• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେଡିରେ ଏବେ ତୃତୀୟ ପିଢ଼ିର ଦବ୍‌ଦବା । ପ୍ରଥମ, ଦ୍ୱିତୀୟ ଭଳି ଦଳ ପାଇଁ ସଫଳତା ଦୋହରାଇ ପାରିବ ତ ଏହି ପିଢ଼ି ? ସେମାନଙ୍କ ପାଖରେ ଅଛି କି ସେଭଳି ସାଂଗଠନିକ ଦକ୍ଷତା ? ନା କେବଳ କ୍ଷମତା କେନ୍ଦ୍ରର ହଁରେ ହଁ ଭରୁଥିବାରୁ ମିଳୁଛି ଗୁରୁତ୍ୱ । ବିଜେଡି ରେ ଏବେ ନୂଆ ଜେନେରସନ୍ ରାଜନୀତିକୁ ନେଇ ଚର୍ଚ୍ଚା । କାରଣ ଧାମନଗର ଉପନିର୍ବାଚନ ରେ ଦାୟିତ୍ୱ ନେଇଥିଲା ତୃତୀୟ ପିଢ଼ି, ଆଉ ସେଠାରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଲା । ତେବେ ପଦ୍ମପୁରରେ କୋର୍ସ କରେକ୍ସନ କରି ସବୁ ପିଢ଼ି ଏକାଠି ଲଢ଼ିଲେ, ଦଳ ପାଇଲା ରେକର୍ଡ ବିଜୟ ।

୨ ହଜାର ମସିହାରେ ନବୀନ କ୍ଷମତାର ସ୍ୱାଦ ଚାଖିବା ବେଳେ ଯେଉଁ ପ୍ରଥମ ପିଢ଼ିର ନେତାମାନେ ଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଦଳ ଛାଡ଼ିଛନ୍ତି । ଯେଉଁମାନେ ବି ଅଛନ୍ତି ସେମାନେ ଏକ ପ୍ରକାର ଅଲୋଡ଼ା । ସେହିପରି ଦିନେ ବିଜେଡି ସରକାରରେ ଚାଣକ୍ୟ କୁହାଯାଉଥିବା ପ୍ୟାରୀମୋହନ ମହାପାତ୍ର ପ୍ରଥମ ପିଢ଼ିକୁ ଧରି ଦ୍ୱିତୀୟ ପିଢ଼ି ନେତାଙ୍କୁ ଗଢ଼ିଥିଲେ । ଯେଉଁମାନେ ୨୦୦୯ ଓ ୨୦୧୪ ନିର୍ବାଚନ, କିଛିକାଂଶରେ ୧୯ରେ ବି ସଫଳତାର ସହ ଦଳକୁ ନିର୍ବାଚନୀ ବୈତରଣୀ ପାର କରାଇଥିଲେ । ଏବେ ଦଳ ରୌପ୍ୟ ଜୟନ୍ତୀ ପାଳନ ବେଳେ ଶହେ ବର୍ଷ ଯାଏଁ ରାଜ୍ୟରେ କ୍ଷମତାରେ ରହିବା କଥା ଚିନ୍ତା କରୁଛି । ହେଲେ ଏହା ହେବ କେମିତି ?

ଅଧିକ ପଢ଼ନ୍ତୁ: ପ୍ରତିଷ୍ଠା ଦିବସରେ BJD ଖେଳିଲା ମହିଳା କାର୍ଡ, ପରାମର୍ଶ ଆଳରେ ବରିଷ୍ଠ ମାରିଲେ ତେର୍ଛା ବାଣ

ଏବେ କ୍ଷମତା କେନ୍ଦ୍ରରେ ଦବ୍‌ଦବା ରଖୁଥିବା ଥାର୍ଡ ଜେନେରସନ୍ ଦଳକୁ ସେତିକି ଦୃଢ଼ତାର ସହ ଆଗକୁ ନେଇପାରିବ ତ । ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । କୁହାଯାଉଛି, ଦଳର ସବୁ କାର୍ଯ୍ୟକ୍ରମର ବ୍ଳୁ ପ୍ରିଣ୍ଟ ଗୋଟିଏ ସ୍ଥାନରେ ପ୍ରସ୍ତୁତ ହେଉଛି, ଆଉ ତାକୁ କାର୍ଯ୍ୟକାରୀ କରୁଛି ତୃତୀୟ ପିଢ଼ି । ଅର୍ଥାତ୍ ନେତା କମ୍, ମ୍ୟାନେଜର ରୋଲ୍‌ରେ ଏମାନଙ୍କୁ ବେଶି ଦେଖିବାକୁ ମିଳୁଛି । ପ୍ରଥମ, ଏପରିକି ଦ୍ୱିତୀୟ ପିଢ଼ିକୁ ବି ସେତେଟା ଗୁରୁତ୍ୱ ଦିଆଯାଉନି । ଧୀରେ ଧୀରେ ସେମାନଙ୍କୁ ସାଇଡ୍‌ଲାଇନ୍ କରାଯାଉଥିବା ଦେଖିବାକୁ ମିଳୁଛି ।

ଯେମିତିକି ପୁରୀରେ ଆୟୋଜିତ ପ୍ରତିଷ୍ଠା ଦିବସ ଉତ୍ସବରେ ଜିଲ୍ଲାର ନେତା ସଞ୍ଜୟ ଦାସବର୍ମାଙ୍କୁ ସେତେଟା ଗୁରୁତ୍ୱ ମିଳିନଥିଲା । ସେହିପରି ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ, ପୂର୍ବତନ ସାଂସଦ ଭାସ୍କର ରାଓଙ୍କ ଭଳି ଅନେକ ନେତାଙ୍କୁ ୨୫ ବର୍ଷିଆ ସମାରୋହରେ ଆଦୌ ଦେଖିବାକୁ ମିଳନଥିଲା । ତେବେ ସଞ୍ଜୟ ଦାସବର୍ମା କହିଥିଲେ, ବ୍ୟକ୍ତି ବଡ଼ ନୁହେଁ ଦଳ ବଡ଼, ଦଳକୁ ନୂଆ ଲୋକ ଆସିବା ଦରକାର । ସେପଟେ ଉପସଭାପତି ଦେବୀ ମିଶ୍ର କହିଛନ୍ତି ବିଜେଡି ଧାରାରେ ନୂଆ ଆସିବେ କାମ କରିବେ ।

ସେପଟେ ବିଜେଡିରେ ଏବେ ଆଗଭଳି ପରସ୍ଥିତି ନାହିଁ । ଅନ୍ୟ ଦଳରୁ ଆମଦାନୀ ହୋଇଥିବା ଓ ନୂଆ କରି ବିଜେଡି ମଙ୍ଗ ଧରିଥିବା ନେତା ହିଁ ସର୍ବେସର୍ବା । ଏହାବ୍ୟତୀତ ସରକାରର ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ଫୈସଲା ମନ୍ତ୍ରୀ ଓ ନେତାଙ୍କ ବଦଳରେ ପ୍ରଶାସକ ସ୍ତରରେ ହେଉଛି । ରାଜନୈତିକ ସମୀକ୍ଷକଙ୍କ ମତରେ ପୁରୁଖା ନେତାଙ୍କୁ ରିଜେକ୍ଟ କରିବା ପରିପକ୍ୱତା ନୁହେଁ ।

ପିଢ଼ି ପଲିଟିକ୍ସ ଓ ଦଳ ଭିତରେ ବଢୁଥିବା ଅସନ୍ତୋଷ ଭିତରେ ଦଳ ଲଢ଼ିବାକୁ ଯାଉଛି ୨୪ ସାଧାରଣ ନିର୍ବାଚନ । ଏହାକୁ ନୂଆ ପିଢି କେତେ ଦକ୍ଷତାର ସହ ମ୍ୟାନେଜ୍ କରିପାରୁଛନ୍ତି, ନୂଆ ଓ ପୁରୁଣା ପିଢ଼ି ଭିତରେ ସେତୁବନ୍ଧ ରହୁଛି ନା ନାହିଁ, ତା ଉପରେ ହିଁ ବିଜେଡିର ଭବିଷ୍ୟତ ନିର୍ଭର କରୁଛି ।