• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରସଙ୍ଗରେ ଗୋଟିଏ ପଟେ ତୀବ୍ର ଆନ୍ଦୋଳନ । ଅନ୍ୟପଟେ ଆନ୍ଦୋଳନକୁ ଲାଗିଛି ବଡ଼ ଝଟ୍‌କା । ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠ ସୃଷ୍ଟି କରିଛି ଅଡୁଆ । ଯେଉଁଥିରେ କୁହାଯାଇଛି, ବିଭିନ୍ନ କୋର୍ଟରେ ଭର୍ଚୁଆଲ୍ ଆକ୍ସେସ୍ ବ୍ୟବସ୍ଥା କରାଗଲେ, ଆଉ ସ୍ଥାୟୀ ବେଂଚର ସେତେଟା ଦରକାର ପଡ଼ିବ ନାହିଁ । ଫଳରେ ଏକ ପ୍ରକାର ମଉଳି ଯାଇଛି ସ୍ଥାୟୀ ବେଂଚ ପ୍ରତିଷ୍ଠା ଆଶା ।

ଅନ୍ୟପକ୍ଷରେ ମାତ୍ର ୪ ଦିନ ତଳେ କେନ୍ଦ୍ର ଆଇନ ମନ୍ତ୍ରୀ କିରନ୍ ରିଜୁଜୁ ଏ ପ୍ରସଙ୍ଗରେ ସଂସଦରେ ଲିଖିତ ଉତ୍ତର ରଖିଛନ୍ତି । ଏଥିରେ ସେ ସ୍ପଷ୍ଟ କରିଛନ୍ତି ଯେ, ଓଡ଼ିଶା ସରକାର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ପାଇଁ ଅନୁରୋଧ କରିଛନ୍ତି । ଏ ସଂପର୍କରେ ହାଇକୋର୍ଟ ସହ ଆଲୋଚନା କରି କେଉଁ କେଉଁ ସ୍ଥାନରେ ବେଂଚ ସ୍ଥାପନ ହେବ ବିସ୍ତୃତ ପ୍ରସ୍ତାବ ଦେବାକୁ କୁହାଯାଇଛି । ତେବେ ରାଜ୍ୟ ସରକାର ଙ୍କ ପକ୍ଷରୁ ଏନେଇ କୌଣସି ଉତ୍ତର ମିଳିନାହିଁ ।

ଏହା ପୂର୍ବରୁ ମଧ୍ୟ ଗତ ଏପ୍ରିଲ୍ ୨୦ ତାରିଖରେ କେନ୍ଦ୍ର ଆଇନ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବିସ୍ତୃତ ପ୍ରସ୍ତାବ ମାଗିଥିଲେ । ସେହିପରି ଗତ ଅକ୍ଟୋବରରେ ରାଜ୍ୟ ସରକାରଙ୍କ ସହ ପଶ୍ଚିମ ଓଡ଼ିଶା ବାର୍ ଆସୋସିଏସନ୍‌ର ସେଣ୍ଟ୍ରାଲ୍ ଆକସନ୍ କମିଟି ଆଲୋଚନା କରିଥିଲା । ଯେଉଁଥିରେ ସମ୍ବଲୁପୁରଠାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ପାଇଁ ପଶ୍ଚିମ ଓଡ଼ିଶାର ଅଧିକାଂଶ ଓକିଲ ସଂଘ ଚାହୁଁଥିବା ଦର୍ଶାଯାଇଥିଲା । ତେଣୁ ଏନେଇ ସଂପୂର୍ଣ୍ଣ ତଥା ବିସ୍ତୃତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଜଣାଇବାକୁ ନିବେଦନ କରିଥିଲା କମିଟି । ଏସବୁ ସତ୍ତ୍ୱେ ରାଜ୍ୟ ସରକାର ଚୁପ୍ ବସିଛନ୍ତି ।

ଅଧିକ ପଢ଼ନ୍ତୁ: ଓକିଲଙ୍କୁ ଲାଗିଲା ବଡ଼ ଝଟ୍‌କା ! ଆନ୍ଦୋଳନ ସ୍ଥଗିତ-ଲାଇସେନ୍ସ ବାତିଲ-ଗିରଫ

ଏପଟେ କୌଣସି ଠୋସ୍ ପଦକ୍ଷେପ ନିଆଯାଉ ନଥିବାରୁ ଓକିଲମାନେ ଆନ୍ଦୋଳନ ଜାରି ରଖିଥିଲେ । ଏଥିଯୋଗୁଁ ଲୋକେ ଆଇନ ସେବାରୁ ବଂଚିତ ହେଉଥିବାରୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ନଚେତ୍ ଓକିଲମାନଙ୍କ ବାର୍ ଲାଇସେନସ୍ ବାତିଲ ହେବ ବୋଲି କହିଥିଲେ । ଯାହାକୁ ନେଇ ଚାଲିଛି ମହାଭାରତ । ଆଉ ଏଭଳି ପରିସ୍ଥିତି ପାଇଁ ରାଜ୍ୟ ସରକାର ଦାୟୀ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ସେପଟେ ସମ୍ବଲପୁର ରେ ସୃଷ୍ଟି ହୋଇଥିବା ହିଂସାତ୍ମକ ପରିସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି । ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଇ ପାରୁନଥିବାରୁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । 

ଗୋଟିଏ ପଟେ ରାଜ୍ୟରେ ଓକିଲ ଆନ୍ଦୋଳନ ତୀବ୍ର ହେଲେ ଏହାକୁ ପ୍ରଶମିତ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖୁଛନ୍ତି । ସେପଟେ କିନ୍ତୁ ବେଂଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ବିସ୍ତୃତ ପ୍ରସ୍ତାବ ମାଗିଲେ ଚୁପ୍ ରହୁଛନ୍ତି । ଅର୍ଥାତ ଏକ ପ୍ରକାର ଡବଲ୍ ଗେମ୍ ଖେଳୁଛନ୍ତି । ଦେଖିବାର କଥା ଆଗକୁ ଏହି ସ୍ପର୍ଶକାତର ପ୍ରସଙ୍ଗର ସମାଧାନ ବାଟ କିଭଳି ବାହାରୁଛି ।