• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଠଗଡ଼ ଧବଳେଶ୍ୱର ପୀଠରେ ଜାରି ହେଲା ୧୪୪ ଧାରା । ଝୁଲାପୋଲ ମରାମତି ପାଇଁ ଜାରି ହେଲା ୧୪୪ ଧାରା । ଏନେଇ ଆଠଗଡ଼ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଡଙ୍ଗା ଯୋଗେ ଶ୍ରଦ୍ଧାଳୁଙ୍କୁ ପାରି କରାଇବା ସମ୍ଭବ ନଥିବାରୁ ୧୪୪ ଜାରି କରାଯାଇଥିବା ସେ କହିଛନ୍ତି । ଗୁଜରାଟ ମୋର୍ବିରେ ଝୁଲା ପୋଲ ଟ୍ରାଜେଡି ପରେ ଚେତିଛି ପ୍ରଶାସନ । ସକାଳେ ଝୁଲାପୋଲରେ ଯାତ୍ରୀ କଟକଣା ଜାରି କରାଯାଇଥିଲା । ତେବେ ବିଶେଷଜ୍ଞ ଟିମ୍ ଅନୁଧ୍ୟାନ ପରେ ମରାମତି ପାଇଁ ନିଷ୍ପତ୍ତି ହେଲା ।

ପୂର୍ବରୁ ଗୋଟିଏ ଦିନ ଅର୍ଥାତ ଆସନ୍ତାକାଲି ଧବଳେଶ୍ୱର ଝୁଲାପୋଲ ବନ୍ଦ ରହିବ ବୋଲି କୁହାଯାଇଥିଲା। ଦିନଟିଏ ପାଇଁ ଝୁଲାପୋଲ ବନ୍ଦ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଥିଲେ । ପୋଲର ନିରାପତ୍ତା ଯାଞ୍ଚ ପାଇଁ ଦିନଟିଏ ବନ୍ଦ କରାଯିବ ବୋଲି କୁହାଯାଇଥିଲା । ଟେକ୍ନିକାଲ ଟିମ୍ ଦେଇଥିବା ରିପୋର୍ଟ ଅନୁସାରେ ଯାଞ୍ଚ କରାଯିବ। ଝୁଲାପୋଲରେ ଯାତ୍ରାକୁ ସୀମିତ କରାଯିବ, ଆବଶ୍ୟକ ହେଲେ ସୁରକ୍ଷା ପାଇଁ ପୂରା ବନ୍ଦ କରାଯାଇପାରେ ବୋଲି ଜିଲ୍ଲାପାଳ କହିଥିଲେ ।

ଅଧିକ ପଢ଼ନ୍ତୁ: ଧବଳେଶ୍ୱର ଝୁଲା ପୋଲରେ ଲାଗିଲା କଟକଣା

ସୁରକ୍ଷା ଦୃଷ୍ଟିରୁ ପୋଲ ନିକଟରେ ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ ମୁତୟନ ରହିବେ ବୋଲି ମଧ୍ୟ କହିଥିଲେ । ଏବେ କିନ୍ତୁ ଏଠାରେ ୧୪୪ ଧାରା ଲାଗୁ କରାଯାଇଛି । ଝୁଲା ପୋଲର ଷ୍ଟେ-ରୋପକୁ ଧରି ରଖିଥିବା ଲୁହା ବିମ୍ ଓ ବକ୍ସ କଳଙ୍କି ଲାଗି ଖୋତରି ଯାଇଥିବା ଖବର ଦେଖାଇଥିଲା ଓଟିଭି । କଲିକତାରୁ ଆସିଥିବା ବୈଷୟିକ ଟିମ୍‌ ଯାଞ୍ଚ ପରେ ପୋଲ ଦୁର୍ବଳ ଥିବା କହିଥିଲା । ଏଣୁ ଥରକେ ମାତ୍ର ୨ଶହ ଜଣଙ୍କୁ ଛଡାଯାଉଥିଲା । ସେପଟେ ପୋଲ ଦୁର୍ବଳ ଥିବାରୁ କେବଳ ବଡ଼ଓଷା ବ୍ରତଧାରୀ ମାନେ ଦର୍ଶନ ପାଇଁ ଆସିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିଲା । ଭିଡ଼ ନିୟନ୍ତ୍ରଣ ପାଇଁ ଏବେ ଅସ୍ଥାୟୀ ଭାବେ ଡଙ୍ଗାର ବ୍ୟବସ୍ଥା କରାଯାଇଥିବା ବେଳେ, ୩ ମାସ ମଧ୍ୟରେ ସ୍ଥାୟୀ ବ୍ରିଜ କାମ ସରିଲେ ଯାତାୟତ ସମସ୍ୟା ଦୂର ହେବ ବୋଲି କହିଛନ୍ତି ଆଠଗଡ଼ ଉପଜିଲ୍ଲାପାଳ । 

ସୂଚନାଯୋଗ୍ୟ, ଗୁଜରାଟର ମୋର୍ବିରେ ମାଛୁ ନଦୀ ଉପରେ ଥିବା ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪୧ରେ ପହଞ୍ଚିଛି । ନଦୀରେ ୧୦୦ରୁ ଅଧିକ ଭାସି ଯାଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ୧୭୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏହାସହ ଏବେ ବି ସର୍ଚ୍ଚ ଅପରେସନ୍‌ ଜାରି ରହିଛି । ମୃତକଙ୍କ ମଧ୍ୟରେ ୨୦ରୁ ଅଧିକ ଶିଶୁ ଥିବାବେଳେ ଭାସି ଯାଇଥିବା ଲୋକଙ୍କ ମଧ୍ୟରେ ବି ଶିଶୁଙ୍କ ସଂଖ୍ୟା ଅନେକ ବୋଲି କୁହାଯାଉଛି । ଗତକାଲି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଥିଲା ।