Advertisment

କେମିତି ଓ କେଉଁଠି ଆରମ୍ଭ ହୋଇଥିଲା ମିହିରଙ୍କ ଓଲିଉଡ୍‌ ଯାତ୍ରା, ଜାଣନ୍ତୁ..

ଦୀର୍ଘଦିନ ଧରି କିଡନୀ ରୋଗରେ ପୀଡ଼ିତ ଥିଲେ ମିହିର ଦାସ । କଟକର ଏକ ଘରୋଇ ହସ୍ପିଟାଲରେ ଗତ ପ୍ରାୟେ ମାସେ ଧରି ତାଙ୍କର ଚିକିତ୍ସା ଜାରି ରହିଥିଲା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Mihir Das

Mihir Das

କେତେବେଳେ ସେ ଥିଲେ ନାୟକ ତ କେବେ ବନିଥିଲେ ଖଳନାୟକ । ସବୁଥିରେ ସେ ଫିଟ୍, ସବୁଥିରେ ସେ ହିଟ୍ । ହେଲେ ସେହି ୪ ଦଶନ୍ଧୀର ସୁବର୍ଣ୍ଣ ସମୟକୁ ଛାଡ଼ି ଆଜି ଅଫେରା ବାଟ ଦେଇ ଫେରିଯାଇଛନ୍ତି ଓଲିଉଡ୍‌ର କିମ୍ବଦନ୍ତୀ ଅଭିନେତା ମିହିର ଦାସ । ଶୋଇଯାଇଛନ୍ତି ଚିରନିଦ୍ରାରେ, ନୀରବି ଯାଇଛନ୍ତି ଶହ ଶହ ସାଥୀ କଳାକାର, ପ୍ରଶଂସକ, ସିନେ ପ୍ରେମୀଙ୍କ ଭିଡ଼ ଭିତରେ । ଅମାନିଆ ଲୁହରେ ବତୁରି ଯାଉଛି ସମସ୍ତଙ୍କ ଆଖି । କୋହରେ ଛାତି ଫାଟିଯାଉଛି । କାହିଁକି ବା ନ ହେବ । ସେ ପରା ଥିଲେ ଓଲିଉଡ୍‌ର ମଉଡ଼ମଣି ।

Advertisment

ଦୀର୍ଘଦିନ ଧରି କିଡନୀ ରୋଗରେ ପୀଡ଼ିତ ଥିଲେ ମିହିର ଦାସ । କଟକର ଏକ ଘରୋଇ ହସ୍ପିଟାଲରେ ଗତ ପ୍ରାୟେ ମାସେ ଧରି ତାଙ୍କର ଚିକିତ୍ସା ଜାରି ରହିଥିଲା । ହେଲେ ଦୁର୍ଭାଗ୍ୟକୁ ଆଜି ଅପରାହ୍ନ ୩ଟା ୨୫ରେ ଆଖି ବୁଜିଦେଲେ ଏହି ବର୍ଷିୟାନ ଅଭିନେତା । ବର୍ତ୍ତମାନ ତାଙ୍କ ମରଶରୀରକୁ କଟକ ସ୍ଥିତ ବାସଭବନରେ ରଖାଯାଇଛି ।

୧୯୫୯, ଫେବ୍ରୁୟାରୀ ୧୧ । କଳା ଓ ସଂସ୍କୃତିର ସହର ମୟୁରଭଞ୍ଜ ଜିଲ୍ଲା ବାରିପଦାରେ ଜନ୍ମଗ୍ରହଣ କରିଥିଲେ ମିହିର । ବାପା ପ୍ରସନ୍ନ କୁମାର ଦାସ ଏବଂ ମା ସୁନ୍ଦରମଣିଙ୍କ ସାନପୁଅ ଯେ ଦିନେ ସିନେମାରେ ରାଜ୍ କରିବ, ବୋଧହୁଏ କଳ୍ପନା କରିନଥିଲେ । କିନ୍ତୁ ସ୍ୱପ୍ନକୁ ସାର୍ଥକ କରିବାର ଦକ୍ଷତା ଥିଲା ତାଙ୍କର । ୧୯୮୦ ମସିହାରେ ରେଭେନ୍ସା କଲେଜ୍‌ରେ ପାଠପଢ଼ିବା ସମୟରେ ପ୍ରଥମ ଥର ପାଇଁ ରାମାୟଣ ସିନେମାରେ ଶତ୍ରୁଘ୍ନ ଚରିତ୍ରରେ ଅଭିନୟ କରିଥିଲେ । ବାସ୍, ତାପରଠୁ ଆଉ ସେ ପଛକୁ ଚାହିଁ ନାହାଁନ୍ତି । ଅଭିନୟର ବିଜୟ ଯାତ୍ରା ଭିତରେ ୧୯୮୫ ମସିହାରେ ସହ ନାୟକ ଭାବେ ନଜରକୁ ଆସିଥିଲେ ସ୍କୁଲ ମାଷ୍ଟର ସିନେମାରେ ।

Advertisment

ସେଦିନଠୁ ୪ ଦଶନ୍ଧି ଧରି ମିହିର ରାଜ୍ କରିଛନ୍ତି ଓଲିଉଡ୍‌ରେ । କେବଳ ଏତିକି ନୁହେଁ, ଏଇ ଆମ ସଂସାର, କନ୍ୟାଦାନ, ଆକାଶର ଆଖି, ହିସାବ କରିବ କାଳିଆ, କି ହେବ ଶୁଆ ପୋଷିଲେ, ଭାଗ୍ୟ ହାତେ ଡୋରି, ସୁହାଗ ସିନ୍ଦୁର, ଗଙ୍ଗା ଯମୁନା, ସହର ଜଳୁଚି, ସମୟ ଖେଳୁଛି ଚକା ଭଉଁରୀ ଭଳି ଶତାଧିକ ସିନେମାରେ ନିଜ ଅଭିନୟର ଛାପ ଛାଡ଼ି ଯାଇଛନ୍ତି ମିହିର ।

ପୁଅ ମୋର ଭୋଳା ଶଙ୍କର ଫିଲ୍ମ ଆଜି ବି ଘରେ ଘରେ ପରିଚିତ, ପ୍ରଶଂସିତ । ଆଉ ଏହି ଚଳଚ୍ଚିତ୍ର ତାଙ୍କୁ ବେଶ୍ ପ୍ରସିଦ୍ଧି ଆଣିଦେଇଥିଲା । ଯେଉଁଥିରେ ତାଙ୍କୁ ଦେଖିବାକୁ ମିଳିଥିଲା ବିନା ନିଶରେ । ଏହି ସିନେମା ପାଇଁ ସେ ପ୍ରଥମ ଥର ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରେଷ୍ଠ ନାୟକ ପୁରସ୍କାର ମଧ୍ୟ ପାଇଥିଲେ ।

ସେହିପରି ସୌଭାଗ୍ୟବତୀ, ଲକ୍ଷ୍ମୀ ପ୍ରତିମା, ବିଧାତା, ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ ଭଳି ଏକାଧିକ ଫିଲ୍ମରେ ଶ୍ରେଷ୍ଠ ଅଭିନୟ କରି ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି । ୨୦୨୧ରେ ତରଙ୍ଗ ପକ୍ଷରୁ ଦିଆଯାଇଥିଲା ଲାଇଫ୍ ଟାଇମ୍ ଆଚିଭମେଣ୍ଟ ସମ୍ମାନ । କେବଳ ସିନେମା କାହିଁକି, ଓଟିଭିର ବହୁଳ ପ୍ରସାରିତ ଏବଂ ଚର୍ଚ୍ଚିତ ସୋ ଜୀବନ ଦୋଛକିରେ ଆଶାର ଆଲୋକର ମଞ୍ଚ ସଞ୍ଚାଳକ ସାଜି ବହୁ ଲୋକଙ୍କ ଉଜୁଡ଼ା ସଂସାରକୁ ସଜାଡ଼ି ଦେଇଛନ୍ତି ମିହିର ଦାସ । ମିହିରଙ୍କ ମିଠା କଥା ଅନେକ ଭଙ୍ଗା ମନ ଓ ପରିବାରକୁ ଯୋଡ଼ି ପାରିଛି ।

କଣ୍ଠଶିଳ୍ପୀ ସଂଗୀତା ଦାସଙ୍କୁ ବିବାହ କରିଥିଲେ ମିହିର ଦାସ । ୨୦୧୦ରେ ପତ୍ନୀ ସଂଗୀତାଙ୍କୁ ହରାଇଥିଲେ । ଆଉ ଏବେ ସେ ନିଜେ ହାରିଗଲେ ଜୀବନ ଯୁଦ୍ଧରେ । ଓଡ଼ିଆ ସିନେ ଜଗତର ଏହି କିମ୍ବଦନ୍ତୀ ପୁରୁଷଙ୍କୁ ଆଜି ଝୁରୁଛନ୍ତି ପ୍ରତ୍ୟେକଟି କଳାକାର, ସିନେପ୍ରେମୀ, ଦର୍ଶକ, ପ୍ରଶଂସକ ।

ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୁଷଣ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଟୁଇଟ୍ କରି ଶୋକବ୍ୟକ୍ତ କରିଛନ୍ତି ।

Ollywood Mihir Das
Advertisment
Advertisment