃତ୍ୟୁବରଣ କରିଛନ୍ତି ? ଏବଂ କେତେ ଜଣଙ୍କୁ ଉଦ୍ଧାର କରାଯାଇଛି ? ସେନେଇ ଗୃହରେ ଲିଖିତ ପ୍ରଶ୍ନ କରିଥିଲେ ବିଧାୟକ ସୌଭିକ ବିଶ୍ୱାଳ । ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ଗତ ୩ ବର୍ଷରେ ୧୬ଶହ ୧୫ ଜଣ ପାଣିରେ ବୁଡ଼ିଯାଇଥିଲେ ।

ତା’ମଧ୍ୟରୁ ୬୧୩ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ୯୭୦ ଜଣଙ୍କ ପ୍ରାଣହାନୀ ହୋଇଛି । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଏଭଳି ତଥ୍ୟକୁ ନେଇ ଏବେ ନାନା ଚର୍ଚ୍ଚା । ବିପଦଶଙ୍କୁଳ ସ୍ଥାନ ଗୁଡ଼ିକରେ ସୁରକ୍ଷା ଏବଂ ସତର୍କତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ କେବଳ ପର୍ବପର୍ବାଣୀ ସମୟରେ ଆବଶ୍ୟକ ଉପକରଣ ସହ ଅଗ୍ନିଶମ କର୍ମଚାରୀଙ୍କୁ ମୁତୟନ କଥା କହିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ।

ଗତ ଫେବୃୟାରୀ ୨୮ ତାରିଖ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ୮ ବର୍ଷିୟ ପୁଅକୁ ବଂଚାଇବାକୁ ଯାଇ ଘୋଡ଼ାହାଡ଼ ନଦୀରେ ବୁଡ଼ି ପ୍ରାଣ ହରାଇଥିଲେ ବାପା । ୧୧ ଡିସେମ୍ବର, ୨୦୨୨ରେ ସନ୍ତରଣ ଶିଖୁଥିବା ବେଳେ କଟକ ଯୋବ୍ରା ବ୍ୟାରେଜରେ ସୋହେଲ ଖାନ୍ ନାମକ ଜଣେ ଯୁବକଙ୍କ ଚାଲିଯାଇଥିଲା ଜୀବନ ।

୮ ନଭେମ୍ବର, ୨୦୨୨ରେ ବାଲିଯାତ୍ରା କଟକ ମହାନଦୀରେ ଭାସିଯାଇ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିଲା । ସେହିବର୍ଷ ୫ ଅକଟୋବର, ୨୦୨୧ରେ ସମ୍ବଲପୁର ଦଳେଇପଡ଼ା ମହାନଦୀ ଘାଟରେ ଗାଧୋଇବାକୁ ଯାଇ ଦୁଇ ପିଲାଙ୍କ ସହ ବାପାଙ୍କ ହୋଇଥିଲା ସଲୀଳ ସମାଧି । ପ୍ରତିବର୍ଷ ଏଭଳି ବହୁ ଅଘଟଣ ଘଟୁଛି, ବହୁ ଲୋକଙ୍କ ପ୍ରାଣହାନୀ ହେଉଛି।

ବିଶେଷ କରି ପର୍ବପର୍ବାଣୀ ତଥା ହୋଲିବେଳେ ନଦୀରେ ବୁଡି ପ୍ରାଣହାନୀ ମାମଲା ସର୍ବାଧିକ ରହୁଛି । ତେବେ କାହିଁକି ଓ କେମିତି ନଦୀ ସ୍ରୋତରେ ପ୍ରାଣଯାଉଛି ଲୋକଙ୍କର ? କ’ଣ କଲେ ଏଭଳି ଅଘଟଣକୁ ଏଡାଯାଇପାରନ୍ତା ? ୩ ବର୍ଷରେ ୯୭୦ ଜଣଙ୍କ ମୂଲ୍ୟବାନ ଜୀବନ ଯାଇଥିବା ତଥ୍ୟ ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ଦୃଷ୍ଟି ଦେବା ଜରୁରୀ ନୁହେଁ କି ?

ଏକଥା ସତ, କେବଳ ସରକାର ଯେ ସୁରକ୍ଷା ପାଇଁ ପଦକ୍ଷେପ ନେଲେ ଅଘଟଣକୁ ଏଡ଼ାଇ ଦିଆଯିବ ତା’ନୁହେଁ । ଲୋକେ ବି ଜଳାଶୟ ଗୁଡ଼ିକର ବିପଦସଙ୍କୁଳ ସ୍ଥାନରେ ସତର୍କ ରହିବା ଜରୁରୀ ।

ଚୌଦ୍ୱାରରୁ ପ୍ରକାଶ ନାୟକ ଏବଂ ଭୁବନେଶ୍ୱରରୁ ଅତୁଲ୍ୟ ବାଉତଙ୍କ ରିପୋର୍ଟ, ଓଟିଭି