• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଇନ୍‌ଜୀବୀଙ୍କୁ ମହଙ୍ଗା ପଡ଼ିଲା ଉଗ୍ର ଆନ୍ଦୋଳନ । ଗିରଫ ହେଲେ, ଲାଇସେନ୍ସ ବି ସସ୍‌ପେଣ୍ଡ ହେଲା । ଓକିଲ ଆନ୍ଦୋଳନ ସ୍ଥଗିତ । ଗିରଫଦାରୀ ଓ ଲାଇସେନ୍ସ ସସ୍‌ପେଣ୍ଡ ପରେ ନଇଁଲା ପଶ୍ଚିମ ଓଡିଶା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟି । ହାଇକୋର୍ଟ ସ୍ଥାୟୀ ବେଂଚ୍ ଦାବିରେ ଚାଲିଥିବା ଆନ୍ଦୋଳନକୁ ସ୍ଥଗିତ ରଖିବାକୁ କମିଟି ନିଷ୍ପତ୍ତି ନେଇଛି । ସୁପ୍ରିମକୋର୍ଟ ଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବା ସହ କୋର୍ଟଙ୍କ ଉପରେ କମିଟି ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛି ।

ତେବେ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ କମିଟି ଆଶାବାଦୀ । ଏନେଇ କେନ୍ଦ୍ର, ରାଜ୍ୟ ସରକାର ଓ ହାଇକୋର୍ଟ ଉପରେ ଭରସା ରହିଥିବା ସମ୍ବଲପୁର କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ କହିଛନ୍ତି । ଏହାରି ଭିତରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଆଉ ୧୪ ଓକିଲଙ୍କ ଲାଇସେନ୍ସ ସସ୍‌ପେଣ୍ଡ କରିଛି । ଆନ୍ଦୋଳନ ବେଳେ ସମ୍ବଲପୁରରେ ଅପ୍ରୀତିକର ପରିସ୍ଥିତି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ବିସିଆଇ । ୧୮ ମାସ ପର୍ଯ୍ୟନ୍ତ ୧୪ ଜଣ ଓକିଲଙ୍କ ଲାଇସେନ୍ସ ସସ୍ପେଣ୍ଡ କରାଯାଇଛି ।

ଗତକାଲିର ୨୯ ଜଣଙ୍କୁ ମିଶାଇ ମୋଟ ୪୩ ଓକିଲଙ୍କ ଲାଇସେନ୍ସ ସସ୍‌ପେଣ୍ଡ ହୋଇଛି । ଗତକାଲି ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା ଓ ହଙ୍ଗାମା ଘଟଣାରେ ୧୬ ଆଇନଜୀବୀଙ୍କୁ ଗିରଫ କରି ଜେଲ୍ ହାଜତକୁ ପଠାଇଦେଇଛି ପୋଲିସ । ସେପଟେ ଆସନ୍ତାକାଲି ସୁପ୍ରିମ୍‌କୋର୍ଟରେ ହେବାକୁ ଥିବା ଏହି ମାମଲାର ଶୁଣାଣିରେ ରାଜ୍ୟ ପୋଲିସ୍ ଡିଜି ଓ ଉତ୍ତରାଞ୍ଚଳ ଆଇଜି ଭିଡିଓ କନ୍‌ଫରେନ୍ସିଂ ଯୋଗେ କୋର୍ଟରେ ହାଜର ହେବେ । 

ଅଧିକ ପଢ଼ନ୍ତୁ: ସୁପ୍ରିମ୍‌କୋର୍ଟରେ ହାଇକୋର୍ଟଙ୍କ ସତ୍ୟପାଠ ! ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ କରୁଥିବା ଓକିଲଙ୍କୁ ଲାଗିଲା ଝଟ୍‌କା

ସୂଚଳନାଯୋଗ୍ୟ ସମ୍ବଲପୁର ରେ ଗଲାକାଲିର ହଙ୍ଗାମା, ପୋଡ଼ାଜଳା, କୋର୍ଟରୁମ୍ ଭିତରେ ଭଙ୍ଗାରୁଜା । ଆଉ ଆରପଟେ ପୋଲିସ୍ ଡିଜିଙ୍କୁ ସର୍ବୋଚ୍ଚ ଅଦାଲତଙ୍କ ଭର୍ସନା ପରେ ଆଜି ଆକ୍ସନ ମୋଡ୍‌ରେ ଉଭୟ ବାର୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ ଓ ସମ୍ବଲପୁର ପୋଲିସ୍ । ଆନ୍ଦୋଳନରେ ସଂପୃକ୍ତ ୧୬ ଆଇନ୍‌ଜୀବୀଙ୍କୁ ଆଜି ଗିରଫ ପରେ ସମ୍ବଲପୁର ପୋଲିସ୍ ଏସ୍‌ପି କହିଛନ୍ତି ସିସିଟିଭି ଫୁଟେଜ୍‌କୁ ନେଇ ଆଗକୁ ଅନ୍ୟ ଅଭିଯୁକ୍ତମାନଙ୍କୁ ବି ଗିରଫ କରାଯିବ । ଅପରପକ୍ଷେ ଓକିଲଙ୍କ ଗିରଫଦାରି ପରେ ଉତ୍ତେଜନା ଆଶଙ୍କାରେ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସହରରେ ୨୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା ବେଳେ କେବଳ କୋର୍ଟ ପରିସରରେ ଅଛନ୍ତି ୧୭ ପ୍ଲାଟୁନ୍ ଫୋର୍ସ । ସେହିପରି କଚେରି ଛକରେ ୧୪୪ ଧାରା ଜାରି କରାଯାଇଛି ।

ଅନ୍ୟପଟେ ନିଲମ୍ବିତ ଓକିଲ ଯେଭଳି କୌଣସି କୋର୍ଟ କାର୍ଯ୍ୟରେ ଭାଗ ନେଇ ନପାରିବେ ସେନେଇ ସମସ୍ତ କୋର୍ଟଙ୍କୁ ଅବଗତ କରାଇବା ପାଇଁ ସମ୍ବଲପୁର ଜିଲ୍ଲା ଦୌରାଜଜ୍‌ଙ୍କ ରେଜିଷ୍ଟ୍ରାରଙ୍କୁ ବିସିଆଇ ଅନୁରୋଧ ବି କରିଛି ।

ଆସନ୍ତାକାଲି ସୁପ୍ରିମ୍‌କୋର୍ଟରେ ହେବାକୁ ଥିବା ଏହି ମାମଲାର ଶୁଣାଣିରେ ରାଜ୍ୟ ପୋଲିସ୍ ଡିଜି ଓ ଉତ୍ତରାଞ୍ଚଳ ଆଇଜି ଭିଡିଓ କନ୍‌ଫରେନ୍ସିଂ ଯୋଗେ କୋର୍ଟରେ ହାଜର ହେବେ । ଓକିଲ ଆନ୍ଦୋଳନକୁ ପ୍ରତିହତ କରିବାରେ ପୋଲିସ୍‌ର ବିଫଳତା ପାଇଁ ଗତକାଲି ଡିଜିପି ଓ ଉତ୍ତରାଞ୍ଚଳ ଆଇଜିଙ୍କୁ କଡ଼ା ଭର୍ସନା କରିବା ସହ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।