/odishatv-khabar/media/post_attachments/uploadimage/library/16_9/16_9_0/Odisha_1681734858.jpg)
Odisha
ବନ୍ୟପ୍ରାଣୀଙ୍କ ପାଇଁ ଜଙ୍ଗଲରେ ପାଣିର ବ୍ୟବସ୍ଥା କରିବାକୁ ପିସିସିଏଫଙ୍କ ନିର୍ଦ୍ଦେଶ । ପ୍ରବଳ ଖରା ଯୋଗୁଁ ଜଙ୍ଗଲରେ ଥିବା ଛୋଟ ବଡ଼ ଜଳାଶୟ ଶୁଖି ଯାଉଛି । ଏହି ଜଳାଶୟଗୁଡ଼ିକୁ ଗଭୀର କରିବାକୁ ପିସିସିଏଫ୍ କହିଛନ୍ତି । ଟ୍ୟାଙ୍କରରେ ପାଣି ଆଣି ଶୁଖିଲା ପୋଖରୀ, ଗଡ଼ିଆରେ ପକାଇବାକୁ ସମସ୍ତ ଡିଏଫଓଙ୍କୁ ଚିଠି ଲେଖିଛନ୍ତି ପିସିସିଏଫ୍ । ଏହା ସହିତ ଜଳାଶୟ ନିକଟରେ
ଛାଇର ବ୍ୟବସ୍ଥା କରିବା ସହିତ ନିୟମିତ ସ୍ଥିତି ଅନୁଧ୍ୟାନ କରିବାକୁ ମଧ୍ୟ କୁହାଯାଇଛି । ଜଙ୍ଗଲରେ ପାଣିର ଅଭାବ ହେଲେ ବନ୍ୟଜନ୍ତୁ ଜନବସତିକୁ ପଳାଇ ଆସିବାର ଡର ରହିଛି ।
ଅଧିକ ପଢ଼ନ୍ତୁ: ପଶୁ-ପକ୍ଷୀଙ୍କୁ ପାଣି ଦେବା ଲାଗି ଛକଛକରେ ବସିଲା ପ୍ଲାଷ୍ଟିକ୍ କୁଣ୍ଡ
ସେପଟେ ଆଠଗଡ଼ ଜଙ୍ଗଲରେ ପାଣି ଅଭାବରୁ ହାତୀ ଛୁଆର ମୃତ୍ୟୁ ହୋଇନଥିବା କହିଛନ୍ତି ପିସିସିଏଫ୍ ୱାଇଲଡ ଲାଇଫ୍ ଏସ୍ କେ ପୋପଲି । କାରଣ ସେହି ଅଞ୍ଚଳରେ ୩ଟି ପୋଖରୀ ଅଛି । ପୋଷ୍ଟମର୍ଟମ ପରେ ହାତୀ ଛୁଆ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି । ନୂଆପଡ଼ା ରୁ ଉଦ୍ଧାର ହୋଇଥିବା ବାଘ ସୁସ୍ଥ ଅଛି। ଅଂଶୁଘାତ ନା କେଉଁ କାରଣରୁ ସେ ଅସୁସ୍ଥ ହୋଇଥିଲା, ତାହା ନିରୀକ୍ଷଣ କରାଯାଉଛି ।
ଅନ୍ୟପଟେ ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଆହୁରି ୪ ଦିନ କଲବଲ କରିବ ତାତି। ଖରା ସାଙ୍ଗକୁ ଗୁଳୁଗୁଳି କରିବ ଅଣାୟତ୍ତ । ଦିନର ତାପମାତ୍ରା ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ବା ତାଠାରୁ ଅଧିକ ରହିବ । ଯଦିଓ ଅପରାହ୍ନରେ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବ, ହେଲେ ଅଧିକ ବର୍ଷା ହେବନାହିଁ । ଫଳରେ ତାପମାତ୍ରା ବିଶେଷ ହ୍ରାସ ପାଇବ ନାହିଁ । ୨୧ ତାରିଖ ପରେ ତାପମାତ୍ରା କ୍ରମେ ହ୍ରାସ ପାଇବ ।
ଓଡ଼ିଶା ଉପକୂଳରେ ଏକ ଗୁରୁଚାପ ବଳୟ ରହିବ, ଯାହାର ପ୍ରଭାବରେ ସାମୁଦ୍ରିକ ବାୟୁ ବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରିବ। ଫଳରେ ବର୍ଷାର ପରିମାଣ ବଢିବା ସହ ତାପମାତ୍ରା କିଛି ହ୍ରାସ ପାଇବ । ବର୍ତ୍ତମାନ ଦକ୍ଷିଣ ଦକ୍ଷିଣ - ପଶ୍ଚିମ ଦିଗରୁ ପବନ ରାଜ୍ୟକୁ ପ୍ରବେଶ କରୁଛି, ଯାହା ଫଳରେ ତାପମାତ୍ରା ବୃଦ୍ଧି ପାଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ସଞ୍ଜୀବ ଦ୍ୱିବେଦୀ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)