• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ବିଧାନସଭା ସାମନାରେ ରାଜଧାନୀ ପାଳୁଥିଲା ଏହାର ୭୫ ତମ ପ୍ରତିଷ୍ଠା ଦିବସ। ମଞ୍ଚରେ ଥିଲେ ବାଚସ୍ପତି, ଦୁଇ ମନ୍ତ୍ରୀ, ତିନି ବିଧାୟକ, ମେୟରଙ୍କଠୁ ନେଇ ସବୁ ଲୋକ ପ୍ରତିନିଧି, ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳଙ୍କଠୁ ନେଇ ସବୁ ପ୍ରାଶାସନିକ ଅଧିକାରୀ ଓ ଆୟୋଜକ କମିଟିର ସଭାପତି। ହେଲେ ନଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନଥିଲେ ବୋଲି ନୁହେଁ,  ରାଜଧାନୀର ଏତେବଡ଼ ଉତ୍ସବକୁ ଡକା ହିଁ ଯାଇନଥିଲା। ସୂଚନା ଓ ଲୋକ ସଂପର୍କ ବିଭାଗର ନିମନ୍ତ୍ରଣ ପତ୍ରରେ ତାଙ୍କ ନାଁ ନଥିଲା।

ଗତ ରାଜଧାନୀ ପ୍ରତିଷ୍ଠା ଦିବସରେ ଯାହା ହୋଇଥିଲା, ଅପରାଜିତାଙ୍କ ପ୍ରତିବାଦ ଓ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସତ୍ତ୍ୱେ ବି ଏଥର ତାର ରିପିଟ୍ ହେଲା। ଏମିତିକି ପ୍ରତିଷ୍ଠା ଦିବସ ପାଳନ ପୂର୍ବରୁ ଗତକାଲି ଏନେଇ ଟୁଇଟ୍ କରି ଅସନ୍ତୋଷ ଜାହିର କରିବା ପରେ ଆଜି ବି ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। କଡ଼ା ପ୍ରତିକ୍ରିୟା ରଖି କହିଛନ୍ତି ଏହା ରାଜ୍ୟ ସରକାରଙ୍କ ସଂସ୍କାର ଓ ଚରିତ୍ରକୁ ଦର୍ଶାଉଛି।  ସେ ଭୁବନେଶ୍ୱରର ନିର୍ବାଚିତ ସାଂସଦ ହୋଇଥିବାରୁ ଏହା ସାରା ଭୁବନେଶ୍ୱର ବାସିନ୍ଦାଙ୍କ ପ୍ରତି ଅପମାନ। ସାମ୍ବିଧାନିକ ପଦର ଅପମାନ। ତେଣୁ ଏ ଅବମାନନା ବିରୁଦ୍ଧରେ ସେ ସଂସଦରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିବେ ବୋଲି କହିଛନ୍ତି ଅପରାଜିତା।

ଭୁବନେଶ୍ୱର ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜଧାନୀବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଭରା ଟୁଇଟ୍। ଯେଉଁଥିରେ ସମସ୍ତଙ୍କ ମିଳିତ ପ୍ରଚେଷ୍ଟା ହିଁ ଭୁବନେଶ୍ବରର ଗରିମାକୁ ଅକ୍ଷୂର୍ଣ୍ଣ ରଖି ଏହାକୁ ଆହୁରି ସୁନ୍ଦର ସହର ଭାବେ ଗଢ଼ି ତୋଳିବା ଭଳି ବାର୍ତ୍ତା ରହିଛି। ହେଲେ ଏହା ସତ୍ୱେ ଜଣେ ନିର୍ବାଚିତ ସାଂସଦଙ୍କ ପ୍ରତି ସରକାରୀ ସ୍ତରରେ ଏଭଳି ଆଚରଣ କାହିଁକି ? ପ୍ରତିକ୍ରିୟାରେ ମେୟର ସମସ୍ତଙ୍କୁ ନିମନ୍ତ୍ରଣ ହେଇଚି କହି ପ୍ରସଙ୍ଗକୁ ଏଡ଼ାଇ ଚାଲିଯାଇଥିଲା ବେଳେ ବିଏମସି କମିଶନର ବୁଝିକି କହିବି ବୋଲି କହିଛନ୍ତି। ହେଲେ ସବୁଠୁ ବଡ଼ କଥା ହେଉଛି ସାଂସଦଙ୍କୁ ନିମନ୍ତ୍ରିତ କରିବା ପାଇଁ ସେମାନଙ୍କ ପରାମର୍ଶକୁ ଅଣଦେଖା କରାଯାଇଛି ଯାହା ଠିକ୍ ନୁହେଁ ବୋଲି କହିଛନ୍ତି ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ଆବାହକ।

ରାଜଧାନୀରେ ସାଂସଦ ଅପରାଜିତା ଓ ଶାସକ ଦଳକୁ ନେଇ ବିବାଦ ନୂଆ ନୁହେଁ। ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପ୍ରସଙ୍ଗ ହେଉ କି ଏକାମ୍ରକ୍ଷେତ୍ର ବିକାଶ ପାଇଁ ନିୟମ ଉଲ୍ଲଂଘନ, ଅବା ଝାରପଡ଼ା ଗଣେଶମଣ୍ଡପ ହାଟ ଉଚ୍ଛେଦ ଭଳି ବହୁ ପ୍ରସଙ୍ଗରେ ସରକାରଙ୍କୁ ହରଡ଼ ଘଣାରେ ପକାଇଛନ୍ତି ସାଂସଦ ଅପରାଜିତା, ତ ପ୍ରତିକ୍ରିୟାଶୀଳ ହୋଇ କେତେବେଳେ ଅପରାଜିତାଙ୍କ ଅଫିସ ସିଲ୍ ହୋଇଛି ତ ପୁଣି କେତେବେଳେ ଅଣ୍ଡା ଓ ଟମାଟୋ ମାଡ଼ ଭଳି  ଘଟଣା ଘଟିଛି। ତେଣୁ ଏଠି ପ୍ରଶ୍ନ ଉଠୁଛି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ବାରମ୍ବାର ଅଡୁଆରେ ପକାଉଥିବାରୁ ଜାଣିଶୁଣି ଅପରାଜିତାଙ୍କ ପ୍ରତି ଏଭଳି ଆଭିମୁଖ୍ୟ ରଖିନି ତ ଶାସକ ଦଳ? ଆଜିର ସରକାରୀ କାର୍ଯ୍ୟକ୍ରମରେ ସାଂସଦଙ୍କୁ ଡକା ନଯିବା ପ୍ରସଙ୍ଗରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ପ୍ରତିକ୍ରିୟା ଏଭଳି ଉଦ୍ଦେଶ୍ୟକୁ ଇଙ୍ଗିତ କରୁଛି।

  • Reported by:
  • ARACHANA SATPATHY