Advertisment

World Radio Day: ୨୨ବର୍ଷରୁ ଆରମ୍ଭ ପ୍ରେମ; ୬୦ବର୍ଷ ହେଲା ତା’ସହ କଟୁଛି ରାତି

ଯେପରି ରେଡିଓ ହେଉଛି ତାଙ୍କ ପ୍ରେମିକା ଓ ସେ ରେଡ଼ିଓରେ ପ୍ରେମିକ। କେହି କାହାକୁ ତିଳେ ମାତ୍ର ପାଖରୁ ଛାଡ଼ି ରହିପାରନ୍ତି ନାହିଁ। ଆମେ କହୁଛୁ ଲାଲ ମୋହନ ଅଧିକାରୀ ମଉସାଙ୍କ ରେଡ଼ିଓ ପ୍ରେମ। ସେ ରେଡିଓ ପ୍ରେମରେ ଯେପରି ପାଗଳ।

author-image
Tapaswini Nayak
ଅଦ୍ୟତନ ହୋଇଛି
Radio

Radio

ଆଧୁନିକ ଟେକ୍ନୋଲୋଜି ଯୁଗରେ ନିଜ ଲୋକପ୍ରିୟତା ବଜାୟ ରଖିଛି ରେଡ଼ିଓ। ମନୋରଞ୍ଜନର ମୁଖ୍ୟ ମାଧ୍ୟମ ଭାବେ ପରିଚିତ ରେଡ଼ିଓ।ଏବେ ନୂଆ ରୂପ ଓ ନୂଆ ରଙ୍ଗରେ ଶ୍ରୋତାଙ୍କ ମନ କିଣୁଛି। ରେଡ଼ିଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ମାନବିକ ମୂଲ୍ୟବୋଧ ପ୍ରସାର ଦିଗରେ ଏକ ବଳିଷ୍ଠ ମାଧ୍ୟମ । ଆଜି ବିଶ୍ୱ ରେଡ଼ିଓ ଦିବସରେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ୨୨ବର୍ଷ ହେବ ରେଡ଼ିଓକୁ ପ୍ରେମ କରି ଆସୁଛନ୍ତି। ୬୦ ବର୍ଷ ହେବ କେହି କାହାକୁ ଛାଡ଼ି ନାହାନ୍ତି।

Advertisment

ଯେପରି ରେଡିଓ ହେଉଛି ତାଙ୍କ ପ୍ରେମିକା ଓ ସେ ରେଡ଼ିଓରେ ପ୍ରେମିକ। କେହି କାହାକୁ ତିଳେ ମାତ୍ର ପାଖରୁ ଛାଡ଼ି ରହିପାରନ୍ତି ନାହିଁ। ଆମେ କହୁଛୁ ଲାଲ ମୋହନ ଅଧିକାରୀ ମଉସାଙ୍କ ରେଡ଼ିଓ ପ୍ରେମ। ସେ ରେଡିଓ ପ୍ରେମରେ ଯେପରି ପାଗଳ। ରେଡ଼ିଓ ତାଙ୍କ ପାଇଁ ଆବେଗ, ଜୀବନ ଏବଂ ଆବଶ୍ୟକତା। ଯେମିତି ତାଙ୍କ ପରିବାରର ସଦସ୍ୟ। ସେଥିପାଇଁ ସେ କୁହନ୍ତି, ‘ରେଡ଼ିଓ ହେଉଛି ମୋ ଜୀବନ ସାଥୀ’।

ଅଧିକାରୀ ମଉସାଙ୍କୁ ୮୩ବର୍ଷ ହେଲାଣି। ଚମ ମଧ୍ୟ ଧଡୁଧୁଡ଼ୁ ହେଲାଣି। ବାଟ ଚାଲିବାକୁ ଦେହରେ ବଳ ପାଉନାହିଁ। ହେଲେ ସକାଳୁ ରାତି ପର୍ୟ୍ୟନ୍ତ ଅଧିକାରୀ ମଉସାଙ୍କ ହାତରେ ଥାଏ ତାଙ୍କ ପ୍ରିୟ ରେଡ଼ିଓ। ରେଡ଼ିଓ ତାଙ୍କ ପାଇଁ ଏକ ମାତ୍ର ମନୋରଞ୍ଜନର ମାଧ୍ୟମ। ଖବର ଠାରୁ ଆରମ୍ଭ କରି ଗୀତ ସଙ୍ଗୀତ ସବୁ କିଛି ଏହି ରେଡ଼ିଓରୁ ହିଁ ଶୁଣନ୍ତି।

Advertisment

ତାଙ୍କର ଏହି ରେଡ଼ିଓ ଶୁଣିବାରେ ପ୍ରାୟ ୬୦ ବର୍ଷ ହେଲାଣି । ଯେତେ ବେଳେ ତାଙ୍କୁ ୨୨ ବର୍ଷ ଵୟସ ହୋଇଥିଲା, ସେତେବେଳେ ରେଡିଓକୁ ୫୦ ଟଙ୍କା ଦେଇ କିଣିଥିଲେ। ଯୁଆଡେ ଯାଆନ୍ତି ରେଡ଼ିଓ ନେବାକୁ ଭୁଲନ୍ତି ନାହିଁ। ରେଡ଼ିଓ କଥା ପଡ଼ିଲେ ସେ ଭାବ ବିହ୍ୱଳ ହୋଇ ପଡ଼ନ୍ତି।

ଅଧିକ ପଢ଼ନ୍ତୁ: ସ୍ମୃତି ହେବାରେ ଲାଗିଛି ରେଡିଓ; ଦିନେ ଥିଲା ଘରେ ଘରେ ପରିଚିତ।

ଅଧିକାରୀ ମଉସା କୁହନ୍ତି, ମୋତେ ସେ ଛାଡ଼ି ନାହିଁ, ମୁଁ କେମିତି ରେଡ଼ିଓକୁ ଛାଡିଦେଵି। ଯେତେବେଳେ ବାତ୍ୟା, ବନ୍ୟା ସମୟରେ ଗାଁରେ ଟିଭି, ମୋବାଇଲ କାମରେ ଆସେ ନାହିଁ, ସେତେବେଳେ ଖୋଜା ପଡ଼େ ମଉସାଙ୍କ ଏହି ରେଡିଓ ।

ଅଧିକାରୀ ମଉସାଙ୍କୁ ହଜାର ଟଙ୍କା ଭତ୍ତା ମିଳେ। ଏଥିସହ ପ୍ରତି ମାସ ରାସନ ଚାଉଳ ମିଳିଥାଏ। ଆଉ ପ୍ରତି ମାସରେ ରେଡ଼ିଓ ଶୁଣିବା ପାଇଁ ୯୦ ଟଙ୍କା ଦେଇ ବେଟାରୀ ପକାଇବାକୁ ଭୁଲନ୍ତି ନାହିଁ ମଉସା। ଘରେ ଥିଲେ, ରେଡ଼ିଓ ଆଉ ଘରୁ ଵାହାରିଲେ ରେଡ଼ିଓ। ରେଡ଼ିଓ ସବୁବେଳେ ତାଙ୍କ ପାଖେ ପାଖେ ଥାଏ। ରେଡ଼ିଓ ମୋ ଜୀବନ ସାଥି ବୋଲି କହନ୍ତି ମଉସା।

ବିଶେଷ କରି ରେଡ଼ିଓରେ ସେ ଭିକାରୀ ଵଳ, ନମିତା ଅଗ୍ରୱାଲଙ୍କ ଗୀତ ଶୁଣିବା ସହିତ ପାଲା ଏବଂ ଖବର ଶୁଣିବାକୁ ଅଧିକ ପସନ୍ଦ କରିଥାନ୍ତି ଅଧିକାରୀ ମଉସା। ସେଥିପାଇଁ ତାଙ୍କୁ କୁହାଯାଏ ରେଡ଼ିଓ ମଉସା।

ସମୟ ବଦଳିବା ସହ ବଦଳିଛି ଖବର ଜାଣିବାର ମାଧ୍ୟମ। ଆଜି ଇଣ୍ଟରନେଟ ଯୁଗରେ ସଭିଏଁ ମୋବାଇଲ, ଟିଭି ଉପରେ ନିର୍ଭର କରୁଥିବା ବେଳେ ଏଵେ ବି ଅନେକ ରେଡ଼ିଓକୁ ସାଥୀରେ ରଖିଛନ୍ତି। ୭୧ ମସିହା ବାତ୍ୟା ଠାରୁ 'ଦାନା' ଯାଏଁ ସବୁ ବାତ୍ୟାର ଖବର ସେ ଏହି ରେଡ଼ିଓରୁ ହିଁ ପାଆନ୍ତି ଏବଂ ଅନ୍ୟମାନଙ୍କୁ ଖବର ଶୁଣାନ୍ତି। ୮୩ ବର୍ଷୀୟ ଲାଲମୋହନ ଆଜି ବି ରେଡ଼ିଓକୁ ନିଜର ସାଥୀ ଭାବନ୍ତି। ସେଥିପାଇଁ ବିଲକୁ କାମ କରିବାକୁ ଗଲାବେଳେ ସେ ରେଡ଼ିଓକୁ ସାଥୀରେ ନେଇ ଯାଆନ୍ତି। ଏମିତି କି ମରିବା ଯାଏ ରେଡ଼ିଓକୁ ଭୁଲିପାରିବିନି ବୋଲି ମଉସା କୁହନ୍ତି।

ଗାଁ ଗଣ୍ଡାରେ ଯେତେବେଳେ ଲୋକେ ଟିଭିରେ ବିଭିନ୍ନ ଖବର ଜାଣନ୍ତି ସେତେବେଳେ ମଉସା ରେଡ଼ିଓରେ ଖବର ପାଇ ଲୋକଙ୍କୁ ମଧ୍ୟ ଜଣାଇ ଥାଆନ୍ତି। ବାତ୍ୟା ସମୟରେ କରେଣ୍ଟ ନ ଥିବାବେଳେ ଟିଭିରେ ଖବର ପ୍ରସାରଣରେ ଅସୁବିଧା ବେଳେ ଅଧିକାରୀ ମଉସା ଯେଉଁ ଖବର ରେଡ଼ିଓରେ ଶୁଣି ଥାଆନ୍ତି, ଅନ୍ୟମାନଙ୍କୁ ଖବର ଶୁଣାଇ ବେଶ୍ ଖୁସି ହୋଇ ଥାଆନ୍ତି। ମଲା ପରେ ମୋ ସମାଧି ପାଖରେ ଏହି ରେଡିଓକୁ ଥୋଇ ଦେଇ ଆସିବାକୁ ପରିବାର ଲୋକଙ୍କୁ କହିଛନ୍ତି ଅଧିକାରୀ ମଉସା।

ରେଡ଼ିଓ ପ୍ରେମୀ ଲାଲ ମୋହନ ଅଧିକାରୀ କହିଛନ୍ତି, ମୁଁ ୬୦ ବର୍ଷ ହେବ ରେଡ଼ିଓ ଶୁଣୁଛି। ମୁଁ ଯୁଆଡେ କାମ କରିବାକୁ ଯାଏ, ରେଡ଼ିଓ ନେଇ ଯାଏ। ବିଲରେ ରେଡିଓ ରଖି ଦେଇ କାମ କରେ। ମୁଁ ଟିଭି ଓ ମୋବାଇଲ ବ୍ୟବହାର କରେ ନାହିଁ, ମୁଁ ସବୁବେଳେ ରେଡିଓ ଶୁଣିଥାଏ। ରେଡିଓ ଭଲ ତ ମୁଁ ଭଲ।

ଲାଲମୋହନଙ୍କ ପତ୍ନୀ ଯଶୋଦା ଅଧିକାରୀ କହିଛନ୍ତି, ମୁଁ ତାଙ୍କୁ ବିବାହ କରିବା ପୂର୍ବରୁ ସେ ରେଡ଼ିଓ ଧରୁଛନ୍ତି। ଆମେ ଟିଭି ଓ ମୋବାଇଲ ଦେଖିବାକୁ ପସନ୍ଦ କରୁ ନାହିଁ। ସେହି ରେଡ଼ିଓରୁ ସବୁ ଶୁଣିଥାଉ।

ଅଧିକ ପଢ଼ନ୍ତୁ: I Love Radio: ୨୨ ବର୍ଷରେ ପ୍ରେମ ହେଲା; ୬୦ ବର୍ଷ ହେଲାଣି କେହି କାହାକୁ ଛାଡ଼ିନୁ

Radio Mirchi Bhdrak
Advertisment
Advertisment