ଆରପାରିରେ ସାହସୀ 'ହ୍ବାଇଟ ଡ୍ରାଗନ' ଘୋଡା । ବୁଡ଼ିଯାଉଥିବା ବ୍ୟକ୍ତିଙ୍କୁ ବଞ୍ଚେଇବାର କିଛି ଦିନ ପରେ ଦୁନିଆ ଛାଡିଲା ଏହି ଘୋଡା । ସୋସିଆଲ ମିଡିଆରେ ଏହି ଘଟଣା ଭାଇରାଲ ହେବା ପରେ ସମସ୍ତେ ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ପୂର୍ବରୁ କେବେ ବି ପାଣିରେ ପଶିନଥିଲା 'ବାଇଲଙ୍ଗ' ନାମକ ୭ ବର୍ଷୀୟ ଘୋଡା । କିନ୍ତୁ ଚୀନ୍ରେ ବୁଡ଼ି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ବଞ୍ଚେଇବା ପାଇଁ ପାଣିକୁ ପଶିବା ସହ ବୁଡ଼ିଯାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଉଦ୍ଧାର କରିଥିଲା ।
ଏହି ଧଳା ଘୋଡାଟି ପରେ ଅସୁସ୍ଥତା କାରଣରୁ ମୃତ୍ୟୁବରଣ କରିଛି । ମାଲିକ ୟିଲିବାଇଙ୍କ ଅତ୍ୟନ୍ତ ଆତ୍ମୀୟ ଥିଲା ବାଇଲଙ୍ଗ । ସେଥିପାଇଁ ମାଲିକଙ୍କୁ ଘୋଡା ବିଷୟରେ କିଛି ବି ପଚାରିଲେ ସେ ଗୁମୁରି ଗୁମୁରି କାନ୍ଦୁଛନ୍ତି ଏବଂ 'ବାଇଲଙ୍ଗ' ବିଷୟରେ କିଛି ବି ନପଚାରିବାକୁ ଅନୁରୋଧ କରିଛନ୍ତି । ଏହି ଧଳା ଘୋଡାର ମାଲିକଙ୍କ କହିବା ଅନୁସାରେ ସେମାନେ ଅତୀତରେ ଅନେକ ଅଭୁଲା ମୁହୂର୍ତ୍ତ ଏକାଠି ବିତାଇଛନ୍ତି ।
Also Read
ବୁଡ଼ିଯାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବାର ୬ ଦିନ ପରେ 'ବାଇଲଙ୍ଗ' ହଠାତ୍ ଖିଆପିଆ ବନ୍ଦ କରିଦେଇଥିଲା ଏବଂ ସେ ଜ୍ବରରେ ପୀଡିତ ହୋଇଥିଲା । ଏହାପରେ ସ୍ଥାନୀୟ କର୍ତ୍ତୃପକ୍ଷ ପଶୁ ଡାକ୍ତରଙ୍କୁ ଘୋଡାର ଚିକିତ୍ସା ପାଇଁ ପଠାଇଥିଲେ । କିନ୍ତୁ ସମସ୍ତ ଚେଷ୍ଟା ସତ୍ତ୍ୱେ ସାହସୀ ଘୋଡାଟି ଫେବ୍ରୁଆରୀ ୧୧ ତାରିଖରେ ମୃତ୍ୟୁବରଣ କରିଥିଲା । ଏହାର ମାଲିକ ଉଦ୍ଧାର କାର୍ଯ୍ୟ ସମୟର ସ୍ମୃତି ସମ୍ପର୍କରେ ମନେ ପକାଇ କହିଛନ୍ତି ସେ ନିର୍ଦ୍ଦେଶ ଦେବା ମାତ୍ରେ ତାଙ୍କ ପ୍ରିୟ ଘୋଡ଼ାଟି ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟରେ ନିଜକୁ ସାମିଲ କରି ପ୍ରମୁଖ ଭୂମିକା ନିଭାଇ ଥିଲା ।
ଅଧିକ ପଢନ୍ତୁ : ମରି ବି ଅମର ଅଜୟ; ମୃତ୍ୟୁ ପରେ ବି ଅନ୍ୟ ଶରୀରରେ ବଞ୍ଚି ରହିବେ
କେମିତି ଥିଲା ସାହସିକ ଉଦ୍ଧାର ?
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଫେବ୍ରୁଆରୀ ୪ ତାରିଖରେ ୟିଲିବାଇ ଏବଂ ବାଇଲଙ୍ଗ ଉଭୟ ତାଲିମ୍ ନେଉଥିଲେ । ଠିକ୍ ସେହି ସମୟରେ ଚୀନ୍ର ହୁବେଇ ପ୍ରଦେଶର ସିଆନଟାଓ ସହରର ଏକ ବ୍ରିଜ୍ ଉପରୁ ଜଣେ ବ୍ୟକ୍ତି ନଦୀରେ ପଡିଯାଇଥିଲେ । ତେବେ ଏହାପରେ ସେହି ବ୍ୟକ୍ତିଙ୍କ ଝିଅ ନଦୀ କୂଳରେ ଠିଆ ହୋଇ ସାହାଯ୍ୟ ମାଗିଥିଲେ । ଏହାପରେ ୟିଲିବାଇ 'ବାଇଲଙ୍ଗ' ଉପରେ ବସି ନଦୀ ଭିତରକୁ ପ୍ରବେଶ କରିଥିଲେ ।
ଅପରପକ୍ଷେ ସ୍ଥାନୀୟ ସରକାର ଏହି ଉଦ୍ଧାର କାର୍ଯ୍ୟ ପାଇଁ ପୁରସ୍କାର ରାଶି ଘୋଷଣା କରିବା ସହ ନଦୀ ନିକଟରେ ଘୋଡାର ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବେ ବୋଲି କହିଛନ୍ତି । ତେବେ ଏଭଳି ସାହସିକ କାର୍ଯ୍ୟ ପାଇଁ ଘୋଡ଼ାଟିକୁ ସୋସିଆଲ ମିଡ଼ିଆ ୟୁଜର ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।