• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏସ୍‌ଟିଏର ମନମାନୀ । ବିଭାଗର ନିର୍ଦ୍ଦେଶକୁ ବେଖାତିର କରି ମନଇଚ୍ଛା ଧାର୍ଯ୍ୟ କରୁଛନ୍ତି ତାରିଖ । ଜାନୁଆରୀ ୧୫ରୁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ କଟକଣା ଲାଗୁ କରିବାକୁ ନେଇ ବିବାଦରେ ଏସ୍‌ଟିଏ । ପୁଣି ଗାଡି ଚାଳକଙ୍କ ଟେନସନ ବଢାଇଛି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ । କାହିଁକି ନା ଏବେ ବି ରାଜ୍ୟ ରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ରହିଛି ଭିତ୍ତିଭୂମିର ଅଭାବ ।

ଭୁବନେଶ୍ୱର ହେଉ କି ବାଲେଶ୍ୱର । ଏବେ ବି ନମ୍ବର ପ୍ଲେଟ ପାଇଁ ଲମ୍ବା ଗହଳି ଲାଗୁଛି, ଘଣ୍ଟା ଘଣ୍ଟା ଅପେକ୍ଷା ବି କରିବାକୁ ପଡୁଛି । ତେଣୁ ଏମିତି ସ୍ଥିତିରେ ସରକାର ଆଉ ସମୟ ଦେବା ପରିବର୍ତ୍ତେ କେମିତି ଡେଡଲାଇନ ଫିକ୍ସ କରୁଛନ୍ତି ତାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅନେକ ଗାଡି ଚାଳକ । ତାଠୁ ବଡ଼ କଥା ହେଲା ସରକାର କେବଳ ୧ ଆଉ ୨ ନମ୍ବର ପାଇଁ ଡିସେମ୍ବର ୩୧ ଡେଡଲାଇନ ରଖିଥିବା ବେଳେ ହଠାତ ଆଉ ୧୫ ଦିନ ଭିତରେ ୧ରୁ ୬ ପର୍ଯ୍ୟନ୍ତ ଗାଡି ଗୁଡିକ କେମିତି ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବେ, ତାହା ଅଧିକ ଚିନ୍ତାର ବିଷୟ ପାଲଟିଛି । ଏହା ସହ ଜାନୁଆରୀ ଶେଷ ସୁଦ୍ଧା ୭, ୮ ଏବଂ ଫେବୃଆରୀ ଶେଷ ସୁଦ୍ଧା ୯ ଆଉ ୦ ନମ୍ବର ପାଇଁ ଡେଡଲାଇନ ଥିବାରୁ ଗାଡି ଚାଳକଙ୍କ ଟେନସନ ମଧ୍ୟ ଦୁଇ ଗୁଣ ହୋଇଯାଇଛି ।

ଅନ୍ୟପଟେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ଟେଣ୍ଡର ନେଇଥିବା ସବୁଠୁ ବଡ ଘରୋଇ ସଂସ୍ଥା ସେଲେକ୍ସ ଟେକ୍ନୋଲୋଜି ମଧ୍ୟ କହୁଛି ସଂପୂର୍ଣ୍ଣ ସରିବାକୁ ଆହୁରି ୫ରୁ ୬ ମାସ ଲାଗିବ । ଏବେ ପ୍ରତିଦିନ ୫ ହଜାର ଗାଡି ବୁକିଂ ଆସୁଥିବା ବେଳେ ୪ ହଜାରରୁ ଅଧିକ ଉତ୍ପାଦନ ହେଉଛି ଅର୍ଥାତ ଆଉ ଦେଢ ମାସରେ ସବୁ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ସମ୍ଭବ ନୁହେଁ । ବଡ କଥା ହେଲା ରାଜ୍ୟରେ ଭିତ୍ତିଭୂମିର ଅସୁବିଧା ଥିବା ନିଜେ ସ୍ୱୀକାର କରିଥିଲେ ସରକାର । ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଅକ୍ଟୋବର ୧୦ରେ ଖୋଦ୍ ପରିବହନ ବିଭାଗ ବି ଏସ୍‌ଟିଏକୁ ନିର୍ଦ୍ଦେଶ ଦେଇ କହିଥିଲା ସବୁ ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗିବାକୁ କେତେ ଦିନ ଲାଗିବ, ହିସାବ କର । ଆଉ ସେହି ଅନୁସାରେ HSRPର ଟାଇମ୍‌ଲାଇନ୍ ବଦଳାଅ । ହେଲେ ପୁଣି ଡେଡଲାଇନକୁ ନେଇ ଅସନ୍ତୋଷ ସଡକ ସୁରକ୍ଷା ବିଶେଷଜ୍ଞ ।

ତେବେ ଜାନୁଆରୀ ୯ ସୁଦ୍ଧା ରାଜ୍ୟରେ ୩୫ ଲକ୍ଷ ୫୬ ହଜାର ୮୧୯ ଗାଡ଼ି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ଆବେଦନ କରିଥିବା ବେଳେ ୨୭ ଲକ୍ଷ ୨୪ହଜାର ୯୯୪ ଗାଡିରେ ନମ୍ବର ପ୍ଲେଟ ଲାଗି ସାରିଛି । ତେବେ ସଠିକ ଆକଳନ ପରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଟାଇମ୍‌ଲାଇନ୍ ପୁନଃ ନିର୍ଦ୍ଧାରଣ ଲାଗି ସରକାରଙ୍କ କଡ଼ା ନିର୍ଦ୍ଦେଶ ପରେ ବି ହଠାତ ଏସ୍‌ଟିଏର ଏମିତି ଆଭିମୁଖ୍ୟକୁ ନେଇ ଏବେ ସବୁଠି ପ୍ରଶ୍ନ ।