Advertisment

କି ଦୁଃଖ ! ବୋଝ ପରେ ନଳିତା ବିଡ଼ା; ମେଡିକାଲରେ ସ୍ୱାମୀଙ୍କ ଚିକିତ୍ସା ଚାଲିଛି, ସେପଟେ ପୁଅ ହଜିଗଲାଣି

ସ୍ୱାମୀଙ୍କର ଏ ଅବସ୍ଥା ପାଇଁ ଦିନ ରାତି ଏକ କରି ସେବା କରୁଛନ୍ତି ସ୍ତ୍ରୀ । କିଡନୀ ଖରାପ ହୋଇଥିବାରୁ ବାଲେଶ୍ୱର ମେଡିକାଲରେ ଡାଇଲିସିସ୍‌ ବି ଚାଲିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Missing

Missing

ଘର ଦୁଆର ମୁହଁରେ ବାପା ଶୋଇଛନ୍ତି, ମାଆ ପାଟିରେ ପାଣି ଦେଉଛନ୍ତି । ଏଭଳି ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ । ତାଟିଆରେ ବିସ୍କୁଟ ଗୁଣ୍ଡକୁ ଗୋଳେଇ ଗୋଳେଇ ଚାମୁଚରେ ପାଟିରେ ଦିଆଯାଉଛି ଆହର । ଗୋଟିଏ ପଟେ ଡାଇଲିସିସ୍‌ ଚାଲିଛି, ଅନ୍ୟପଟେ ବେକରରେ ବ୍ୟାଣ୍ଡେଜ କପଡା ଗୁଡାଯାଇଛି । ଖାଲି ବେକରେ କାହିଁକି, ହାତରେ ବି ଗୁଡାଯାଇଛି ବ୍ୟାଣ୍ଡେଜ୍‌ କପଡା । ଅବସ୍ଥା ଦେଖିଲେ ଆପଣ ବି ଠଉରାଇ ପାରିବେ ୟାଙ୍କ ଅବସ୍ଥା କେତେ ସଙ୍କଟାପନ୍ନ ।

Advertisment

ଅଧିକ ପଢ଼ନ୍ତୁ: କି ଦୁଃଖ ! ଆଗ ଭେଣ୍ଡିଆ ପୁଅ, ତାପରେ ଝିଅ ଚାଲିଗଲା.. ବାପା ମାଆଙ୍କ କଥା ବୁଝିବ କିଏ ?

ସେ ହେଉଛନ୍ତି ବାଲେଶ୍ୱର ର ଭାଗୀରଥୀ ମିଶ୍ର । ଦୀର୍ଘଦିନ ହେଲାଣି ଭାଗିରଥୀ କିଡନୀ ରୋଗରେ ପୀଡିତ। ଦିନ ବଢିବା ସହିତ ଦୁଇଟି ଯାକ କିଡନୀ ତାଙ୍କର ୮୦ ପ୍ରତିଶତରୁ ଅଧିକ ନଷ୍ଟ ହେଲାଣି । ତେଣୁ ଚାଲିବା ବୁଲିବା ତ ଦୂରର କଥା । ଏବେ କଡ ଲେଉଟେଇବା ତାଙ୍କ ପାଖରେ ଅସମ୍ଭବ ହେଲାଣି । ସ୍ୱାମୀଙ୍କର ଏ ଅବସ୍ଥା ପାଇଁ ଦିନ ରାତି ଏକ କରି ସେବା କରୁଛନ୍ତି ସ୍ତ୍ରୀ । କିଡନୀ ଖରାପ ହୋଇଥିବାରୁ ବାଲେଶ୍ୱର ମେଡିକାଲରେ ଡାଇଲିସିସ୍‌ ବି ଚାଲିଛି ।

Advertisment

ପ୍ରତିଦିନ ପରି ଭାଗୀରଥୀଙ୍କୁ ମେଡିକାଲ ନେଇ ଯାଇଥିଲେ ସ୍ତ୍ରୀ ଅନିତା। ଡାଇଲିସିସ୍‌ ଚାଲୁଥିବା ବେଳେ ସାଙ୍ଗରେ ଯାଇଥିବା କୁନି ପୁଅ ଧନଞ୍ଜୟଙ୍କୁ ଭୋକ ଲାଗିଥିଲା। ଖାଲି ଭୋକ ଲାଗିଲା ତାହା ନୁହେଁ ବରଂ ଖାଇବାକୁ ମାଆ ପାଖରେ ଅଝଟ ବି କଲା। କିନ୍ତୁ ବାପାଙ୍କ ଚିକିତ୍ସା ସରିବା ପରେ ଖାଇବା ବୋଲି କହିଥିଲେ ମାଆ। ହେଲେ ପିଲାଟି ଅଝଟ କରିବାରୁ ହାତରେ ୫ ଟଙ୍କା ଦେଇ ଆହାର କେନ୍ଦ୍ରରେ ଖାଇବାକୁ କହିଥିଲେ ମାଆ।

ଆହାର କେନ୍ଦ୍ରକୁ ସିନା ଖାଇବାକୁ ଗଲା, କିନ୍ତୁ ଆଉ ଫେରିଲାନି । ପୁଅ କାହିଁକି ଫେରିଲା ନାହିଁ ସେନେଇ ଚିନ୍ତିତ ଥିଲେ ଅନିତା । ଏମିତିକି ମେଡିକାଲ ପରିସରରେ ପୁଅକୁ ଖୋଜିବା ପରେ ବି ସେ ମିଳିନଥିଲା । ଆଉ ପୁଅକୁ ନପାଇ ପାଗେଳି ହୋଇଗଲାଣି ମାଆ। ଖାଲି ମାଆ କାହିଁକି, ରୋଗରେ ପଡିଥିବା ବାପା ବି ପୁଅକୁ ଦେଖି ଲୁହ ଗଡାଉଛନ୍ତି । ହେଲେ ପୁଅ ଘରକୁ ଫେରିନି । ନିଇତି ସକାଳ ହେଲେ ମେଡିକାଲ ପରିସରରେ ଥିବା ଥାନାରେ ଯାଇ ବସୁଛି ମାଆ । କାଳେ ପୁଅ ଫେରିବ ।

ସେପଟେ ଅନିତାଙ୍କ ଅଭିଯୋଗ କ୍ରମେ ମେଡିକାଲରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଆଧାର କରି ତଦନ୍ତ ଚାଲିଛି । ହେଲେ କ୍ୟାମେରା ସାମ୍ନାରେ କେହି କିଛି ପ୍ରତିକ୍ରିୟା ଦେଉନାହାନ୍ତି । ଆଉ ଏପଟେ ଧନଞ୍ଜୟ ଖୁବଶୀଘ୍ର ଅନିତାଙ୍କ ପାଖକୁ ଫେରିବ ବୋଲି ଆଶା ରଖିଛନ୍ତି ପରିବାର ଲୋକ । ତେବେ ବାପାଙ୍କ ଚିକିତ୍ସା କରାଉ କରାଉ ପୁଅ ନିଖୋଜ ହେବା ଘଟଣାକୁ ନେଇ ପୂରା ବାଲେଶ୍ୱରରେ ଚର୍ଚ୍ଚା ଚାଲିଛି ।

(ରିପୋର୍ଟ- ରଣଜିତ୍‌ ପାକଳ, ବାଲେଶ୍ୱର)

Tragic Incident
Advertisment
Advertisment