ତୃତୀୟ ମହଲାରୁ କାହିଁକି ଅପସାରଣ ହେଲେ ନିକୁଞ୍ଜ ଧଳ ? ଏ ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲେ ବି ହଠାତ୍ କାହିଁକି ଡେପୁଟେସନ୍ ? ନିକୁଞ୍ଜଙ୍କ ସ୍ଥାନରେ କାହାକୁ ପାଖକୁ ନେବେ ମୁଖ୍ୟମନ୍ତ୍ରୀ ? କୁହାଯାଉଛି ବ୍ୟକ୍ତିଗତ ସଚିବ ମନୋଜ ସାହୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନେଇପାରନ୍ତି ବଡ଼ ଭୂମିକା । ଏପଟେ ରାଜ୍ୟରେ ୬୭ IAS ପଦବି ଖାଲି ପଡ଼ିଥିବା ବେଳେ, ପୁଣି ଦୁଇ ଅଧିକାରୀଙ୍କ ଡେପୁଟେସନ ପ୍ରଶାସନିକ କଳରେ ଅଭାବୀ ସ୍ଥିତିକୁ ଆହୁରି ଗୁରୁତର କରିବ । ତେବେ ଦିଲ୍ଲୀରୁ ଯେଉଁ ଅଫିସରମାନେ ଆସିବାକୁ ଚାହୁଁଛନ୍ତି କିମ୍ବା ଯେଉଁମାନଙ୍କ ଡେପୁଟେସନ୍ ସରିଲାଣି ସେମାନଙ୍କୁ ଆଣିବାକୁ ସରକାର ଚିନ୍ତା କରୁଥିବା କହିଛନ୍ତି ଆଇନ ମନ୍ତ୍ରୀ ।
Also Read
ଅଧିକ ପଢ଼ନ୍ତୁ: ନରସିଂହଙ୍କ ଘରେ ଧର୍ମେନ୍ଦ୍ର, ସମରେନ୍ଦ୍ରଙ୍କୁ ନେଇ ଚର୍ଚ୍ଚା ବଢିଲା
ଦିଲ୍ଲୀ ଗଲେ ନିକୁଞ୍ଜ ଧଳ । ହଠାତ୍ ତୃତୀୟ ମହଲାରୁ ଅପସାରଣର କାରଣ କ’ଣ ? ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କିଏ ତୁଲାଇବେ ଦାୟିତ୍ୱ ? ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ମନୋଜ ସାହୁ ହେବେ କି ଥାର୍ଡ ଫ୍ଲୋରରେ ପାୱାରଫୁଲ୍ ଅଫିସର ? ପାୱାର କରିଡରରେ ଏନେଇ ଏବେ ଜୋରଦାର ଚର୍ଚ୍ଚା । ଗତ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ ନିକୁଞ୍ଜ ଧଳ ଓ ପୂର୍ତ୍ତ ସଚିବ ଭି.ଭି. ଯାଦବ ଡେପୁଟେସନରେ କେନ୍ଦ୍ରକୁ ଯିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯଦିଓ କିଛି ଦିନ ଧରି ଚର୍ଚ୍ଚା ହେଉଥିଲା, କିନ୍ତୁ ନୂଆ ସରକାରରେ ମାତ୍ର ୯ ମାସରେ ନିକୁଞ୍ଜଙ୍କୁ କେନ୍ଦ୍ରକୁ ପଠାଯିବା ପଛରେ କାରଣ କ’ଣ ? କୁହାଯାଉଛି ନିକୁଞ୍ଜ ଧଳଙ୍କ ଉପରେ ଖପ୍ପା ଥିଲେ ବିଜେପିର ଗୋଟିଏ ବିଧାୟକ ଗୋଷ୍ଠୀ । କେନ୍ଦ୍ରୀୟ ନେତୃତ୍ୱଙ୍କ ପାଖରେ ମଧ୍ୟ ଅଭିଯୋଗ ହୋଇଥିଲା । ବଡ଼ କଥା ହେଉଛି ନିକୁଞ୍ଜଙ୍କ ସ୍ଥାନରେ କାହାକୁ ଆଣିବେ ମୁଖ୍ୟମନ୍ତ୍ରୀ ? ଚର୍ଚ୍ଚାରେ ଆଗରେ ରହିଛି ଦୁଇ ବରିଷ୍ଠ ଅଧିକାରୀ ସତ୍ୟବ୍ରତ ସାହୁ ଏବଂ ଅରବିନ୍ଦ ପାଢ଼ୀଙ୍କ ନାଁ । କିନ୍ତୁ କୁହାଯାଉଛି ଏବେ ବ୍ୟକ୍ତିଗତ ସଚିବ ଥିବା ମନୋଜ ସାହୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବଡ଼ ଭୂମିକା ନେଇପାରନ୍ତି ।
ଏପଟେ ରାଜ୍ୟରେ ଆଇଏଏସ୍ ମରୁଡି ଥିବା ବେଳେ ପୁଣି ୨ ଅଧିକାରୀ ଡେପୁଟେସନରେ ଯିବା, ପ୍ରଶାସନିକ କଳର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛି । ନିକଟରେ ଆସିଥିବା ବିଧାନସଭା ତଥ୍ୟ କହୁଛି ୬୭ IAS ପଦବି ଖାଲି ପଡ଼ିଥିବା ବେଳେ ୬୯ IPS ପଦବି ମଧ୍ୟ ଖାଲି ପଡିଛି । ଓଡ଼ିଶା କ୍ୟାଡରରେ ୨୪୮ IAS ପଦବି ଥିବା ବେଳେ ୧୮୧ ଜଣ IAS ଅଧିକାରୀ କାର୍ଯ୍ୟରତ ଅଛନ୍ତି । ଏହା ବ୍ୟତୀତ ୨ ଜଣ IAS ଅଧିକାରୀ ଆନ୍ତଃ ରାଜ୍ୟ ଡେପୁଟେସନରେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଅଛନ୍ତି ।
ସେହିପରି ୨୨ ଜଣ IAS ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ । ବଡ଼ କଥା ହେଲା ସଞ୍ଜୟ ସିଂ, ଦେଓରଞ୍ଜନ ସିଂ, ବିଶାଳ ଦେବ, ସତ୍ୟବ୍ରତ ସାହୁଙ୍କ ଭଳି ଅଧିକାରୀଙ୍କ ନିକଟରେ ଦୁଇ କିମ୍ବା ଦୁଇରୁ ଅଧିକ ବିଭାଗ ରହିଛି। ଏହା ସହ ଅନେକ ପଦବି ବି ଖାଲି ପଡିଛି । ସେପଟେ ଆଇନମନ୍ତ୍ରୀ କହିଛନ୍ତି ଯେଉଁ ଅଫିସରମାନଙ୍କର ଡେପୁଟେସନ୍ ସରିଲାଣି କିମ୍ବା ଦିଲ୍ଲୀରୁ ଯେଉଁମାନେ ଫେରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଆଣିବାକୁ ସରକାର ଚିନ୍ତା କରୁଛନ୍ତି ।ନିକଟରେ ୩୦ ଜଣ OASଙ୍କୁ ଆଇଏଏସ୍ ପଦବୀ ପଦୋନ୍ନତି ଦେଇଛନ୍ତି ସରକାର । ଆଗାମୀ ଦିନରେ ପ୍ରଶାସନରେ ଏହି ଅଭାବୀ ସ୍ଥିତିକୁ କେମିତି ସୁଧାରୁଛନ୍ତି ତା ଉପରେ ନଜର ।