• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୨୦୨୨ ଜାନୁଆରୀରେ ବାପା, ୨୦୨୩ ଜାନୁଆରୀରେ ପୁଅ । ଜଣେ ରୂପେଲି ରଙ୍ଗମଞ୍ଚରେ ଅଭିନୟ ସାରିବା ପୂର୍ବରୁ ଆଉ ଜଣେ ଜୀବନ ରଙ୍ଗମଞ୍ଚରେ ରଙ୍ଗ ଭରିବା ଆଗରୁ । ଏମିତି ବର୍ଷକ ଭିତରେ ଆଗେ ଆଗେ ବାପା ଆଉ ପଛେ ପଛେ ପୁଅ । ଓଡ଼ିଆ ସିନେ ଜଗତର ଭର୍ସାଟାଇଲ ଆଉ ସ୍ୱର୍ଗତ ମିହିର ଦାସଙ୍କ ପରିବାରକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ସେ ଯିବାର ମାତ୍ର ବର୍ଷଟିଏ ପୁରଣୁୁ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜି ଦେଇଛନ୍ତି ତାଙ୍କ ସାନ ପୁଅ ଅକ୍ଲାନ୍ତ ଦାସ ।

ମାତ୍ର ୨୬ ବର୍ଷ ବୟସରେ ଗତକାଲି ରାତିରେ ତାଙ୍କର ପରଲୋକ ଘଟିଛି । ଲିଭର ସଂକ୍ରମଣ ଓ ଛାତି ରୋଗରେ ପୀଡ଼ିତ ଅକ୍ଲାନ୍ତ ପ୍ରାୟ ମାସେ ଧରି ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିଲେ ଅକ୍ଲାନ୍ତ । ସମ୍ପର୍କୀୟଙ୍କ କହିବା କଥା, ଗଲା ସପ୍ତାହେ ହେବ ଅକ୍ଲାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ହୋଇ ଆସୁଥିଲା । ହେଲେ ଗତକାଲି ଅବସ୍ଥା ହଠାତ ବିଗିଡ଼ି ଯାଇଥିବା ଡାକ୍ତର କହିଥିଲେ । ପରେ ରାତି ପ୍ରାୟ ୧୨ଟା ୩ ମିଟିନରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

ଅଧିକ ପଢ଼ନ୍ତୁ: କେମିତି ଓ କେଉଁଠି ଆରମ୍ଭ ହୋଇଥିଲା ମିହିରଙ୍କ ଓଲିଉଡ୍‌ ଯାତ୍ରା, ଜାଣନ୍ତୁ..

ଓଡ଼ିଆ ସିନେ ଦର୍ଶକଙ୍କ ଅତି ପ୍ରିୟ ଅଭିନେତା ସ୍ୱର୍ଗତ ମିହିର ଦାସଙ୍କ ପରିବାରିକ ଜୀବନରେ ଆସିଛି ଅନେକ ଘାତ ପ୍ରତିଘାତ । ଆଜିକୁ ପ୍ରାୟ ୧୦ ବର୍ଷ ତଳେ ପତ୍ନୀ ସଙ୍ଗୀତା ଦାସଙ୍କ ପରଲୋକ ଘଟିଥିଲା । ପରେ ଦୁଇ ପୁଅ ଅମ୍ଲାନ ଓ ଅକ୍ଲାନ୍ତଙ୍କୁ ମଣିଷ କରିବାର ଦାୟିତ୍ୱ ନେଇଥିଲେ ମିହିର । କିନ୍ତୁ ଗତବର୍ଷ ଜାନୁଆରୀ ୧୧ ତାରିଖରେ ମିହିର ଦାସ ବି ଦୁନିଆ ଛାଡ଼ି ଦେବା ପରେ ବାପା-ମାଆ ଛେଉଣ୍ଡ ହୋଇଯାଇଥିଲେ ଅମ୍ଲାନ ଓ ଅକ୍ଲାନ୍ତ । ଅମ୍ଲାନ ଏବେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିବା ବେଳେ ଅକ୍ଲାନ୍ତ ସିନେମା ନିର୍ଦ୍ଦେଶନା ଓ ଗ୍ରାଫିକ୍ସ ଡିଜାଇନିଂ ପାଠପଢ଼ା ସାରି ସିନେମାରେ କ୍ୟାରିୟର କରିବାକୁ ନିଜକୁ ପ୍ରସ୍ତୁତ କରୁଥିଲେ । କିନ୍ତୁ ତା ପୂର୍ବରୁ ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁ ତାଙ୍କ ପରିବାର, ସମ୍ପର୍କୀୟ ଓ ମିହିର ଦାସଙ୍କୁ ଭଲ ପାଉଥିବା ପ୍ରତିଟି ଫ୍ୟାନଙ୍କୁ ଆଘାତ ଦେଇଛି ।

ଆଜି ସକାଳେ କଟକ ସତୀ ଚଉରାସ୍ଥିତ ଶ୍ମଶାନରେ ଅକ୍ଲାନ୍ତଙ୍କ ଅନ୍ତିମ ସଂସ୍କାର କରାଯାଇଛି । ବଡ଼ ଭାଇ ଅମ୍ଲାନ ମୁଖାଗ୍ନି ଦେଇଥିବା ବେଳେ ଏହି ସମୟରେ ଉପସ୍ଥିତ ସମ୍ପର୍କୀୟ ଓ ପରିଜନଙ୍କ ମଧ୍ୟରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।