• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶ୍ରୀକ୍ଷେତ୍ରରୁ ବିଜେଡି ଫୁଙ୍କିଲା ୨୪ ନିର୍ବାଚନ ପ୍ରସ୍ତୁତି ଶଙ୍ଖ । ଭିଡିଓ ବାର୍ତ୍ତାରେ ନେତା-କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ । ମହିଳା କାର୍ଡ ବି ଖେଳିଲେ ସୁପ୍ରିମୋ ନବୀନ । କେନ୍ଦ୍ର ଅବହେଳା କଥା ଉଠାଇ ବର୍ଷିଲେ ନେତା । ପୁରୀରେ ୨୫ ତମ ଜନ୍ମଦିନ ପାଳନ ଅବସରରେ ବରିଷ୍ଠ, ଯୁବ, ମହିଳା ନେତା ଓ କର୍ମୀଙ୍କୁ ଏକାଠି କରି ଶକ୍ତି ପଦର୍ଶନ କରିଛି ଶଙ୍ଖ ଦଳ । ଆଉ ସାଧାରଣ ର୍ନିବାଚନ ଲାଗି ପ୍ରସ୍ତୁତିର ବିଗୁଲ ବଜାଇ ନବୀନ ଖେଳିଛନ୍ତି ମହିଳା କାର୍ଡ । କହିଛନ୍ତି ମାଆ ମାନଙ୍କ ଆଶୀର୍ବାଦ ରହିଲେ ୨୫ କଣ, ୫୦ କଣ, ୧୦୦ ବର୍ଷ ଯାଏଁ ଓଡ଼ିଶାର ସେବା କରିବ ବିଜେଡି ।

ଏହାସହ ଜାତୀୟ ଦଳକୁ ପରୋକ୍ଷରେ ସମାଲୋଚନା କରି କହିଛନ୍ତି- ଜାତୀୟ ଦଳ ଏଜେଣ୍ଡାରେ ଜାତୀୟ ରାଜନୀତି ହିଁ ରହିବ । ସେମାନଙ୍କ ଏଜେଣ୍ଡାରେ ଓଡିଶା ଫୋକସ ରହିବ ନାହିଁ ଏବଂ ଓଡିଶା ବିକାଶ କେବଳ ବିଜେଡି କରିବ ବୋଲି କହିଛନ୍ତି ନବୀନ । ଏଥିସହ ବିଜେଡି ଜଣେ ଦୁଇ ଜଣଙ୍କ ଉପରେ ନିର୍ଭରଶୀଳ ନୁହେଁ, ଏହା ଏକ ସାମାଜିକ ଆନ୍ଦୋଳନ ବୋଲି ନବୀନ କହିବା ସହ, ଓଡ଼ିଶାର ଉନ୍ନତି ଯେଉଁମାନେ ଚାହୁଁଛନ୍ତି ସମସ୍ତେ ବିଜେଡିରେ ସାମିଲ ହେବାକୁ ଆହ୍ୱାନ୍ ଦେଇଛନ୍ତି ବିଜେଡି ସୁପ୍ରିମୋ ।

ସେପଟେ ନବୀନଙ୍କ ଉପସ୍ଥିତରେ, ପରାମର୍ଶ ଆଳରେ ତେରଛା ବାଣ ମାରିଛନ୍ତି ଦଳର କିଛି ବରିଷ୍ଠ ନେତା । ଦଳ ପାଇଁ ଆଜିର ଦିନକୁ ଆତ୍ମସମୀକ୍ଷାର ଦିନ କହି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ରାଜ୍ୟବାସୀଙ୍କ ପାଇଁ ଏ ୨୫ ବର୍ଷ ଭିତରେ ଆମେ ଯେଉଁ ସଂକଳ୍ପ ନେଇଥିଲେ ତାକୁ କେତେ ପୂରଣ କରିଛେ, ବିଜୁ ଆଦର୍ଶକୁ କେତେ ମାନିଛେ, ତାର ଆତ୍ମ ସମୀକ୍ଷା ହେବା ଦରକାର । ସେପଟେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡିର ଜନ୍ମ ଦିନରେ ପୁରୀ ଆସି ପିକ୍‌ନିକ ପାର୍ଟି ନକରି ଆଉ ୨୫ ବର୍ଷ ପାଇଁ ସଂକଳ୍ପ ନେବା ଦରକାର ବୋଲି ଭାଷଣରେ କହିଥିବାବେଳେ, ବାହାରେ ଅହଙ୍କର ଓ ପାପ କଥା କହି ଧାମନଗରରୁ ଶିକ୍ଷା ମିଳିଲା ବୋଲି ମତ ରଖିଛନ୍ତି ।

ପ୍ରତିଷ୍ଠା ଦିବସ ପାଳନ ପ୍ରସ୍ତୁତି ଓ ପ୍ରେସ ମିଟ୍ ବେଳେ ଅନୁପସ୍ଥିତ ଥିବା ପୁରୀ ଜିଲ୍ଲାର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ଆଜି ସଭାରେ ଦେଖିବାକୁ ମିଳିଥିଲା । ହେଲେ ପୁରୀରେ ସଭା ସତ୍ତ୍ୱେ ସେ କୌଣସି ପ୍ରମୁଖ ଭୂମିକାରେ ନଥିବା, ଏମିତିକି ପ୍ରଥମେ ମଞ୍ଚ ତଳେ ବସିବା ଏବଂ ଅନୁରୋଧ ପରେ ବିଧାୟକ ବସିଥିବା ମଞ୍ଚକୁ ଆସିଥିଲେ ବି ଭାଷଣ ନଦେବାକୁ ନେଇ ଅନେକ ଚର୍ଚ୍ଚା ସୃଷ୍ଟି ହୋଇଛି ।

ଅନ୍ୟପଟେ ‘ଓଡ଼ିଶାର ପରିଚୟ କହିଲେ ଦୁଇ ଜଣଙ୍କୁ ବୁଝାଏ । ଜଗତର ନାଥ ଜଗନ୍ନାଥ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ।’ ବିଜେଡି ସାଂସଦ ରମେଶ ମାଝୀଙ୍କ ଏଭଳି ଭାଷଣ ପରେ ତେଜିଛି ଅସନ୍ତୋଷ । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ରମେଶଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଜେଡିର ଶେଷ ସମୟ ଆସିଗଲାଣି, ଶେଷ ସମୟ ଆସିଲେ ଏଭଳି ମନ୍ତବ୍ୟ ଦିଅନ୍ତି । ପ୍ରଭୁ ଜଗନ୍ନାଥ ଏହାର ବିଚାର କରିବେ ବୋଲି କହିଛନ୍ତି ମୋହନ ।