ଓଡ଼ିଶା ଫେରିଛି ବାଘୁଣୀ ଜିନ୍ନତ୍ । NTCA ଛାଟ ପରେ ପଶ୍ଚିମବଙ୍ଗ ଆଲିପୁର ଚିଡ଼ିଆଖାନାରୁ ବିଳମ୍ବିତ ରାତିରେ ଓଡ଼ିଶା ଫେରିଛି ଜିନ୍ନତ । ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଗାଡିରେ ପାଇଲଟିଂ କରି ଜିନ୍ନତକୁ ଓଡ଼ିଶା ଅଣାଯାଇଛି । ଓଡ଼ିଶା ପହଞ୍ଚିବା ପରେ ଶିମିଳିପାଳ ଦକ୍ଷିଣ ଡିଭିଜନର ସଫ୍ଟ ଏନକ୍ଲୋଜରରେ ଜିନତକୁ ଛଡ଼ାଯାଇଛି ।
Also Read
୨ ଦିନ ତଳେ ପଶ୍ଚିମବଙ୍ଗ ବାଙ୍କୁରାରେ ଜିନ୍ନତକୁ ଟ୍ରାଙ୍କୁଲାଇଜ୍ କରାଯିବା ପରେ, ଓଡ଼ିଶା ନ ପଠାଇ ବାଘୁଣୀକୁ ଆଲିପୁର ଚିଡ଼ିଆଖାନା ନିଆଯାଇଥିଲା । ଏହାକୁ ନେଇ ହରଡ଼ଘଣାରେ ପଡିଥିଲା ପଶ୍ଚିମବଙ୍ଗ ବନବିଭାଗ । କେଉଁଠି ରହୁଥିଲା ସମସ୍ୟା? ଏହି ମରାଠା ବାଘୁଣୀକୁ ଓଡ଼ିଶା ଆସିବାରେ ପ୍ରତିବନ୍ଧକ ସାଜୁନଥିଲେ ତ’ ପଶ୍ଚିମବଙ୍ଗ ସରକାର? ଜାଣିଶୁଣି ବାଘୁଣୀକୁ ନେଇ ରାଜନୀତି କରୁଥିଲେ କି ମମତା ଦିଦି? NTCA ଏସଓପି ଖୋଲାଖୋଲି ଉଲ୍ଲଂଘନ କରୁନାହାନ୍ତି ତ ମମତା? ପ୍ରଥମେ ଆଳୁ ଆଉ ଏବେ ମହାବଳକୁ ଓଡ଼ିଶା ନଛାଡ଼ିବା ପଛର ଅସଲ ଉଦ୍ଦେଶ୍ୟ କ’ଣ ? ସେପଟେ ବାଘୁଣୀକୁ କାହିଁକି ଓଡ଼ିଶା ନ ପଠାଇ ଆଲିପୁର ଚିଡ଼ିଆଖାନାକୁ ପଠାଗଲା, ସେ ନେଇ ପ୍ରଶ୍ନ ଉଠାଇଥିଲେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ- NTCA । ଏନେଇ NTCA ପକ୍ଷରୁ ପଶ୍ଚିମବଙ୍ଗର ଚିଫ୍ ୱାଇଡଲାଇଫ୍ ୱାର୍ଡେନଙ୍କୁ ଚିଠି କରାଯାଇଥିଲା । ଏଥିସହ SOP ଅନୁସାରେ ତୁରନ୍ତ ବାଘୁଣୀକୁ ଓଡ଼ିଶା ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ NTCA ।
ଅଧିକ ପଢ଼ନ୍ତୁ: ନୂଆ ଆଶା ଓ ନୂଆ ସମ୍ଭାବନା ନେଇ ପାଦ ଥାପିଲା ବର୍ଷ ୨୦୨୫, ଗାଁରୁ ଗ୍ଲୋବ୍ ସବୁଠି ଉତ୍ସବମୁଖର ପରିବେଶ
ଏପଟେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଥିଲେ, ଜିନ୍ନତକୁ ତୁରନ୍ତ ଶିମିଳିପାଳ ଫେରାଇ ଦେବାକୁ NTCA ଓ ରାଜ୍ୟ ସରକାର ଚିଠି ଲେଖି ଅନୁରୋଧ କରିଛନ୍ତି । ଏଣେ ବନ୍ୟପ୍ରାଣୀ ପିସିସିଏଫ୍ କହିଥିଲେ, ଜିନ୍ନତର ସ୍ବାସ୍ଥ୍ୟାବସ୍ଥା ଏବେ ଭଲ ଅଛି । ପଶ୍ଚିମବଙ୍ଗ ସରକାର ଯେବେ ଆମକୁ ହସ୍ତାନ୍ତର କରିବେ ଆମେ ତାକୁ ତୁରନ୍ତ ଶିମିଳିପାଳ ନେଇ ଆସିବୁ ।
ସୂଚନା ଅନୁସାରେ ଶିମିଳିପାଳରେ ମହାବଳ ବଂଶ ବିସ୍ତାର ଲାଗି ମହାରାଷ୍ଟ୍ର ତଡ଼ବା-ଅନ୍ଧେରୀ ଅଭୟାରଣ୍ୟରୁ ଆସିଥିଲା ବାଘୁଣୀ ଜିନ୍ନତ୍ । ହେଲେ ସେ ପଶ୍ଚିମବଙ୍ଗ ପଳାଇ ସେଠାରେ ଟ୍ରାଙ୍କୁଲାଇଜ ହେବାପରେ ଆଲିପୁର ଜୁ’ ପାଲଟିଥିଲା ତା’ ନୂଆ ଠିକଣା । ବିଶେଷଜ୍ଞଙ୍କ କହିବା କଥା, ବନ୍ୟପ୍ରାଣୀ ଆଇନ ଅନୁସାରେ କୌଣସି ବନ୍ୟଜନ୍ତୁକୁ ଚିଡ଼ିଆଖାନାରେ ରଖାଯାଇପାରିବ ନାହିଁ । ଜିନ୍ନତ ଟ୍ରାଙ୍କୁଲାଇଜ ହେବା ପରେ ତା’କୁ ନିକଟସ୍ଥ କୌଣସି ପଶୁ ଚିକିତ୍ସା କେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇପାରିଥାନ୍ତା । ୨୦୦ କିଲୋମିଟର ଦୂର ଆଲିପୁର ଜୁ’ ନେବାର ଆବଶ୍ୟକତା ନ ଥିଲା ବୋଲି ବିଶେଷଜ୍ଞ କହିଥିଲେ ।