ଭାରତରେ ଅନେକ ପ୍ରାଚୀନ ମନ୍ଦିର ରହିଛି । ଯାହାର ନିର୍ମାଣ ହଜାର ହଜାର ବର୍ଷ ପୂର୍ବେ ହୋଇଥିଲା । ସେ ସମୟରେ ଅନେକ ମନ୍ଦିର ରାଜା ମହାରାଜା ମାନେ ବି ନିର୍ମାଣ କରାଇଛନ୍ତି । ଯାହା ଆଜି ବି ଇତିହାସର ମୁକସାକ୍ଷୀ ହୋଇ ରହିଛି । କାହାର କାରୁକାର୍ଯ୍ୟ ତ କାହାର ନିର୍ମାଣ ଶୈଳୀ ଆମକୁ ସଦା ସର୍ବଦା ଆଶ୍ଚର୍ଯ୍ୟ କରେ । କିଛି ମନ୍ଦିରର ନିର୍ମାଣ ପଛର କାହାଣୀ ଶୁଣିଲେ ମନରେ ପ୍ରଶ୍ନ ଉଠେ ସତରେ ଏମିତି କିଛି ଘଟିଥିଲା । କିଛି ସମୟ ଭାବିବାକୁ ବାଧ୍ୟ କରେ ସେ କାହାଣୀ । କିଛି ମନ୍ଦିର ସହ ଏଭଳି କଥା ବି ଯୋଡ଼ି ହୋଇରହିଛି, ଯାହା ଲୋକମାନେ କୁହନ୍ତି କିନ୍ତୁ ତାକୁ ବିଶ୍ବାସ କରିବା ସହଜ ନୁହେଁ ।
କକନମଠ ମନ୍ଦିର । ମଧ୍ୟପ୍ରଦେଶର ମୁରୈନା ଜିଲ୍ଲାର ସିହୋନିୟାରେ ଅବସ୍ଥିତ । ସିହୋନିୟାଠୁ ପାଖାପାଖି ୨ କିଲୋମିଟର ଦୂରରୁ ମନ୍ଦିରଟି ଦେଖାହୁଏ । ମନ୍ଦିରଟି ଏବେ ଭଗ୍ନ ଅବସ୍ଥାରେ ରହିଛି । ମନ୍ଦିରଟିକୁ ବାହାରୁ ଦେଖିଲେ ଲାଗିବ ଯେଭଳି ଏବେ ମନ୍ଦିରଟି ଗଳିପଡିବ । କିନ୍ତୁ ଏଭଳି କିଛି ଘଟେ ନାହିଁ । ବର୍ଷ ବର୍ଷ ଧରି ଏହି ମନ୍ଦିରଟି ଏଭଳି ଛିଡା ହୋଇ ରହିଛି ।
ମନ୍ଦିରକୁ ନେଇ ଗୋଟିଏ ଲୋକକଥା ରହିଛି । କୁହାଯାଏ ଭଗବାନ ଶିବଙ୍କ ଆଦେଶରେ ମନ୍ଦିରଟିକୁ ଗୋଟିଏ ରାତିରେ ଭୂତମାନେ ମିଶିକି ନିର୍ମାଣ କରିଥିଲେ । ମନ୍ଦିର ନିର୍ମାଣ କରୁ କରୁ ସକାଳ ହୋଇଯାଇଥିଲା । ଫଳରେ ନିର୍ମାଣ କାମ ଅଧାରେ ରହିଯାଇଥିଲା । ଏହାକୁ ଭୂତଙ୍କ ମନ୍ଦିର ବି କୁହାଯାଏ । ଆପଣ ଯଦି ମନ୍ଦିରଟିକୁ ଦେଖିବେ ତାହା ଆପଣଙ୍କୁ ଅଧାଗଢ଼ା ଲାଗିବ । ତେବେ ଏହି ଲୋକକଥା ପଛରେ କେତେ ସତ୍ୟତା ରହିଛି ତାହାର କୌଣସି ପ୍ରମାଣ ନାହିଁ ।
Also Read
ସବୁଠୁ ଆଶ୍ଚର୍ଯ୍ୟ ଲାଗେ ଏହି ମନ୍ଦିରର ନିର୍ମାଣରେ ବ୍ୟବହାର ହୋଇଥିବା ପଥର ଆଖପାଖ ଅଞ୍ଚଳରେ ମିଳେନି । ପ୍ରଶ୍ନ ଉଠେ ଏହି ପଥର ଗୁଡିକ ଏହି ଜାଗାକୁ କେମିତି ଆସିଲା ଓ କିଭଳି ଭାବେ ଏହି ମନ୍ଦିରର ନିର୍ମାଣ କରାଯାଇଛି । ମନ୍ଦିରରେ କୌଣସି କବାଟ ନାହିଁ । ମୂଳରୁ ମନ୍ଦିରରେ କବାଟ ଲାଗିନାହିଁ ନା କବାଟ ଲାଗିଥିଲା ଭାଙ୍ଗିଯାଇଛି ଏମିତି ବି ପ୍ରଶ୍ନ ଆପଣଙ୍କ ମନରେ ଆସିବ ।
ଏହି ମନ୍ଦିରରେ ଭଗବାନ ଶିବ ପୂଜା ପାଆନ୍ତି । ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ମାନେ ମହାଦେବଙ୍କ ପୂଜା କରିବାକୁ ହିଁ ମନ୍ଦିରକୁ ଆସିଥାଆନ୍ତି । ହଜାର ବର୍ଷ ପୁରୁଣା ଏହି ମନ୍ଦିରରେ ହିନ୍ଦୁ ଦେବତାଙ୍କ ଅନେକ ମୂର୍ତ୍ତି ବି ରହିଛି । ସେଥିରୁ ଅନେକ ଏବେ ଭଗ୍ନ ଅବସ୍ଥାରେ । ଏମିତି ଲାଗେ କେହି ଯୁଦ୍ଧ ପାଇଁ ଆସିଥିବା ଶାସକ ଏଗୁଡିକୁ ଭାଙ୍ଗି ଦେଇଛନ୍ତି ।
ଇତିହାସ କହେ ଏହି ମନ୍ଦିରକୁ କଚ୍ଛୱାହା ବଂଶର ରାଜା କିର୍ତ୍ତୀ ରାଜ ଏକାଦଶ ଶତାବ୍ଦୀରେ ନିର୍ମାଣ କରିଥିଲେ । କୁହାଯାଏ ରାଣୀ କକନାବତୀ ମହାଦେବଙ୍କ ବଡ଼ ଭକ୍ତ ଥିଲେ । ରାଣୀଙ୍କ ପାଇଁ ରାଜା କିର୍ତ୍ତୀ ରାଜ ମନ୍ଦିରର ନିର୍ମାଣ କରାଇଥିଲେ । ଏହି କାରଣରୁ ମନ୍ଦିରର ନାଁ ରାଣୀଙ୍କ ନାମରେ ରଖାଯାଇଛି ।